— ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ପ୍ରଶାସନର ଆଲୋଚନା
— ଭୋଟର ତାଲିକାର ସଠିକତା ଓ ପାରଦର୍ଶିତା ବୃଦ୍ଧି କରିବା ହେଉଛି ଏସଆଇଆର ମୁଖ୍ୟ ଉଦ୍ଦେଶ୍ୟ
— ମ୍ୟାପିଙ୍ଗ ଏବଂ ଏସଆଇଆର ପ୍ରକ୍ରିୟାରେ ମତଦାତା ସଂଶୋଧନ କାମକୁ ଦ୍ୱାୟିତ୍ୱର ସହ ତୁଲାଇବା ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ
ଯାଜପୁର,୧୮/୦୫/୨୦୨୬ (ଓଡ଼ିଶା ସମାଚାର)-ସାରା ରାଜ୍ୟରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ (ଏସଆଇଆର୍) ଲାଗୁ କରାଯାଇଛି। ଏହିକ୍ରମରେ ଯାଜପୁର ଜିଲ୍ଲାରେ ଏସଆଇଆର୍ ଆରମ୍ଭ ହେବ। ସେଥିପାଇଁ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଅମ୍ବର କୁମାର କରଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଏସଆଇଆର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯୋଗ୍ୟ ମତଦାତାଙ୍କୁ ଭୋଟର ତାଲିକାରେ ସମ୍ମିଳିତ କରିବା ଏବଂ ଅନଧିକୃତ ପ୍ରବାସୀ କିମ୍ବା ଅଯୋଗ୍ୟ ବ୍ୟକ୍ତିଙ୍କ ନାମ ବିଲୋପ କରିବା। ଏଥିରେ ମୃତ ବ୍ୟକ୍ତିଙ୍କ ନାମ ଏବଂ ଡୁପ୍ଲିକେଟ ନାମଗୁଡିକୁ ଚିହ୍ନଟ କରାଯାଇ ତାଲିକାରୁ ହଟାଯିବ। ସ୍ଥାନାନ୍ତରିତ ମତଦାତାଙ୍କ ନାମ ସଂଶୋଧନ କରାଯିବ।
ଭୋଟର ତାଲିକାର ସଠିକତା ଓ ପାରଦର୍ଶିତା ବୃଦ୍ଧି କରିବା ପାଇଁ ଏସଆଇଆର ଲାଗୁ କରାଯାଉଛି। ଏହି ବୈଠକରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନେ ମଧ୍ୟ ଯୋଗ ଦେଇଥିଲେ। ନୂଆ ବୁଥ ସ୍ତରୀୟ ଅଧିକାରୀ ଏବଂ ସୁପରଭାଇଜର ନିଯୁକ୍ତି ପାଇଁ ବ୍ଲକ୍ ଶିକ୍ଷା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ବୁଥ ସ୍ତରୀୟ ଏଜେଣ୍ଟଙ୍କ ତାଲିକା ପ୍ରଦାନ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳଙ୍କୁ ଅନୁରୋଧ କରାଯାଇଛି। ରାଜନୈତିକ ଦଳ ସେମାନଙ୍କ ମତାମତ ଜିଲ୍ଲାପାଳ କିମ୍ବା ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ଇଆରଓ)ମାନଙ୍କୁ ଲିଖିତ ଆକାରରେ ଜଣାଇବା ପାଇଁ ଅନୁରୋଧ କରାଯାଇଥିଲା। ନିର୍ବାଚନ ପଞ୍ଜୀକରଣ ଅଧିକାରୀ ସେମାନଙ୍କ ବୁଥ ସ୍ତରୀୟ ଅଧିକାରୀଙ୍କ ସହ ମ୍ୟାପିଙ୍ଗ ଏବଂ ଏସଆଇଆର ସମ୍ପର୍କରେ ଆଲୋଚନା କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାରେ ଜୁଲାଇ ୧ ତାରିଖକୁ କ୍ଵାଲିଫାଇଙ୍ଗ ତାରିଖ ଭାବେ ଧାର୍ଯ୍ୟ କରାଯାଇଛି। ଜୁନ୍ ୨୮ ସୁଦ୍ଧା ପୋଲିଂ ଷ୍ଟେସନଗୁଡିକର ରାସନାଲାଇଜେଶନ କରାଯିବ।
ମଇ ୩୦ ରୁ ଜୁନ୍ ୨୮ ଯାଏଁ ବିଏଲଓଙ୍କ ଦ୍ଵାରା ଘର ଘର ବୁଲି ସର୍ଭେ କରାଯିବ। ଜୁଲାଇ ୫ ରେ ଡ୍ରାଫ୍ଟ ମତଦାତା ତାଲିକା ପ୍ରକାଶିତ ହେବ ଏବଂ ଜୁଲାଇ ୫ ରୁ ଅଗଷ୍ଟ ୪ ଯାଏଁ ଜନସାଧାରଣ ଆପତ୍ତି ଆବେଦନ କରିପାରିବେ। ସେପ୍ଟେମ୍ବର ୬ ତାରିଖରେ ଫାଇନାଲ ମତଦାତା ତାଲିକା ପ୍ରକାଶିତ ହେବ। ସୂଚନାଯୋଗ୍ୟ, ରାସନାଲାଇଜେଶନ ହେବା ପରେ ଯାଜପୁର ଜିଲ୍ଲାରେ ମୋଟ ୭ ଟି ଆସନରେ ୨୦୪୬ ଟି ପୋଲିଂ ଷ୍ଟେସନ୍ ରହିଛି। ଜିଲ୍ଲାରେ ମୋଟ ୨୦୫ ଜଣ ବିଏଲଓ ସୁପରଭାଇଜର ଏବଂ ୨୦୪୬ ଜଣ ବୁଥ ସ୍ତରୀୟ ଅଧିକାରୀ ନିୟୋଜିତ ଅଛନ୍ତି। ମଇ ୨୦୨୬ ସୁଦ୍ଧା ଯାଜପୁର ଜିଲ୍ଲାରେ ମୋଟ ୧୫,୩୭,୧୦୧ ଜଣ ମତଦାତା ଅଛନ୍ତି। ସେଥିରେ ପୁରୁଷ ମତଦାତାଙ୍କ ସଂଖ୍ୟା ୭,୮୯,୪୬୧ ଏବଂ ମହିଳା ମତଦାତାଙ୍କ ସଂଖ୍ୟା ୭,୪୭,୫୮୦ ରହିଛି। ଏହାସହ ମ୍ୟାପିଙ୍ଗ ଏବଂ ଏସଆଇଆର ପ୍ରକ୍ରିୟାରେ ମତଦାତା ସଂଶୋଧନ କାମକୁ ଦ୍ୱାୟିତ୍ୱର ସହ ତୁଲାଇବା ପାଇଁ ସମସ୍ତ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।
ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାଏକ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଶିବାନନ୍ଦ ସ୍ୱାଇଁ, ଉପଜିଲ୍ଲାପାଳ ତାପସ ରଞ୍ଜନ ଦେହୁରୀ, ନିର୍ବାଚନ ବିଭାଗ ଡେପୁଟି କଲେକ୍ଟର ଅଶୋକ ଦେହୁରୀ, ଅତିରିକ୍ତ ଉନ୍ନୟନ ଅଧିକାରୀ, ଅତିରିକ୍ତ ଉପଜିଲ୍ଲାପାଳ, ବିଡ଼ିଓ, ତହସିଲଦାର, ସମସ୍ତ ନିର୍ବାଚନ ପଞ୍ଜୀକରଣ ଅଧିକାରୀ, ଅତିରିକ୍ତ ନିର୍ବାଚନ ପଞ୍ଜୀକରଣ ଅଧିକାରୀ, ବ୍ଲକ୍ ଶିକ୍ଷା ଅଧିକାରୀ ଏବଂ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନେ ଯୋଗ ଦେଇଥିଲେ।
