ଓଡ଼ିଶାରୁ ପ୍ରଥମ- ଭାରତୀୟ ବଧିର କ୍ରିକେଟ୍ ଦଳରେ ଦୀପ୍ତିରାଣୀ

ଭୁବନେଶ୍ୱର,୧୭/୦୫/୨୦୨୬(ଓଡ଼ିଶା ସମାଚାର)- ଓଡ଼ିଶାର ପ୍ରତିଭାବାନ ମହିଳା ବଧିର କ୍ରିକେଟ୍ ଖେଳାଳି ଦୀପ୍ତିରାଣୀ ସାହୁ ଇତିହାସ ରଚିଛନ୍ତି । ପ୍ରଥମ ଓଡ଼ିଆ ଭାବେ ଆଗାମୀ ଶ୍ରୀଲଙ୍କା ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟ୍ୱେଣ୍ଟି -୨୦ ଶୃଙ୍ଖଳା ଲାଗି ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି ସେ । ଏହି ଶୃଙ୍ଖଳା ଶ୍ରୀଲଙ୍କାର ମୋରାତୁୱା ଠାରେ ଜୁନ୍ ୮ରୁ ୧୩ ତାରିଖ ପର୍ଯ୍ୟନ୍ତ ଖେଳାଯିବ । ୧୫ଜଣିଆ ଭାରତୀୟ ଦଳରେ ଦୀପ୍ତିରାଣୀ ଅଲ୍ରାଉଣ୍ଡର ଭାବେ ସ୍ଥାନ ପାଇଛନ୍ତି ।

ଏହି ଶୃଙ୍ଖଳା ମଧ୍ୟ ବଧିର କ୍ରିକେଟ୍ ର ପ୍ରଥମ ଅନ୍ତର୍ଜାତୀୟ ଶୃଙ୍ଖଳା ହେବାକୁ ଯାଉଛି । ସେହି ଦୃଷ୍ଟିରୁ ଦୀପ୍ତି ଦୁଇଟି ମାଇଲ୍ଖୁଣ୍ଟ ର ଅଧିକାରୀ ହେବାକୁ ଯାଉଛନ୍ତି । ବରମୁଣ୍ଡାସ୍ଥିତ ଫାୟାର ଷ୍ଟେସନ୍ ବସ୍ତିରୁ ବାହାରି ଭାରତୀୟ ଦଳରେ ସ୍ଥାନ ପାଇଥିବା ଦୀପ୍ତିରାଣୀ ନିଜ କଠିନ ପରିଶ୍ରମ, ନିରନ୍ତର ଅଧ୍ୟବସାୟ ତଥା ଅପୂର୍ବ ଏକାଗ୍ରତା ପାଇଁ ବହୁ ଉଦୀୟମାନ କ୍ରୀଡ଼ାବିତ୍ଙ୍କ ପାଇଁ ଆଦର୍ଶ ଓ ପ୍ରେରଣାର ଉତ୍ସ ପାଲଟିଛନ୍ତି । ତାଙ୍କ ପିତା ମନୋଜ କୁମାର ସାହୁ ହେଉଛନ୍ତି ଜଣେ କାର ଡ୍ରାଇଭର । ମା’ ମାମା ସାହୁ ଗୃହିଣୀ । ଉଭୟ ମନୋଜ ଓ ମାମା ଘୋର ଆର୍ଥôକ ଅନଟନ ସତ୍ୱେ ଦୀପ୍ତିରାଣୀଙ୍କ ପାଖେପାଖେ ସବୁବେଳେ ରହି ଆସିଛନ୍ତି ।

ଦୀପ୍ତିରାଣୀଙ୍କ ପରିବାର ହେଉଛନ୍ତି ଭଞ୍ଜନଗରର ମୂଳ ବାସିନ୍ଦା । ନିଜ ଶାରୀରିକ ଦୁର୍ବଳତା ସତ୍ୱେ କ୍ରୀଡ଼ା କ୍ୟାରିୟରରେ ସେ ଏହାକୁ କେବେବି ପ୍ରତିବନ୍ଧକ ହେବାକୁ ଦେଇନାହାନ୍ତି । ନିଜ ପିଲା ବେଳର ସ୍ୱପ୍ନକୁ ଅନୁସରଣ କରି ଆଜି ଜଣେ ଅନ୍ତର୍ଜାତୀୟ ଖେଳାଳି ହେବାକୁ ଯାଉଛନ୍ତି । କ୍ରିକେଟ୍ ଖେଳିବା ସହ ଦୀପ୍ତି ଯୁକ୍ତ ୩ ପାଠପଢ଼ାକୁ ବି ଜାରି ରଖିଛନ୍ତି । ଏହି ସଫଳତା ଲାଗି ଓଡ଼ିଶା ବଧିର କ୍ରିକେଟ୍ ସଂଘର ସାଧାରଣ ସଂପାଦକ ସାଗରକାନ୍ତ ସେନାପତିଙ୍କ ସହ ସମସ୍ତଙ୍କ ସଦସ୍ୟ ଅଭିନନ୍ଦନ ଜ୍ଞାପନ କରିଛନ୍ତି ।

Leave a Reply

Your email address will not be published. Required fields are marked *