ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଙ୍କ ସମୀକ୍ଷା

ଅପରାଧୀଙ୍କ ମଧ୍ୟରେ ଭୟ ସୃଷ୍ଟି କରି ପୋଲିସ ସାଧାରଣ ଲୋକଙ୍କ ପାଇଁ ବନ୍ଧୁ ହେବାକୁ ମୁଖ୍ୟମନ୍ତ୍ରୀ ଙ୍କ ପରାମର୍ଶ

ଭୁବନେଶ୍ୱର,୧୪/୦୫/୨୦୨୬ (ଓଡ଼ିଶା ସମାଚାର)-  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ  ରାଜ୍ୟ ପ୍ରଶାସନ, ପୋଲିସ ଉଚ୍ଚ ପଦାଧିକାରୀ ଏବଂ ଜିଲ୍ଲାପାଳ ଓ ଏସ୍.ପି ମାନଙ୍କ ସହିତ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି । ରାଜ୍ୟ ପୋଲିସକୁ ଜନସାଧାରଣଙ୍କ ବିଶ୍ୱାସଭାଜନ ହୋଇ କାମ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ଅବସରରେ ପରାମର୍ଶ ଦେଇଛନ୍ତି । ଜିଲ୍ଲାସ୍ତରରେ ପ୍ରଶାସନିକ ଅଧିକାରୀ ଓ ପୋଲିସ ଅଧିକାରୀମାନେ ମିଳିତ ଭାବେ ଗୋଟିଏ ଟିମ୍ ହୋଇ କାମ କରିବା ଆବଶ୍ୟକ ବୋଲି କହିବା ସହ କ୍ରାଇମ୍‌ ମ୍ୟାପିଙ୍ଗ୍, ଗୁଇନ୍ଦା ତଥ୍ୟ, କଡାକଡ଼ି ପାଟ୍ରୋଲିଙ୍ଗ୍ ଏବଂ ଆଗୁଆ ପଦକ୍ଷେପ (Pro-Active Action) ଉପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି।

ଗୁରୁବାର ରାଜ୍ୟର ଆଇନଶୃଙ୍ଖଳା ବ୍ୟବସ୍ଥା ଉପରେ ସମୀକ୍ଷା କରି ମୁଖ୍ୟମନ୍ତ୍ରୀ ସଂଗଠିତ ଅପରାଧକୁ ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣ କରିବାକୁ ଅଧିକାରୀଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଅପରାଧୀଙ୍କ ମଧ୍ୟରେ ଭୟ ସୃଷ୍ଟି କରି ପୋଲିସ ସାଧାରଣ ଲୋକଙ୍କ ପାଇଁ ବନ୍ଧୁ ହେବାକୁ ସେ ପରାମର୍ଶ ଦେଇଛନ୍ତି।

କ୍ରାଇମ ମ୍ୟାପିଙ୍ଗ, ଗୁଇନ୍ଦା ତଥ୍ୟ, କଡାକଡ଼ି ପାଟ୍ରୋଲିଂ ଉପରେ ଗୁରରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏପରିକି ଆଗୁଆ ପଦକ୍ଷେପ ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି।ରାଜ୍ୟ ପୋଲିସ ଏଭଳି ପଦକ୍ଷେପ ନେଉ ଯାହାଦ୍ୱାରା ପୋଲିସ ସାଧାରଣ ଲୋକଙ୍କ ବିଶ୍ୱାସଭାଜନ ହେବ।  ଏଥି ସହିତ ଅପରାଧୀମାନଙ୍କ ମଧ୍ୟରେ ଭୟ ସୃଷ୍ଟି କରିପାରିବ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଜିଲ୍ଲାସ୍ତରରେ ପ୍ରଶାସନିକ ଅଧିକାରୀ ଓ ପୋଲିସ ଅଧିକାରୀମାନେ ମିଳିତ ଭାବେ ଗୋଟିଏ ଟିମ୍ ଭାବେ କାମ କରିବା ଆବଶ୍ୟକ।

ପୋଲିସ ସହିତ ଜିଲ୍ଲାର ଅନ୍ୟ ପ୍ରଶାସନିକ ଅଧିକାରୀମାନଙ୍କ ମଧ୍ୟରେ ସମନ୍ୱୟ ରହିଲେ ଅପରାଧ ନିୟନ୍ତ୍ରଣରେ ଅଧିକ ସଫଳତା ଆସିପାରିବ।ଯେକୌଣସି ଅପରାଧିକ କାର୍ଯ୍ୟକଳାପରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନେ ପୋଲିସ ପ୍ରଶାସନ ପାଇଁ ଖୁବ୍ ସହାୟକ ହୋଇପାରିବେ। ବିଭିନ୍ନ ଯୋଜନା ଓ ପ୍ରକଳ୍ପର ସଫଳତା ପାଇଁ ଯେପରି ଟିମ୍‌ ସ୍ପିରିଟ୍‌ରେ କାମ କରାଯାଉଛି,ସେହିଭଳି ଅପରାଧ ନିୟନ୍ତ୍ରଣ କ୍ଷେତ୍ରରେ ମଧ୍ୟ ଟିମ୍‌ ସ୍ପିରିଟ୍ ରଖିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଜିଲ୍ଲାପାଳ ଓ ଏସ୍‌.ପି ମାନଙ୍କୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସେମାନେ ଜିଲ୍ଲାସ୍ତରରେ ନିୟମିତ ଭାବେ ଜିଲ୍ଲାର ଆଇନ କାନୁନ ପରିସ୍ଥିତି ସମୀକ୍ଷା କରି ପୋଲିସ ମହାନିର୍ଦ୍ଦେଶକ, ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ପଠାନ୍ତୁ ।

Leave a Reply

Your email address will not be published. Required fields are marked *