ପୁରାତନ ଛାତ୍ରଛାତ୍ରୀ ବିଦ୍ୟାଳୟ ବିକାଶର ପ୍ରମୁଖ ସାରଥୀ
– ପାଞ୍ଚ ଜିଲ୍ଲାରୁ ପୁରାତନ ଛାତ୍ରଛାତ୍ରୀ ଓ ପ୍ରଧାନଶିକ୍ଷକଙ୍କ ଅଂଶଗ୍ରହଣ
ଭୁବନେଶ୍ୱର,୦୪/୦୬/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ବିଦ୍ୟାଳୟର କେନ୍ଦ୍ରବିନ୍ଦୁ ହେଉଛନ୍ତି ଏହାର ପୁରାତନ ଛାତ୍ରଛାତ୍ରୀ । ସେମାନଙ୍କ ସଫଳତାରେ ବିଦ୍ୟାଳୟ ଗୌରବାନ୍ବିତ ହୁଏ । ବିଦ୍ୟାଳୟର ବିକାଶରେ ମଧ୍ୟ ସେମାନଙ୍କର ଅବଦାନ ସର୍ବାଧିକ ଗୁରୁତ୍ବପୂର୍ଣ୍ଣ । ପୁରାତନ ଛାତ୍ରଛାତ୍ରୀମାନେ ବିଦ୍ୟାଳୟର ବିକାଶର ପ୍ରମୁଖ ସାରଥୀ ହୁଅନ୍ତୁ । ନିଜ ସଫଳତାରେ ଏହାର ସର୍ବାଙ୍ଗୀନ ବିକାଶ ପାଇଁ ଆଗେଇ ଆସନ୍ତୁ । ନୂତନ ପିଢିକୁ ଏକ ସୁନ୍ଦର ଓ ସଫଳ ଭବିଷ୍ୟତ ପ୍ରଦାନ ଦିଗରେ ନିଜର ଅବଦାନ ଦିଅନ୍ତୁ ବୋଲି ବିଶିଷ୍ଟ ବ୍ୟକ୍ତିମାନେ ପ୍ରକାଶ କରିଛନ୍ତି ।
ପଞ୍ଚସଖା ଶିକ୍ଷା ସେତୁ ସଂଗଠନ ପକ୍ଷରୁ ଭର୍ଚୁଆଲ୍ ଆଲୁମିନି ଟକ୍ କାର୍ଯ୍ୟକ୍ରମ “ଆମ ସ୍କୁଲ, ଆମ ସ୍ୱାଭିମାନ” ର ପ୍ରଥମ କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଯାଇଛି । କାର୍ଯ୍ୟକ୍ରମରେ ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, ଯାଜପୁର ଓ ଜଗତସିଂହପୁର ଜିଲ୍ଲାର ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟମାନଙ୍କର ପ୍ରଧାନ ଶିକ୍ଷକ ଏବଂ ପୁରାତନ ଛାତ୍ରଛାତ୍ରୀ କମିଟିର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ ଇଣ୍ଡିଆନ୍ ଆସୋସିଏସନ୍ ଫର୍ ଦି କଲ୍ଟିଭେସନ୍ ଅଫ୍ ସାଇନ୍ସ (IACS)ର ସିନିୟର ପ୍ରଫେସର ଓ ଚେୟାର ତଥା ବାଲେଶ୍ବର ଜିଲ୍ଲା ରଘୁନାଥ ଜିଉ ଉଚ୍ଚ ବିଦ୍ୟାଳୟର ଜଣେ ସକ୍ରିୟ ପୁରାତନ ଛାତ୍ରଛାତ୍ରୀ ପ୍ରଫେସର ନାରାୟଣ ପ୍ରଧାନ ଅତିଥି ବକ୍ତା ଭାବେ ଯୋଗ ଦେଇଥିଲେ । ପୁରାତନ ଛାତ୍ରଛାତ୍ରୀଙ୍କ ସାମାଜିକ ଦାୟିତ୍ୱ ଏବଂ ଶିକ୍ଷାର ବିକାଶରେ ସେମାନଙ୍କ ଅବଦାନ ସମ୍ପର୍କରେ ଉପସ୍ଥିତ ପୁରାତନ ଛାତ୍ରଛାତ୍ରୀଙ୍କୁ ପ୍ରେରଣାଦାୟକ ମତ ରଖିଥିଲେ।
ଅନ୍ୟତମ ଅତିଥି ବକ୍ତା ଭାବରେ ଜଗତସିଂହପୁର ଜିଲ୍ଲା ମଣ୍ଡାସାହି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ କମିଟି ସଭାପତି ତଥା ଉଦ୍ୟୋଗୀ ଶ୍ରୀ ତାପସ କୁମାର ରାଉତ ଯୋଗଦେଇଥିଲେ । ନିଜ ବିଦ୍ୟାଳୟରେ ପୁରାତନ ଛାତ୍ରଛାତ୍ରୀଙ୍କ ସହଯୋଗରେ ସଫଳ ଭାବେ କାର୍ଯ୍ୟକରୀ ହୋଇଥିବା ବିଭିନ୍ନ ବିକାଶମୂଳକ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ । ବିଦ୍ୟାଳୟ ବିକାଶରେ ସମସ୍ତେ ନିଜର ସକ୍ରିୟ ଅବଦାନ ଦିଅନ୍ତୁ ବୋଲି ସେ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ପିଏସଏସଏସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀମତୀ ରାଜଲଲକ୍ଷ୍ମୀ ଦାଶ ଓ ଯୁଗ୍ମ ନିର୍ଦ୍ଦେଶିକାଶ୍ରୀମତୀ ସସ୍ମିତା ମାଳି ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ । ଡିଆରଏମ୍ ଶ୍ରୀ ଦେବାଶିଷ ପ୍ରଧାନ ସ୍ବାଗତ ଅଭିଭାଷଣ ଦେଇଥିବାବେଳେ ପ୍ରୋଗ୍ରାମ ମ୍ୟାନେଜର ଶ୍ରୀ ସୁବ୍ରତ କୁମାର ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
