ସାଧାରଣ ଜୀବନ ପ୍ରଭାବିତ
କେନ୍ଦ୍ରାପଡ଼ା, ୧୪/୦୫/୨୦୨୬ (ଓଡ଼ିଶା ସମାଚାର)- କେନ୍ଦ୍ରାପଡାରେ ଡିଜେଲ ଓ ପେଟ୍ରୋଲର ଅଭାବ ଜନଜୀବନକୁ ବିଶେଷ ଭାବେ ପ୍ରଭାବିତ କରିଛି । ବିଭିନ୍ନ ପେଟ୍ରୋଲପମ୍ପରେ ଡିଜେଲ ଓ ପେଟ୍ରୋଲ ନମିଳିବାରୁ ସାଧାରଣ ଜନତାଙ୍କ ଦୈନନ୍ଦିନ ଜୀବନକୁ ଏହା ବ୍ୟାପକ ଭାବେ ପ୍ରଭାବିତ କରୁଛି । ବିଶେଷକରି ଜରୁରୀକାଳୀନ ସେବା ଯଥା ଆମ୍ବୁଲାନ୍ସ, ରୋଗୀଙ୍କୁ ଡାକ୍ତରଖାନାକୁ ପରିବହନ କରୁଥିବା ଅନ୍ୟାନ୍ୟ ଗାଡିମଟର ସମେତ କୃଷି କାର୍ଯ୍ୟ ଓ ଯାତାୟତ ବ୍ୟବସ୍ଥା ଗୁରୁର ଭାବେ ବ୍ୟାହତ ହୋଇଛି । ପେଟ୍ରୋଲପମ୍ପ ଗୁଡିକ ସମ୍ମୁଖରେ ତେଲ ପାଇଁ ଲମ୍ବା ଲାଇନ ଲାଗିଥିବା ବେଳେ ଅନେକ ସମୟରେ ଦୀର୍ଘସମୟ ଧରି ଲାଇନରେ ଥାଇ ମଧ୍ୟ ତେଲ ମିଳୁନଥିବା ଦେଖାଯାଇଛି । ଏହି ସମସ୍ୟାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ କୁହୁଳିବାରେ ଲାଗିଛି ।
ଏଭଳି ପରିସ୍ଥିତିକୁ ନେଇ କେନ୍ଦ୍ରାପଡାର ମାଟି,ବାଲି ଓ ପାଣି ମଂଚର ଆବାହକ ଆଇନଜୀବୀ ବିଧୁଭୂଷଣ ମହାନ୍ତି ଜିଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗରେ ଦର୍ଶାଯାଇଛି ଯେ ପେଟ୍ରୋଲ ଓ ଡିଜେଲର ଅଭାବ ଯୋଗୁଁ ଆମ୍ବୁଲାନ୍ସ ସେବା ଠାରୁ ଆରମ୍ଭ କରି ଦୈନନ୍ଦିନ ସାଧାରଣ ଜୀବନରେ ଆବଶ୍ୟକ ପଡୁଥିବା ପ୍ରତ୍ୟେକ କ୍ଷେତ୍ର ଏହାଦ୍ୱାରା ପ୍ରଭାବିତ ହୋଇଛି । ସରକାର ଏବଂ ଜିଲା ପ୍ରଶାସନ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ଦିନରେ ଏଥିପାଇଁ ଆନ୍ଦୋଳନ ତୀବ୍ରତର ହେବ ବୋଲି ଶ୍ରୀ ମହାପାତ୍ର ଚେତାବନୀ ଦେଇଛନ୍ତି । ପ୍ରଶାସନ ଯଥାଶୀଘ୍ର ଆବଶୟକ ପଦକ୍ଷେପ ଗ୍ରହଣ କରି ଜିଲାରେ ଡିଜେଲ ଓ ପେଟ୍ରୋଲ ଯୋଗାଣକୁ ସ୍ୱାଭାବିକ ନକଲେ ଆସନ୍ତା ଦିନରେ ଜନସାଧାରଣଙ୍କୁ ସାଙ୍ଗରେ ନେଇ ରାସ୍ତାରୋକ ଓ ଚକାଜାମ ଆନ୍ଦୋଳନ କରାଯିବ ବୋଲି ଆଇନଜୀବୀ ଶ୍ରୀ ମହାପାତ୍ର କହିଛନ୍ତି ।
