ଜଗତସିଂହପୁରରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

ଜଗତସିଂହପୁର ୦୯/୦୫/୨୦୨୬ (ଓଡ଼ିଶା ସମାଚାର)-ଜଗତସିଂହପୁର ଜିଲ୍ଲା  ଆଇନ ସେବା ପ୍ରାଧିକରଣ ତରଫରୁ ଜିଲ୍ଲା ଅଦାଲତରେ ଜିଲ୍ଲା ଓ ଦୌରା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଅଦାଲତ ନିବନ୍ଧକ ତଥା ଭାରପ୍ରାପ୍ତ ପ୍ରାଧିକରଣ ସଚିବ ଶ୍ରୀମତୀ ବିଶ୍ଵକଳ୍ପିତା ମହାନ୍ତିଙ୍କ ତତ୍ତ୍ଵାବଧାନରେ ଚଳିତ ବର୍ଷର ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏହି ଲୋକ ଅଦାଲତରେ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ସହ ପରିବାର ଅଦାଲତ ଜଜ୍ ରଶ୍ମିତା ଦଳେଇ, ଅତିରିକ୍ତ ଜିଲ୍ଲା ଜଜ୍ ହର ପ୍ରସାଦ ପଟ୍ଟନାୟକ,ମହିଳା ଅଦାଲତ ବିଚାରପତି ପ୍ରଜ୍ଞା ପରମିତା ମହାପାତ୍ର, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟେଟ ନରୋତ୍ତମ ସେଠୀ, ସବ ଜଜ୍ ରାକେଶ କୁମାର ମୁଦୁଲି,ଏସ୍.ଡି.ଜେ.ଏମ୍ ପ୍ରତ୍ୟୁଷ କୁମାର ଚାନ୍ଦ, ମୁନଶିଫ ସଂକେତ ସାମଲ, ଜେଏମ୍ଏଫ୍ ସି ଅଙ୍କିତ ଦେୱାଙ୍ଗନ ପ୍ରମୁଖ ଯୋଗଦେଇ ମାମଲା ଗୁଡିକର ପରିଚାଳନା କରିଥିଲେ ।

ସେହିପରି କୁଜଙ୍ଗ, ତିର୍ତ୍ତୋଲ ଓ ଏରସମା ତାଲୁକ ଆଇନ ସେବା କମିଟି ପକ୍ଷରୁ ଅତିରିକ୍ତ ଜିଲ୍ଲା ଜଜ୍ ଶ୍ରୀ ଦୀପ୍ତି ପ୍ରକାଶ ବ୍ରହ୍ମା, ସବ ଜଜ୍ ଅବକାଶ ଚୌଧୁରୀ, ଜେଏମଏଫସି ସିଓନା ସିଦ୍ଧାର୍ଥ ମହାରଣା, ରାଜେଶ ମିଶ୍ର, ସସ୍ମିତା ଶେଠୀ ଓ ଶ୍ରୀମତୀ ରୋଶ୍ନିବାଲା ସେନାପତିଙ୍କ ଅଧ୍ୟକ୍ଷତାରେ କୁଜଙ୍ଗ, ତିର୍ତ୍ତୋଲ, ରଘୁନାଥପୁର ଓ ଏରସମା ଅଦାଲତରେ ମଧ୍ୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି  । ଦୁର୍ଘଟଣା ଜନିତ ମୋକଦ୍ଦମାର ବିଚାର ପାଇଁ ଉଦିଷ୍ଟ ବେଞ୍ଚରେ ପବ୍ଲିକ୍ ପ୍ରୋସେକ୍ୟୁଟର ତପନ କୁମାର ପାଲ, ଡଃ ସିଦ୍ଧାର୍ଥ ଶଙ୍କର ମହାନ୍ତି ଏବଂ ଆଇନଜିବୀ ଅଶୋକ କୁମାର ଜେନା, ସଭ୍ୟ ଭାବେ ମୋକଦ୍ଦମା ପରିଚାଳନା କରିଥିଲେ ।

ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରଧିନ ମୋକଦ୍ଦମା ଯଥା ଫୌଜଦାରି (ସାଲିସ୍ ଯୋଗ୍ୟ), ଚେକ ବାଉନ୍ସ ମାମଲା, ବ୍ୟାଙ୍କ ଋଣ  ମାମଲା, ରାଜସ୍ଵ, ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ, ବୈବାହିକ ବିବାଦ ଓ ଅନ୍ୟାନ୍ୟ ଦିୱାନୀ ମୋକଦ୍ଦମା ସହିତ ଜିଲ୍ଲାରେ ଥିବା ବ୍ୟାଙ୍କ ଋଣ ସମ୍ବନ୍ଧିୟ ପ୍ରାକ ମୋକଦ୍ଦମା ଆଦି ମଧ୍ୟ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ଫଇସଲା ହୋଇଛି । ଜିଲ୍ଲାରୁ ମୋଟ ୧୮୨୨ ମାମଲାରୁ ୧୧୦୦ଟି ସଫଳତାର ସହ ଫଇସଲା ହେବା ସହିତ ୧ କୋଟି ୧୪ ଲକ୍ଷ ୯୬ ହଜାର ୪୭୦ ଟଙ୍କା ଆଦାୟ କରାଯାଇଛି । ସେହିପରି ବ୍ୟାଙ୍କ ଋଣ ସମ୍ବନ୍ଧିୟ ପ୍ରାକ ମୋକଦ୍ଦମାରେ ୩୧୫୫ ଟି ମାମଳରୁ ୮୭ ଟି ସଫଳତାର ସହ ଫଇସଲା ହେବା ସହିତ ୧୮ ଲକ୍ଷ ୫୧ ହଜାର ୭୮୦ ଟଙ୍କା ଋଣ ଆଦାୟ କରାଯାଇଛି । ଜଗତସିଂହପୁର ଜିଲ୍ଲା ଅଦାଲତ ସମେତ କୁଜଙ୍ଗ, ତିର୍ତୋଲ, ରଘୁନାଥପୁର, ଏରସମା ଅଦାଲତ ଏବଂ ଜିଲ୍ଲାର ସମସ୍ତ ତହସିଲ କାର୍ଯ୍ୟାଳୟ ରେ ମଧ୍ୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି ଏବଂ ମୋକଦ୍ଦମା ଗୁଡିକର ଫଇସଲା କରାଯାଇ ଟଙ୍କା ଆଦାୟ କରାଯାଇଛି ।

Leave a Reply

Your email address will not be published. Required fields are marked *