ବିଶିଷ୍ଟ ଶ୍ରମିକ ନେତା ବିଷ୍ଣୁ ମହାନ୍ତିଙ୍କ ଦେହାନ୍ତରେ ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡ଼ା, ୦୯/୦୫/୨୦୨୬ (ଓଡ଼ିଶା ସମାଚାର)-ଓଡ଼ିଶାର ବିଶିଷ୍ଟ ଶ୍ରମିକ ନେତା କମ୍ରେଡ ବିଷ୍ଣୁ ମହାନ୍ତିଙ୍କର ଭୁବନେଶ୍ୱରସ୍ଥିତ କଳିଙ୍ଗ ହସପିଟାଲରେ ବିୟୋଗ ହୋଇଯାଇଛି । ଓଡ଼ିଶାରେ ଛାତ୍ର ଆନ୍ଦୋଳନର ନେତୃତ୍ୱ ନେଇ ପରବର୍ତୀ ସମୟରେ ଓଡିଶାରେ ଶ୍ରମିକ ଶ୍ରେଣୀ ଆନ୍ଦୋଳନର ନେତୃତ୍ୱ ନେଇଥିଲେ । ପରେ ସିଆଇଟିୟୁର ସର୍ବଭାରତୀୟ ଉପସଭାପତି ତଥା ରାଜ୍ୟ ସାଧାରଣ ସମ୍ପାଦକ ଭାବେ ଜୀବନର ଶେଷ ପର୍ଯ୍ୟନ୍ତ କାମ କରୁଥିଲେ । ସିପିଆଇ(ଏମ) ରାଜ୍ୟ ସମ୍ପାଦକ ମଣ୍ଡଳୀର ଅନ୍ୟତମ ବରିଷ୍ଠ ସଭ୍ୟ ସାଥି ବିଷ୍ଣୁ ମହାନ୍ତିଙ୍କ ମୃତୁ୍ୟରେ ରାଜ୍ୟର ଶ୍ରମିକ ଓ ସାମ୍ୟବାଦୀ ଆନ୍ଦୋଳନ ପାଇଁ ଗଭୀର କ୍ଷତ ସୃଷ୍ଟି କରିଛି ।

କେନ୍ଦ୍ରାପଡା ଜିଲାର ଆଳିରେ ଜନ୍ମଗ୍ରହଣ କରି ପ୍ରାଥମିକ ଶିକ୍ଷା,ହାଇସ୍କୁଲ ଶିକ୍ଷା ଓ ଗ୍ରାଜୁଏସନ୍ ସାରିବା ପରେ ଆଇନ ଶିକ୍ଷା ଗ୍ରହଣ କରି ରାଉରକେଲା କୋର୍ଟରେ ଓକିଲ ଭାବେ କିଛି ବର୍ଷ କାର୍ଯ୍ୟ କରିଥିଲେ । କଲେଜରେ ପଢିଲା ବେଳେ ଏସ୍ଏଫ୍ଆଇ ଛାତ୍ର ସଂଗଠନର ସେ ରାଜ୍ୟ ନେତା ହୋଇ ପାରିଥିଲେ । ୧୯୭୫ ମସିହା ଜରୁରୀକାଳୀନ ପରିସ୍ଥିତି ବିରୁଦ୍ଧରେ ଲଢେଇ କରି ସେ କାରାବରଣ କରିଥିଲେ । ଏବେ ରାଜ୍ୟର ମୋହନ ସରକାର ପ୍ରଦାନ କରୁଥିବା ଗଣତନ୍ତ୍ର ସେନାନି ପୁରସ୍କାରକୁ ସେ ପ୍ରତ୍ୟାଖ୍ୟାନ କରିଥିଲେ । ଓଡିଶାର ଶ୍ରମିକ ଆନ୍ଦୋଳନରେ ସେ ଥିଲେ ଭଗୀରଥ, କର୍ଣ୍ଣଧାର ।

ସୁନ୍ଦରଗଡ଼ ଜିଲାର ରାଉରକେଲା,ବଣେଇ, କୋଇଡା ପ୍ରଭୃତି ଅଂଚଳର ସେ ଥିଲେ ଅପ୍ରତିଦ୍ୱନ୍ଦି ନେତା । ବଣେଇରେ ବାରମ୍ବାର ସିପିଆଇ(ଏମ) ବିଧାୟକ ଲକ୍ଷ୍ମଣ ମୁଣ୍ଡା ଜିତିବାରେ ତାଙ୍କର ଗୁରୁତ୍ୱପୂର୍ଣ ଭୂମିକା ଥିଲା । ସେ ଥିଲେ ଓଡ଼ିଶାର ମେହନତି ମଣିଷର ଅତି ପ୍ରିୟ ମଣିଷ । ତାଙ୍କର ଏ ଅସମୟରେ ମୃତୁ୍ୟ ସାରା ରାଜ୍ୟବାସୀଙ୍କୁ ଗଭୀର ଆଘାତ ଦେଇଛି । ତାଙ୍କ ସ୍ମୃତିରେ ସ୍ଥାନୀୟ ହୋଟେଲ ଦି ପ୍ୟାଲେସରେ ଏକ ଶୋକ ସଭା ଅନୁଷ୍ଠିତ ହେଇଯାଇଛି ।

ଏଆଇଟିୟୁସି ଜିଲା ସଭାପତି ବାବାଜୀ ଧଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସିପିଆଇ (ଏମ)ଜିଲା ସମ୍ପାଦକ ଗୟାଧର ଧଳ, ସିପିଆଇ ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ରମଣୀରଞ୍ଜନ ରାଉତରାୟ,ସିଆଇଟିୟୁ ଜିଲା ସମ୍ପାଦକ ଜଗତଜୀବନ ଦାଶ,ଆଇଏନଟିୟୁସି ଜିଲା ସଭାପତି ମୁକ୍ତାର ଖାଁ, ଶ୍ରମିକ ନେତା ମାଧବ ଦାସ, କୃଷକସଭା ନେତା ଆଦିକନ୍ଦ ରାଉଳ, ପ୍ରାଧ୍ୟାପକ ଡ଼ ଗିରିଶ ପାତ୍ର, ଶିଶିର କୁମାର ରାଉତ, ଅଧ୍ୟାପକ ବିରେନ କୁମାର ରାଉତ, ହରପ୍ରସାଦ ଜେନା, ଜଳନ୍ଧର ସାହୁ, ସୌମ୍ୟରଞ୍ଜନ ଧଳ ପ୍ରମୁଖ ଗଭୀର ଶ୍ରାଦ୍ଧଞ୍ଜଳି ଅର୍ପଣ କରିଥିଲେ । ପ୍ରଥମେ ତାଙ୍କ ଉଦ୍ୟେଶରେ ଏକ ମିନିଟି ନୀରବତା ଅବଲମ୍ବନ କରାଯାଇଥିଲା । ପରେ ଏକ ବଡ ଧରଣର ଜିଲା ସ୍ତରୀୟ ଶ୍ରାଦ୍ଧଞ୍ଜଳି ସଭା କରାଯିବାକୁ ସ୍ଥିର ହୋଇଛି ।

Leave a Reply

Your email address will not be published. Required fields are marked *