ଡ. ଜ୍ୟୋତ୍ସ୍ନାରାଣୀ ଜେନା ଜିଲା ବିଜେପି ମହିଳା ସଭାନେତ୍ରୀ

କେନ୍ଦ୍ରାପଡ଼ା, ୦୯/୦୫/୨୦୨୬ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀର ଦକ୍ଷ ନାରୀନେତ୍ରୀ ଡ. ଜ୍ୟୋତ୍ସ୍ନାରାଣୀ ଜେନାଙ୍କୁ ଭାରତୀୟ ଜନତା ପାର୍ଟିର କେନ୍ଦ୍ରାପଡ଼ା ଜିଲା ମହିଳା ସଭାନେତ୍ରୀ ଭାବେ ନିଯୁକ୍ତି ଦିଆଯାଇଛି । ରାଜ୍ୟ ସଭାପତି ମନମୋହନ ସାମଲ ଏ ନେଇ ଘୋଷଣା କରିଛନ୍ତି । ଡ. ଜେନା ଗତ ଦୀର୍ଘ ବର୍ଷ ଧରି କେନ୍ଦ୍ରାପଡ଼ା ଜିଲାରେ ମହିଳା ସଂଗଠନକୁ ସୁଦୃଢ କରି ଆସୁଛନ୍ତି । ତାଙ୍କ କାର୍ଯ୍ୟଦକ୍ଷତାରେ ସନ୍ତୋଷ ପ୍ରକାଶ କରି ରାଜ୍ୟ ସଭାପତି ତାଙ୍କୁ ଏହି ପଦରେ ନିଯୁକ୍ତି ଦେଇଛନ୍ତି । ଗତ ୨୦୨୪ ସାଧାରଣ ନିର୍ବାଚନରେ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପାଇଁ ମହିଳା ଭୋଟ ବ୍ୟାଙ୍କ ବୃଦ୍ଧି କରିବାରେ ଡ. ଜେନା ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । କାରଣ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ର ବିଜେଡିର ଗଡ଼ ଥିବା ବେଳେ ସେହି ଗଡ଼କୁ ଭାଙ୍ଗିବାରେ ସେ ପ୍ରମୁଖ ଭୂମିକା ନେଇଥିଲେ ।

ସାଂସଦ ଶ୍ରୀ ପଣ୍ଡା ଏନେଇ ତାଙ୍କୁ ପ୍ରଶଂସା କରିଥିଲେ । ସେ ୮ ନଂ. ଜୋନରେ ଜିଲା ପରିଷଦ ସଦସ୍ୟା ଥିଲେ । ଏହାସହ ସେ ବିଜେଡିରେ ଥିବା ବେଳେ ବିଭିନ୍ନ ଜିଲାର ପ୍ରଭାରୀ ଭାବେ ନିଯୁକ୍ତି ପାଇ ସଫଳତାର ସହ କାର୍ଯ୍ୟ କରିଥିଲେ । ଏବେ ସେ କେନ୍ଦ୍ରାପଡ଼ା ଦିଶା( ଡିଷ୍ଟ୍ରିକ୍ଟ ଡେଭେଲପମେଂଟ କୋଅର୍ଡିନେସନ ଆଣ୍ଡ ମନିଟରିଂ କମିଟି)ର ସଦସ୍ୟା ଅଛନ୍ତି । ଏହାସହ ସେ ମାନବାଧିକାର ପରିଷଦର ରାଜ୍ୟ ସଂପାଦିକା ଓ ଲାୟନ୍ସ କ୍ଲବର ଆଜୀବନ ସଦସ୍ୟା ଅଛନ୍ତି । ସେ ପୂର୍ବରୁ କେନ୍ଦ୍ରାପଡ଼ା ଜିଲା ଯୋଜନା ବୋର୍ଡର ସଦସ୍ୟା ଥିଲେ । ସେ ବିଜେଡିରେ ଥିଲା ବେଳେ ଦଳୀୟ ସଂଗଠନକୁ ସୁଦୃୃଢ କରିଥିଲେ । ତାଙ୍କ ନାମ ଜିଲା ସଭାପତି ପାଇଁ ବହୁବାର ଯାଇଥିଲେ ମଧ୍ୟ ବିଜେଡିର କିଛି କୁଚକ୍ରୀ ନେତା ତାଙ୍କ ନାମକୁ କାଟି ଦେଉଥିଲେ । ତେଣୁ ବିଜେଡିରୁ ନିର୍ଯ୍ୟାତିତ ହୋଇ ସେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିରେ ଯୋଗ ଦେଇଥିଲେ । ବିପେଜିରେ ମାତ୍ର ଅଢେଇ ବର୍ଷ କାର୍ଯ୍ୟ କରିବା ପରେ ତାଙ୍କ ସାଂଗଠନିକ ଦକ୍ଷତାକୁ ବିଜେପି ନେତାମାନେ ଅନୁଶୀଳନ କରିଥିଲେ ।

ଫଳରେ ତାଙ୍କୁ ଜିଲା ସଭାନେତ୍ରୀ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ପଦବୀ ପ୍ରଦାନ କରାଯାଇଛି । ଏହି ଅବସରରେ ଡ. ଜେନା କହିଛନ୍ତି ୨୦ ବର୍ଷ ଧରି ଗୋଟେ ଦଳ ପାଇଁ କାର୍ଯ୍ୟ କଲି । କିନ୍ତୁ ସେ ଦଳ ମୋର ଦକ୍ଷତା ଜାଣି ମଧ୍ୟ କୁଚକ୍ରୀ ଗୋଷ୍ଠୀଙ୍କ ସୁପାରିଶରେ ମୋତେ ହତାଦର କଲା । ହେଲେ ଏକ ଜାତୀୟ ଦଳରେ ମାତ୍ର ଅଢେଇ ବର୍ଷ ଦକ୍ଷତାର ସହ କାର୍ଯ୍ୟ କରିଲି ଓ ସେହି ଦଳର ନେତାମାନେ ମୋର ଦକ୍ଷତାକୁ ମୋହର ମାରିଲେ । ଏହାଦ୍ୱାରା ମୁଁ ଅତ୍ୟନ୍ତ ଖୁସି ବୋଲି ଡ. ଜେନା କହିଛନ୍ତି । ଶ୍ରୀମତୀ ଜେନାଙ୍କୁ ଏହି ପଦବୀ ମିଳବା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ।

ଏହି ଅବସରରେ ସାଂସଦ ଶ୍ରୀ ପଣ୍ଡା, ରାଜ୍ୟ ବିଜେପି ସଭାପତି ଶ୍ରୀ ସାମଲ, ରାଜ୍ୟ ସାଂଗଠନିକ ସଂପାଦକ ମାନସ କୁମାର ମହାନ୍ତି, ରାଜ୍ୟ ମହିଳା ସଭାନେତ୍ରୀ ଡ. ଐଶ୍ୱର୍ଯ୍ୟା ବିଶ୍ୱାଳ, ଜିଲା ସଭାପତି ଶଶାଙ୍କ ଶେଖର ସେଠୀ, ମହାକାଳପଡ଼ା ବିଧାୟକ ତଥା ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଡ. ଦୁର୍ଗା ପ୍ରସନ୍ନ ନାୟକ, କେନ୍ଦ୍ରାପଡ଼ା ବିଧାୟକ ପ୍ରାର୍ଥୀ ଗୀତାଞ୍ଜଳୀ ସେଠୀ, ଆଳିର ବିଧାୟକ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପଣ୍ଡା, ପାଟକୁରା ବିଧାୟକ ପ୍ରାର୍ଥୀ ତଥା ଦଳର ମୁଖପାତ୍ର ତେଜେଶ୍ୱର ପରିଡ଼ା, ରାଜନଗରର ବିଧାୟକ ପ୍ରାର୍ଥୀ ଲଳିତ ବେହେରା, ପୂର୍ବତନ ଜିଲା ସଭାପତି କିଶୋର ଚନ୍ଦ୍ର ପଣ୍ଡା, ପୂର୍ବତନ ଜିଲା ସଭାପତି ଦୁର୍ଯୋଧନ ସାହୁ, ସୁନାକର ବେହେରା ଓ ଦଳର ସମସ୍ତ ଦେବଦୁର୍ଲଭ ବରିଷ୍ଠ ଓ କନିଷ୍ଠ କାର୍ଯ୍ୟକର୍ତାଙ୍କୁ ସେ କୃତଜ୍ଞତା ଜ୍ଞାପନ କରିଛନ୍ତି । ସର୍ବପରି କେନ୍ଦ୍ରାପଡ଼ା ଜିଲାବାସୀଙ୍କ ଆଶୀର୍ବାଦରୁ ମୋତେ ଆଜି ଏତେବଡ଼ ଦାୟିତ୍ୱ ମିଳିଥିବାରୁ ମୁଁ ସମସ୍ତଙ୍କ ନିକଟରେ କୃତଜ୍ଞ ବୋଲି ଡ. ଜେନା ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *