କଟକ ସଦର,୦୯/୦୫/୨୦୨୬ (ଓଡ଼ିଶା ସମାଚାର/ ବିଷ୍ଣୁ ବେହେରା): କଟକରେ ରାଜନୈତିକ ପାଣିପାଗ ଦିନକୁ ଦିନ ପରିବର୍ତ୍ତନ ହେଉଥିବାବେଳେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। କଟକ ସଦରରୁ ହାରିବା ପରେ ଆଜକୁ ଦୁଇବର୍ଷ ହେଲା ବିଜେଡ଼ି ସଂଗଠନ ଠାରୁ ଏକପ୍ରକାର ମୁହଁ ଫେରାଇ ନେଇଥିବା ପୂର୍ବତନ ବିଧାୟକ ଚନ୍ଦ୍ର ସାରଥି ବେହେରାଙ୍କୁ ଏବେ ରାଜ୍ୟ ସଂଗଠନ ରେ ଶତାଧିକ ନେତାଙ୍କ ସହିତ ଥଇଥାନ କରାଯାଇଛି।

ଏହି ପରିପ୍ରେକ୍ଷୀରେ ଗତକାଲି ଶୁକ୍ରବାର ଦିନ କଟକ ଦୋଳମୁଣ୍ଡାଇ ଠାରେ ଥିବା ବିଜେଡ଼ି କାର୍ଯ୍ୟାଳୟରେ ଅନ୍ୟ ନଵ ନିଯୁକ୍ତ ଥଇଥାନ ନେତାଙ୍କ ସହିତ ଚନ୍ଦ୍ର ସାରଥି ଙ୍କୁ ଜିଲ୍ଲା ବିଜେଡ଼ି ସଭାପତି ପ୍ରଫୁଲ୍ଲ ସିଂହ ସମ୍ବର୍ଦ୍ଧିତ କରିଥିବା ଜଣାପଡିଛି। ଅନ୍ୟପକ୍ଷରେ କଟକର ଜଣାଶୁଣା ବରିଷ୍ଠ ବିଜେଡି ନେତା ମହମ୍ମଦ ଫିରୁଯୁ ରେହମାନ(ବଣ୍ଟି) ତାଙ୍କର ଶତାଧିକ ସହଯୋଗୀ ଙ୍କୁ ନେଇ କଂଗ୍ରେସରେ ସାମିଲ ହୋଇଥିବା ଜଣାପଡିଛି।
ସେହିପରି କଟକ ନଗର କଂଗ୍ରେସ ପକ୍ଷରୁ ନାରୀ ନ୍ୟାୟ ମଶାଲ ଶୋଭାଯାତ୍ରାରେ ଯୋଗଦେଇ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ଓ ମହିଳା କଂଗ୍ରେସ ସଭାନେତ୍ରୀ ମୀନାକ୍ଷୀ ବାହିନୀପତି କଟକର କଂଗ୍ରେସ ବିଧାୟିକା ସୋଫିଆ ଫିରଦୋସ ଓ ତାଙ୍କ ବାପା ‘ଓଡିଶା ଜନତା କଂଗ୍ରେସ’ସଭାପତି ପୂର୍ବତନ କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ଚେକ୍ ଦେବାକୁ ଉଦ୍ୟମ ଆରମ୍ଭ କରିଛନ୍ତି।

ବରିଷ୍ଠ କଂଗ୍ରେସ ନେତା ତଥା ପ୍ରଦେଶ କଂଗ୍ରେସ ମିଡ଼ିଆ ସେଲରେ କାର୍ଯ୍ୟ କରୁଥିବା ପ୍ରଶାନ୍ତ କିଶୋର ଶତପଥୀ କଂଗ୍ରେସ ଦଳ ଛାଡି ଓଡ଼ିଶା ଜନତା କଂଗ୍ରେସରେ ଯୋଗଦାନ କରିଛନ୍ତି। ଆଗକୁ କଟକ ର ରାଜନୈତିକ ପାଣିପାଗ କେଉଁ ଆଡକୁ ଯାଉଛି ତାକୁ କେବଳ ଦେଖିବାକୁ ବାକି ରହିଲା।
