ନାବାଳକର ସନ୍ଦେହ ଜନକ ମୃତ୍ୟୁ: ଆମ୍ବ ଗଛରୁ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଠାବ: ହତ୍ୟା ଅଭିଯୋଗ ଆଣିଲେ ପରିବାରବର୍ଗ

ବାଲିଗୁଡ଼ା,୧୩/୦୩/୨୪:(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):  କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ଥାନା ଶ୍ରୀରାମପୁର ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ୧୨ ବର୍ଷର ନାବାଳକର ସନ୍ଦେହ ଜନକ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଝୁଲନ୍ତା ଅବସ୍ଥାରେ ନାବାଳକର ମୃତ ଦେହ ଗାଁ ନିକଟସ୍ଥ ଏକ ଆମ୍ବ ଗଛରୁ ଠାବ ହୋଇଛି । ସୂଚନା ପ୍ରକାରେ ଶ୍ରୀରାମପୁର ପଞ୍ଚାୟତର ଓଡିଆ ସାହିର ଧ୍ବଜ ପ୍ରଧାନୀଙ୍କ ୧୨ ବର୍ଷର ନାବାଳକ ପୁଅ ଶୁଭମ ପ୍ରଧାନୀ ମଙ୍ଗଳବାର ନିଖୋଜ ଥିଲା । ପରିବାର ଲୋକେ ବହୁତ ଖୋଜାଖୋଜି ପରେ ମଧ୍ୟ ପୁଅର ସନ୍ଧାନ ପାଇନଥିଲେ । ବୁଧବାର ସକାଳେ ଗାଁ ନିକଟସ୍ଥ ଏକ ଆମ୍ବ ଗଛରେ ଶୁଭମର ମୃତଦେହ ଝୁଲୁଥିବା ଅଞ୍ଚଳବାସୀ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପରିବାର ଲୋକେ ପହଁଚି ପୁଅର ଅବସ୍ଥା ଦେଖି କୋଟଗଡ଼ ଥାନା ପୋଲିସକୁ ଖବର ଦେବା ସହ ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି ପରିବାର ଲୋକେ । ଖବରପାଇ କୋଟଗଡ଼ ଥାନା ପୋଲିସ୍ ଘଟଣା ସ୍ଥଳରେ ପହଁଚି ଶବ ଜବତ କରିବା ସହ ବ୍ୟବଛେଦ ନିମନ୍ତେ ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛି । ଅନ୍ୟପଟେ ପରିବାର ଲୋକଙ୍କ ଅଭିଯୋଗକୁ ଭିତ୍ତି କରି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି । ଶବ ବ୍ୟବଚ୍ଛଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ଥାନା ଅଧିକାରୀ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *