ଭିଜିଲାନ୍ସ ଜାଲରେ ଅମିନ
ଜୟପୁର/ବଲାଙ୍ଗୀର,୦୬/୦୫/୨୦୨୬ (ଓଡ଼ିଶା ସମାଚାର)-୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ହେରଫେର ଅଭିଯୋଗରେ ଜୟପୁର ଭିଜିଲାନ୍ସ କୋରାପୁଟ କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ମାଲକାନଗିରି ଶାଖା ପରିଚାଳକ ସୁଧାଂଶୁ ଖରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏନେଇ ଜୟପୁର ଭିଜିଲାନ୍ସ କାର୍ଯ୍ୟାଳୟରେ ଏସପି ରବୀନ୍ଦ୍ର କୁମାର ପଣ୍ଡା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ଭିଜିଲାନ୍ସ ବିଭାଗ ସୂଚନା ଅନୁଯାୟୀ ମାଲକାନଗିରି ଜିଲାର ୫ଟି ଲ୍ୟାମ୍ପ ପ୍ରାଥମିକ ସମବାୟ ସମିତିିର ଚାଷୀମାନେ ନେଇଥିବା ୧ କୋଟି ୮ଲକ୍ଷ ୭୫ହଜାର ଟଙ୍କା କୃଷିଋଣ ଟଙ୍କା ଫେରାଇଥିଲେ । କୋରାପୁଟ କେନ୍ଦ୍ର ସମବାୟ ବ୍ୟାଙ୍କର ମାଲକାନଗିରି ଶାଖା ପରିଚାଳକ ସୁଧାଂଶୁ ଖରା ତାହା ଶାଖାରେ ଜମା ନ କରି ଆତ୍ମସାତ କରିଥିଲେ । ଏହି ଟଙ୍କା କୋରାପୁଟ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ୍ ଶାଖାରେ ଜମା କରିବା ପାଇଁ ଆସିଥିଲା । ଏହି ଟଙ୍କାକୁ ସେ ହଡ଼ପ କରିଥିଲେ । ଏନେଇ ଭିଜିଲାନ୍ସ ବିଭାଗ କୋରାପୁଟ ଭିଜିଲାନ୍ସ ପୁଲିସ ଥାନା ନଂ ୪ ଓ ୫ରେ ଦୁର୍ନୀତି ନିବାରଣ ଆଇନର ଧାରା ୧୩(୨), ୧୩(୧) ବିଏନଏସ୍ ର ଧାରା ୩୧୬(୫), ୩୪୪ରେ ଦୁଇଟି ମାମଲା ରୁଜୁ କରିଛି ।
ଅନ୍ୟ ଏକ ଖବର ଅନୁଯାୟୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ବଲାଙ୍ଗୀର ବେଙ୍ଗାମୁଣ୍ଡା ତହସିଲ ଅଫିସର ଅମିନ ନିର୍ମଳେନ୍ଦୁ କବି । ଗୋଟିଏ ପରିବାରର ଜମି ପାର୍ଟିସନ୍ କରି ନକ୍ସା କରିବାକୁ ଅମିନ ଜଣକ ପନ୍ଦର ହଜାର ଟଙ୍କା ଲାଂଚ ଦାବି କରି ସମ୍ପୃକ୍ତ ହିତାଧିକାରୀ ଠାରୁ ଟଙ୍କା ଗ୍ରହଣ କରିବାବେଳେ ସେ ଭିଜିଲାନ୍ସ ହାତରେ ଧରା ପଡ଼ି ଯାଇଥିଲେ ।
ତାଙ୍କ ଠାରୁ ଟଙ୍କା ଜବତ କରି ଆଇନ ଅନୁସାରେ ସମ୍ବଲପୁର ଥାନା କେସ ନମ୍ବର ୪ ରେ ରୁଜ୍ଜୁ କରାଯାଇଛି ।
