ଚଡେଇରଗଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁ ପୂଜନ ଉତ୍ସବ 

ଭୁବନ,୦୫/୦୯/୨୦୨୬ (ଓଡ଼ିଶା ସମାଚାର)-ଢେ଼ଙ୍କାନାଳ ଜିଲ୍ଲା ର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ କଙ୍କଡ଼ାହାଡ଼ ବ୍ଳକ୍ ଚଡେଇରଗଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡଃ ସର୍ବପଲ୍ଲୀ ରାଧାକୃଷ୍ଣନ ଙ୍କ ଜୟନ୍ତୀ ତଥା ଗୁରୁ ପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ସଭାପତି ମାୟାଧର ଦେହୁରୀ ଅଧ୍ୟକ୍ଷତା କରିଥିଲେ।

ମୁଖ୍ୟ ଅତିଥି ଭାବରେ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରତାପ ଚନ୍ଦ୍ର ମହାନ୍ତ ଯୋଗଦେଇ ଛାତ୍ରଛାତ୍ରୀମାନେ ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଭଲ ମଣିଷ ହେବାକୁ ଉଦ୍ୟମ କରିବାକୁ ପରାମର୍ଶ ଦେଇଥିଲେ। ସମ୍ମାନୀତ ଅତିଥି ଭାବରେ ବରିଷ୍ଠ ନାଗରିକ ମୋଚିରାମ ଜାମୁଦା, ବିଦ୍ୟାଳୟର ପୂର୍ବତନ ସଭାପତି ସାଲମୋହନ କାଣ୍ଡୁଲୁନା ଯୋଗଦାନ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରେମାନନ୍ଦ ପାଣିଗ୍ରାହୀ ଉତ୍ସବକୁ ପରିଚାଳନା କରିଥିବା ବେଳେ ସହକାରୀ ଶିକ୍ଷକ ଅଶୋକ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଛାତ୍ରଛାତ୍ରୀ ଓ ପରିଚାଳନା କମିଟି ସଦସ୍ୟ ଓ ସଦସ୍ୟାମାନେ ମଞ୍ଚାସୀନ ଅତିଥିମାନଙ୍କୁ ଫୁଲ,ଚନ୍ଦନ, ପୁଷ୍ପଗୁଚ୍ଛ, ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଗତ ଅଗଷ୍ଟ ମାସରେ ବିଦ୍ୟାଳୟଟି ପ୍ରାଥମିକରୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଉନ୍ନୀତ ହୋଇଥିବାରୁ ଷଷ୍ଠ ଶ୍ରେଣୀରେ ନାମ ଲେଖାଇଥିବା ନୂତନ ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଚନ୍ଦନୀ ଦେହୁରୀ, ଭାରତୀ ଦେହୁରୀ,ପଙ୍କଜିନୀ ମହାନ୍ତ,ଉମାରାଣୀ ମହାନ୍ତ, ଚନ୍ଦ୍ରାବତୀ ପାତ୍ର, ନିରୂପମା ଦେହୁରୀ, କୁନ୍ତଳା ଦେହୁରୀ,ଜ୍ୟୋସ୍ନାମୟୀ ଦେହୁରୀ ପ୍ରମୁଖ ଉତ୍ସବକୁ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *