ରାଜ୍ୟ ଅବକାରୀ ବିଭାଗର କାର୍ଯ୍ୟାବଳୀ ସମୀକ୍ଷା କଲେ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ

          ଚୋରାମଦ କାରବାର ରୋକିବା ଏବଂ  ବ୍ରାଉନ ସୁଗାର ବ୍ୟବହାରକୁ ପ୍ରତିହତ କରିବା ଉପରେ ଗୁରୁତ୍ୱାରୋପ

ଭୁବନେଶ୍ୱର, ୧୮ /୬/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ରାଜ୍ୟ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଆଜି ବିଭାଗୀୟ ସମୀକ୍ଷା କରିଛନ୍ତି । ଲୋକସେବା ଭବନର ଦ୍ୱିତୀୟ ମହଲା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଶ୍ରୀ ହରିଚନ୍ଦନ ବିଭାଗର ବିଭିନ୍ନ କାର୍ଯ୍ୟଧାରା ଉପରେ ସମୀକ୍ଷା କରିଛନ୍ତି । ପ୍ରାରମ୍ଭରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ସୁଶୀଲ କୁମାର ଲୋହାନୀ ମନ୍ତ୍ରୀଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିବା ସହ ବିଭାଗର ବିଭିନ୍ନ କାର୍ଯ୍ୟଧାରା ସମ୍ପର୍କରେ ଅବଗତ କରାଇଥିଲେ । ବିଭିନ୍ନ ଆର୍ଥିକ ବର୍ଷରେ ବିଭାଗ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଶ୍ରୀ ଲୋହାନୀ ସୂଚନା ପ୍ରଦାନ କରିଥିଲେ । ସେହିଭଳି ଅବକାରୀ କମିଶନର ଶ୍ରୀ ନରସିଂହ ଭୋଳ ଏବଂ ରାଜ୍ୟ ପାନୀୟ ନିଗମ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଅମ୍ବର କୁମାର କର ପ୍ରମୁଖ ମଧ୍ୟ ମନ୍ତ୍ରୀଙ୍କୁ ସ୍ୱାଗତ କରିବା ସହ ବିଭାଗର କାର୍ଯ୍ୟାଧାରା ଓ ରୂପରେଖ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ ।

          ରାଜ୍ୟରେ ଚୋରା ମଦ କାରବାର ରୋକିବା ଏବଂ ବ୍ରାଉନ ସୁଗାର ବ୍ୟବହାରକୁ ପ୍ରତିହତ କରିବା ଦିଗରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବିଭାଗରେ ଅଧିକ ସଂଖ୍ୟକ କର୍ମଚାରୀ ନିୟୋଜନ ଏବଂ ଚଢ଼ଉକୁ ବ୍ୟାପକ କରିବା ଦିଗରେ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବାକୁ ସେ ପରାମର୍ଶ ଦେଇଥିଲେ । ବିଭାଗର କାର୍ଯ୍ୟଧାରାରେ ବୈଷୟିକ ଜ୍ଞାନକୌଶଳର ବ୍ୟାପକ ପ୍ରୟୋଗ, ଅଧିକାରୀମାନଙ୍କ ଦକ୍ଷତା ବୃଦ୍ଧି, ବିଭାଗର ପ୍ରତ୍ୟେକ କ୍ଷେତ୍ରରେ ସ୍ୱଚ୍ଛ ପ୍ରକ୍ରିୟା ଅବଲମ୍ବନ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ରାଜ୍ୟ ପାନୀୟ ନିଗମର ଉତ୍ପାଦଗୁଡ଼ିକର ରକ୍ଷଣାବେକ୍ଷଣ ନିମନ୍ତେ ଅଧିକ ଗୋଦାମର ଆବଶ୍ୟକତା ଥିବା ଜାଣି ଏଥି ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ପାଇଁ ପ୍ରସ୍ତାବ ପ୍ରସ୍ତୁତ କରିବାକୁ ସେ ଏହି ସମୀକ୍ଷା ବୈଠକରେ ନିର୍ଦ୍ଦେଶ ଦେଇଥିଲେ । କର୍ମଚାରୀମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ନିୟମିତ ବ୍ୟବଧାନରେ ପ୍ରଶିକ୍ଷଣର ଆବଶ୍ୟକତା ଥିବା ଦୃଷ୍ଟିରୁ ଏକ ଅବକାରୀ ଏକାଡେମୀ ପ୍ରତିଷ୍ଠା କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।

          ସେହିଭଳି ନିଶାସକ୍ତ ବ୍ୟକ୍ତିମାନଙ୍କୁ ଯେପରି ନିଶାମୁକ୍ତ କରାଯାଇ ସେମାନଙ୍କୁ ଯେପରି ସମାଜର ମୁଖ୍ୟସ୍ରୋତରେ ସାମିଲ କରାଯାଇପାରିବ, ଅନ୍ୟ ବିଭାଗ ସହିତ ସମନ୍ୱୟ ରକ୍ଷାକରି ବିଭାଗର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଦିଗରେ ପଦକ୍ଷେପ ନେବାକୁ ମଧ୍ୟ ନିର୍ଦେଶ ଦେଇଥିଲେ ।

          ଉକ୍ତ ବୈଠକରେ ଅବକାରୀ ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ମେରୀ ଲାକ୍ରା, ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀମତୀ ଅର୍ଚ୍ଚନା ଦାସପଟ୍ଟନାୟକ, ଅର୍ଥ ପରାମର୍ଶଦାତା ଶ୍ରୀ ରମେଶ ଚନ୍ଦ୍ର ଡାକୁଆ, ଅବକାରୀ ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ପାନୀୟ ନିଗମର ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *