ଜିଲ୍ଲା ସ୍ତରୀୟ ପୋଷଣ ମାସ ପାଳନ

ଜଗତସିଂହପୁର, ୩୦/୯/୨୦୨୪ (ଓଡ଼ିଶା ସମାଚାର)- ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ ସଦ୍ଭାବନା ଗୃହ ଠାରେ ଜଗତସିଂହପୁର ଜିଲ୍ଲା ସ୍ତରୀୟ ପୋଷଣ ମାସ ପାଳନ ହୋଇଯାଇଛି। ଜିଲ୍ଲା ସମାଜ ମଙ୍ଗଳ ଅଧକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଉପ ଜିଲ୍ଲାପାଳ ଶ୍ରୀ ବିବୁଧ ଗଡ଼ନାୟକ ଅଧ୍ୟକ୍ଷତା  କରି କହିଥିଲେ ଯେ,ଜିଲ୍ଲାର କୌଣସି ସ୍ଥାନରେ ଯେପରି କୌଣସି ମା କିମ୍ବା ଶିଶୁ କୁ-ପୋଷଣର ଶିକାର ନ ହୁଅନ୍ତୁ ତାହା ହେଉଛି ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ। ଉତ୍ତମ ପୋଷଣ – ସୁସ୍ଥ ଜୀବନ ପ୍ରସଙ୍ଗକୁ ଭିତ୍ତି କରି ଆଜିର ଏହି କାର୍ଯ୍ୟକ୍ରମ। ଅନ୍ୟ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀମତୀ ସୁଜାତା ମିଶ୍ର, ଲ ଅଫିସର ଜଗନ୍ନାଥ ମିଶ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡେପୁଟୀ ମ୍ୟାନେଜର ଶ୍ରୀ ସୁକାନ୍ତ କୁମାର ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀମତୀ ପ୍ରତିଚୀ ତନୟା ମହାନ୍ତି, ରାଧାକୃଷ୍ଣ କ୍ଳବ୍ ସେକ୍ରେଟାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମଲ୍ଲ ଉପସ୍ଥିତ ସମସ୍ତଙ୍କୁ ସୁଷମ ଖାଦ୍ୟ, ସ୍ବାସ୍ଥ୍ୟ ପ୍ରଦ ଜୀବନ ଶୈଳୀ ଏବଂ ସ୍ୱଚ୍ଛ ପରିବେଶ ହିଁ କୁପୋଷଣ କୁ ଦୂର କରି ଏକ ସୁସ୍ଥ ସମାଜ ଗଠନ କରିପାରିବ ବୋଲି କହିଥିଲେ।ସୂଚନା ଥାଉକି ସେପ୍ଟେମ୍ବର ୧ ରୁ ୩୦ ତାରିଖ ପର୍ଯ୍ୟନ୍ତ ପୋଷଣ ମାସ  ପାଳନ କରା ଯାଇଥିଲା । ଏହି କାର୍ଯ୍ୟକ୍ରମ ରେ  ରକ୍ତ ହୀନତା,ଏହାର ପରୀକ୍ଷା, ଚିକିତ୍ସା ବିଷୟରେ ଆଲୋଚନା କରିବା, ଦୈନନ୍ଦିନ ଖାଦ୍ୟରେ ବିବିଧତା ଆଣିବା ପାଇଁ ଆଞ୍ଚଳିକ ତଥା ମିଲେଟ୍ ବା କ୍ଷୁଦ୍ର ଖାଦ୍ୟ ଶସ୍ୟ ସାମିଲ୍ କରିବା,  ଶିଶୁର ଅଭିବୃଦ୍ଧି ନିରୀକ୍ଷଣ କରିବା ସହିତ ଆଦ୍ୟ ଶୈଶବ ଏବଂ ପ୍ରାକ୍ ବିଦ୍ୟାଳୟ ଶିକ୍ଷା ପାଇଁ ଯତ୍ନବାନ୍ ହେବା ଆଦି ବିଷୟରେ ଆଲୋଚନା ହୋଇଥିଲା। ଅତିରିକ୍ତ ଉପ ଜିଲ୍ଲାପାଳ  ଶ୍ରୀ ଗଡ ନାୟକ ପାରିପାର୍ଶ୍ବକ ସୁରକ୍ଷା ପାଇଁ ମାଟି, ପାଣି ଓ ପରିବେଶର ଯତ୍ନ ନେବା, ଆଶା ଓ ଅଙ୍ଗନବାଡି କର୍ମୀ ମାନେ ନିଜର ଦାୟିତ୍ୱ ପ୍ରତି ଯଥେଷ୍ଟ ଯତ୍ନବାନ ହେବାପାଇଁ, ଓ ସୁସ୍ଥ ଜୀବନ ପାଇଁ ସୁଷମ ଖାଦ୍ୟ ଖାଇବା ସହିତ ପରିଷ୍କାର ପରିଚ୍ଛନ୍ନତା ଉପରେ ଗୁରୁତ୍ୱ ଦେବା ଉପରେ ବିଶେଷ ଗୁରୁତ୍ୱ ଦେଇଥିଲେ । ପୋଷଣ ମାସ ପାଇଁ ଜିଲ୍ଲା ରେ ବିଭିନ୍ନ କାର୍ଯ୍ୟକ୍ରମ ର ଟାର୍ଗେଟ ଥିଲା ୧୪୪୦୬୮, କିନ୍ତୁ ଜିଲ୍ଲା ୧୫୨୫୨୭ ନମ୍ବର ସହିତ ୧୦୦ ପ୍ରତିଶତ ରୁ ଅଧିକ ଟାର୍ଗେଟ ହାସଲ କରିଛି। ଏହା ସମସ୍ତ ଅଙ୍ଗନୱାଡି କର୍ମୀ ମାନଙ୍କ ପରିଶ୍ରମ ର ଫଳ ବୋଳି ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ କହିଥିଲେ ଓ ସଭାରେ ସମସ୍ତେ କରତାଳି ସହ ଶୁଭେଚ୍ଛା ଜଣାଇଥିଲେ। ସମସ୍ତ ସି ଡି ପି ଓ ମାନଙ୍କୁ ଅତିରିକ୍ତ ଉପ ଜିଲ୍ଲାପାଳ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ।ଏହି କାର୍ଯ୍ୟକ୍ରମରେ, ଡି  ପି ସି ମିଶନ ଶକ୍ତି,ଜିଲ୍ଲାର ସମସ୍ତ ସିଡିପିଓ, ଅଙ୍ଗନବାଡି ସୁପର୍ ଭାଇଜର ,କର୍ମୀ, ପୋଷଣ ଜିଲ୍ଲା କୋଅର୍ଡିନେଟର, ବ୍ଲକ୍ କୋଅର୍ଡିନେଟର ଙ୍କ ସମତେ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟର ସମସ୍ତ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ। ଏହି ସାଧାରଣ ସଭାରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ବିଷ୍ଣୁପ୍ରିୟା ସେଠୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଡି ପି ସି ମମତା  ଶ୍ରୀମତୀ ତପସ୍ଵିନୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *