ଭୁବନେଶ୍ୱର,୦୩/୦୫/୨୦୨୬(ଓଡ଼ିଶା ସମାଚାର)- ଆସନ୍ତା କାଲି ୪ ତାରିଖରେ ସୁଭଦ୍ରା ଯୋଜନାର ୧,୨୩,୮୪୯ ଜଣ ବଂଚିତ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ସହାୟତା । ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଶନିବାର ଏହି ସୂଚନା ଦେଇଛନ୍ତି । ଏହି ଯୋଜନାରେ ମହିଳାଙ୍କୁ ସ୍ୱାବଲମ୍ୱୀ କରିବା ପାଇଁ ସରକାରଙ୍କ ତରଫରୁ ୫୦ହଜାର ଟଙ୍କାର ସହାୟତା ରାଶି ଦେବାକୁ ଘୋଷଣା କରାଯାଇଥିଲା । ପୂର୍ବରୁ ସୁଭଦ୍ରାର ୪ଟା କିସ୍ତିରେ ମହିଳାଙ୍କ ବ୍ୟାଙ୍କ ଖାତାକୁ ୫୦୦୦ ହଜାର ଲେଖାଏଁ ଦିଆଯାଇଛି । ପୂର୍ବରୁ ସୁଭଦ୍ରାର ନୂତନ ପଞ୍ଜିକରଣ ତାରିଖ ଘୋଷଣା ହୋଇଥିଲା । ଏପ୍ରିଲ୍ ୧ରୁ ଆରମ୍ଭ ହୋଇଥିବା ନୂତନ ପଞ୍ଜିକରଣ ଅବଧି ଏପ୍ରିଲ୍ ୩୦ରେ ଶେଷ ହୋଇଥିଲା ।
ଯେଉଁମାନେ କୌଣସି କାରଣରୁ ଆବେଦନ କରି ନଥିଲେ, ସେମାନେ ଆବେଦନ କରିବା ପାଇଁ ସମୟସୀମା ଦିଆଯାଇଥିଲା । ମାନଦଣ୍ଡ ଅନୁଯାୟୀ, ଏପ୍ରିଲ ୧, ୨୦୨୬ ସୁଦ୍ଧା ୨୧ ବର୍ଷରୁ ୬୦ ବର୍ଷୀୟ ମହିଳା ସୁଭଦ୍ରାରେ ପଞ୍ଜୀକରଣ କରିପାରିବେ । ପୂର୍ବରୁ ଆବେଦନ କରିଥିବା ମହିଳାଙ୍କ ଆବେଦନ ପୁନଃ ଗ୍ରହଣ କରାଯିବ ନାହିଁ । ଯୋଗ୍ୟ ବିବେଚିତ ହିତାଧିକାରୀଙ୍କୁ ୨୦୨୬- ୨୭ ଆର୍ଥôକ ବର୍ଷରୁ ଯୋଜନା ଅବଧି ପର୍ଯ୍ୟନ୍ତ ବାର୍ଷିକ ଦୁଇଟି କିସ୍ତିରେ ମୋଟ ୧୦ ହଜାର ସହାୟତା ପ୍ରଦାନ କରାଯିବ ।
