ପାସ ହାର ୯୫. ୩୩ ପ୍ରତିଶତ
ଛାତ୍ରୀଙ୍କ ପାସ ହାର ୯୬. ୩୭, ଛାତ୍ରଙ୍କ ୯୪. ୨୯ ପ୍ରତିଶତ
ଏ-୧ ଗ୍ରେଡରେ ୨୪୫୬ ପାସ
୩୩୧୦ ହାଇସ୍କୁଲରେ ଶତ ପ୍ରତିଶତ ଫଳାଫଳ
୩ ବିଦ୍ୟାଳୟରେ ପରୀକ୍ଷାଫଳ ଶୂନ
ଗଜପତିରେ ପାସ ହାର ସର୍ବାଧିକ ୯୯. ୩୧ପ୍ରତିଶତ
ମଧ୍ୟମା ଓ ମୁକ୍ତ ବିଦ୍ୟାଳୟର ଫଳ ମଧ୍ୟ ପ୍ରକାଶ
କଟକ, ୦୩/୦୫/୨୦୨୬ (ଓଡ଼ିଶା ସମାଚାର)-ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ ପରୀକ୍ଷାଫଳ ଶନିବାର ଅପରାହ୍ନରେ ପ୍ରକାଶ ପାଇଛି । ପରିଷଦର କାର୍ଯ୍ୟାଳୟ ଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବୋର୍ଡର ସଭାପତି ଶ୍ରୀକାନ୍ତ ତରାଇଙ୍କ ଉପସ୍ଥିତରେ ମାଟ୍ରିକ ପରୀକ୍ଷା ଫଳାଫଳ ଘୋଷଣା କରିଥିଲେ । ଚଳିତ ବର୍ଷ ୫ ଲକ୍ଷ ୩୬ ହଜାର ୩୦୬ ପିଲା ପରୀକ୍ଷା ଦେଇଥିଲେ ।
ଏମାନଙ୍କ ମଧ୍ୟରୁ ୫ ଲକ୍ଷ ୧୯ ହଜାର ୨୫୧ ଛାତ୍ରଛାତ୍ରୀ ପାସ କରିଛନ୍ତି । ଚଳିତ ବର୍ଷ ପାସ ହାର ୯୫. ୩୩ ପ୍ରତିଶତ ରହିଛି । ୮୩୬୪ ଜଣ ପରୀକ୍ଷାରେ ଅନୁପସ୍ଥିତ ଥିଲେ । ୩୩୧୦ଟି ହାଇସ୍କୁଲରେ ଶତ ପ୍ରତିଶତ ରେଜଲ୍ଟ ହୋଇଛି । ୩ଟି ବିଦ୍ୟାଳୟରେ ପରୀକ୍ଷାଫଳ ଶୂନ ହୋଇଛି । ଶୂନ ଫଳ ହୋଇଥିବା ବିଦ୍ୟାଳୟ ମଧ୍ୟରେ କେନ୍ଦ୍ରାପଡ଼ା, ଢେଙ୍କାନାଳ ଓ ପୁରୀ ଜିଲାର ଗୋଟିଏ ଲେଖାଏଁ ସ୍କୁଲ ରହିଛି । ଚଳିତ ବର୍ଷ ଏ-୧ ଗ୍ରେଡ ରେ ୨୪୫୬, ଏ୨ଗ୍ରେଡ୍ ରେ ୧୫୬୮୧, ବି୧ଗ୍ରେଡ୍ ରେ ୪୩୫୬୫, ବି୨-ଗ୍ରେଡ୍ ରେ ୮୬୧୦୩ ସି ଗ୍ରେଡ୍ ରେ ୧୨୯୮୧୩, ଡି- ଗ୍ରେଡ୍ ରେ ୧୪୬୧୫୨, ଇ ଗ୍ରେଡ୍ ରେ ୯୫୪୮୧ ଛାତ୍ରୀଛାତ୍ର ପାସ୍ କରିଛନ୍ତି । ଛାତ୍ରୀଙ୍କ ପାସ ହାର ୯୬. ୩୭ ରହିଥିବା ବେଳେ ଛାତ୍ରଙ୍କ ପାସ ହାର ୯୪. ୨୯ ରହିଛି ।
ଗଜପତି ଜିଲାରେ ପାସ୍ ହାର ସର୍ବାଧିକ ୯୯. ୩୧ପ୍ରତିଶତ ଥିବା ବେଳେ କେନ୍ଦୁଝର ଜିଲାରେ ପାସ୍ ହାର ସର୍ବନିମ୍ନ ୯୪. ୩୩ ପ୍ରତିଶତ ରହିଛି । ମଧ୍ୟମା ଓ ମୁକ୍ତ ବିଦ୍ୟାଳୟର ଫଳ ମଧ୍ୟ ପ୍ରକାଶ ପାଇଛି । ୨୯୮୨ ଜଣ ମଧ୍ୟମା ପରୀକ୍ଷା ଦେଇଥିବା ବେଳେ ୨୯୩୧ ଜଣ ଉତୀର୍ଣ୍ଣ ହୋଇଛନ୍ତି । ପାସ ହାର ରହିଛି ୮୭. ୩ ପ୍ରତିଶତ । ସେହିପରି ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଦେଇଥିବା ୧୦୦୪୩ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୭୪୦୫ ଜଣ କୃତକାର୍ଯ୍ୟ ହୋଇଛନ୍ତି । ପାସ ହାର ରହିଛି ୫୯. ୮୨ ପ୍ରତିଶତ ।
ଚଳିତ ବର୍ଷ ରାଜ୍ୟରେ ଫେବୃଆରୀ ୧୯ରୁ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ହୋଇଥିଲା । ସେହିଭଳି ମାର୍ଚ୍ଚ ୧୯ ତାରିଖରୁ ମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପୁସ୍ତିକା ଉନ୍ମୋଚନ କଲେ । ବିଭାଗୀୟ ସଚିବ ଏନ ତିରୁମାଲା ନାୟକ, ଉପସଭାପତି ଅମୂଲ୍ୟ ପ୍ରଧାନ ଓ ପରୀକ୍ଷା ନିୟନ୍ତ୍ରକ ଧରଣୀଧର ପାତ୍ର ଉପସ୍ଥିତ ଥିଲେ । ଆକୃତକାର୍ଯ୍ୟ ହୋଇଥିବା ବା ଅନୁପସ୍ଥିତ ଥିବା ଛାତ୍ରଛାତ୍ରୀ ସପ୍ଲିମେଂଟାରୀ ପରୀକ୍ଷା ପାଇଁ ଆସନ୍ତା ୮ ତାରିଖରୁ ୧୮ ତାରିଖ ମଧ୍ୟରେ ଫର୍ମ ପୂରଣ କରିପାରିବେ ଓ ଜୁଲାଇ ପ୍ରଥମ ସପ୍ତାହରେ ଏଥିପାଇଁ ପରୀକ୍ଷା ହେବ । ଯେଉଁ ଛାତ୍ରଛାତ୍ରୀ ସେମାନଙ୍କ ପରୀକ୍ଷା ଫଳରେ ଅସନ୍ତୁଷ୍ଟ ଥିବେ ସେମାନେ ରିଆଡିସନ ପାଇଁ ଆସନ୍ତା ସୋମବାରଠାରୁ ଆବେଦନ କରିପାରିବେ । ସେହିପରି ସେମାନେ ସୂଚନା ଅଧିକାର ଆଇନ ବଳରେ ସେମାନଙ୍କ ଉତର ଖାତାର ଜେରକ୍ସ କପି ନେଇ ପାରିବେ ବୋଲି ସଭାପତି ଶ୍ରୀ ତରାଇ ସୂଚନା ଦେଇଛନ୍ତି ।
