ଅନ୍ତର୍ଜାତିକ ଶ୍ରମିକ ଦିବସରେ ଜିଲା ସ୍ତରୀୟ ସମାରୋହ

କେନ୍ଦ୍ରାପଡ଼ା,୦୨/୦୫/୨୦୨୬ (ଓଡ଼ିଶା ସମାଚାର)- ଅନ୍ତର୍ଜାତିକ ଶ୍ରମିକ ଦିବସ ଅବସରରେ କେନ୍ଦ୍ରାପଡା ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲା ଶ୍ରମ କାର୍ଯ୍ୟାଳୟ ଓ ଜିଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଏକ ଜିଲା ସ୍ତରୀୟ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଅତିରିକ୍ତ ଜିଲାପାଳ ରବିନ୍ଦ୍ର କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମହାକାଳପଡା ବିଧାୟକ ଡ. ଦୁର୍ଗା ପ୍ରସନ୍ନ ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ସମାରୋହର ଉଦଘାଟନ ପୂର୍ବକ କହିଥିଲେ ଯେ ଆଜିର ବିଶ୍ୱକର୍ମାମାନେ ହେଉଛନ୍ତି ନିର୍ମାଣ ଶ୍ରମିକ । ଆଜିର ଦିବସଟି ସେହିମାନଙ୍କ କଲ୍ୟାଣ ପାଇଁ ଉତ୍ସର୍ଗିକୃତ । ଶ୍ରମିକମାନଙ୍କ ବିନା ବିକଶିତ ରାଷ୍ଟ୍ର ଗଠନ ସମ୍ଭବ ନୁହେଁ । ନିର୍ମାଣ ଶ୍ରମିକ ଓ ଅଣସଂଗଠିତ ଶ୍ରମିକମାନଙ୍କ କଲ୍ୟାଣ ନିମନ୍ତେ ସରକାର ପ୍ରଣୟନ କରିଥିବା ବିଭିନ୍ନ ଯୋଜନା ଗୁଡିକ ସମ୍ପର୍କରେ ବିଭାଗ ପକ୍ଷରୁ ଜନସଚେତନତା କରାଯିବା ଆବଶ୍ୟକ ବୋଲି ମୁଖ୍ୟଅତିଥି ମତବ୍ୟକ୍ତ କରିଥିଲେ ।

ସମସ୍ତେ ମିଳିମିଶି ଏକ ଶୋଷଣମୁକ୍ତ ସମାଜ ଗଠନ କରିବାକୁ ବିଧାୟକ ଡ. ନାୟକ ଆହ୍ୱାନ ଦେଇଥିଲେ । ବିଶିଷ୍ଟ ଅତିଥି ଭାବେ ଜିଲା ପରିଷଦ ସଭାପତି ସୁଶ୍ରୀ ଲିଲିତା ଦାସ ଯୋଗଦେଇ କହିଲେ ଯେଉଁ ଶ୍ରମିକମାନଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ଆମେ ଆଜି ଏହି ଶୀତତାପ ନିୟନ୍ତ୍ରିତ ଗୃହରେ ଆରାମରେ ବସିପାରିଛେ ସେମାନଙ୍କ କଲ୍ୟାଣ ନିମନ୍ତେ ସରକାରଙ୍କ ଯୋଜନା ଗୁଡିକର ସଫଳ ରୂପାୟନ ହେବା ଆବଶ୍ୟକ । ପଞ୍ଜିକୃତ ଶ୍ରମିକଟିକୁ ତା’ର ଝିଅ ବାହାଘର, ଶିକ୍ଷା ସହାୟତା ଓ ମୃତୁ୍ୟକାଳୀନ ସହାୟତା ପ୍ରଭୃତି ସଠିକ ସମୟରେ ପ୍ରଦାନ କରାଯାଉ ବୋଲି ସୁଶ୍ରୀ ଦାସ ମତବ୍ୟକ୍ତ କରିଥିଲେ । ଅତିରିକ୍ତ ଜିଲାପାଳ ଶ୍ରୀ ମଲ୍ଲିକ କହିଲେ ସେହି ଶ୍ରମିକମାନଙ୍କ କଠିନ ପରିଶ୍ରମ ଯୋଗୁଁ ଆମେ କୋଠାଘରେ ନିର୍ବିଘ୍ନରେ ବସିପାରୁଛେ ।

ତେଣୁ ସେମାନଙ୍କ କଲ୍ୟାଣ ପାଇଁ ସଠିକ ସମୟରେ ଉଚିତ ପଦକ୍ଷେପ ନିଆଯାଉ ବୋଲି ବକ୍ତବ୍ୟ ରଖିଥିଲେ । ଜିଲା ପରିଷଦ ସଭ୍ୟ ରଶ୍ମୀରଞ୍ଜନ ରାଉତ ଓ ସିଟୁର ଶ୍ରମିକ ନେତା ଜଗତଜୀବନ ଦାଶ ପ୍ରମୁଖ ଶ୍ରମିକମାନଙ୍କ କଲ୍ୟାଣ ପାଇଁ ବିଭାଗ ତତ୍ପର ହେବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ପଞ୍ଜିକୃତ ଶ୍ରମିକ ଓ ତାଙ୍କ ପରିବାରକୁ ବିବାହ ସହାୟତା ୫୦ହଜାର,ମୃତୁ୍ୟକାଳୀନ ସହାୟତା ୩୦ଜଣଙ୍କୁ ୮୪ଲକ୍ଷ, ଶିକ୍ଷା ସହାୟତା ୯୭ଜଣଙ୍କୁ ୧୨ଲକ୍ଷ ୩୯ହଜାର, ପ୍ରସୁତି ସହାୟତା ୩୦ଜଣଙ୍କୁ ୩ଲକ୍ଷ, ଅନ୍ତ୍ୟେଷ୍ଟିକାଳୀନ ସହାୟତା ୨୬ଜଣଙ୍କୁ ଏକଲକ୍ଷ ୩୦ହଜାର ଏହିଭଳି ମୋଟ ୧୮୪ଜଣ ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କୁ ଏକ କୋଟି ଏକଲକ୍ଷ ୧୯ହଜାର ଟଙ୍କାର ସହାୟତା ପ୍ରଦାନ କରାଗଲା ।

ଏତଦବ୍ୟତିତ ୨ଶହଜଣ ନୂତନ ପଞ୍ଜିକୃତ ନିର୍ମାଣ ଶ୍ରମିକ ଓ ୨୦ଜଣ ଅଣସଂଗଠିତ ଶ୍ରମିକମାନଙ୍କୁ ପଞ୍ଜିକୃତ ପରିଚୟପତ୍ର ପ୍ରଦାନ କରାଯାଇଥିଲା । ଜିଲା ଶ୍ରମ ଅଧିକାରୀ ଅନନ୍ତ ପଦ୍ମନାଭ ମହାମାନସିଂ କାର୍ଯ୍ୟକ୍ରମର ସଂଯୋଜନା କରିବା ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସହକାରୀ ଶ୍ରମ ଅଧିକାରୀ ଅଶୋକ କୁମାର ମୁର୍ମୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସହକାରୀ ଶ୍ରମ ଅଧିକାରୀ କନିଷ୍କ ନାରାୟଣ, ଏସଡି କିରଣ କୁମାର, ଜ୍ୟୋତିରଞ୍ଜନ ପରିଡା ଓ ଆଶୁତୋଷ ପଟେଲ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *