ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତ

(ଓଡ଼ିଶା ଉଦ୍ୟୋଗୀ ପରିବାର ପକ୍ଷରୁ ଶ୍ରଦ୍ଧାଞ୍ଜଳି ଓ ପ୍ରେରଣାମୂଳକ ଆହ୍ୱାନ)

ଭୁବନେଶ୍ୱର,୨୮/୦୪/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୯ ତମ ଜୟନ୍ତୀ ଅବସରରେ ଓଡ଼ିଶା ଉଦ୍ୟୋଗୀ ପରିବାର ପକ୍ଷରୁ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ସ୍ମୃତିଚାରଣ କରାଯାଇଥଲା । ଓଡ଼ିଶାର ଉଦ୍ୟୋଗ ଜଗତ ପାଇଁ ମଧୁବାବୁଙ୍କ ଅବଦାନ ଓ ଦୃଷ୍ଟିକୋଣ ଉପରେ ଆଲୋକପାତ କରି ଓଡ଼ିଶା ଉଦ୍ୟୋଗ ପରିବାରର ପ୍ରତିଷ୍ଠାତା ତଥା ଉଦ୍ୟୋଗୀ ଶିବ ନାରାୟଣ ମିଶ୍ର ତାଙ୍କ ଅଭିଭାଷଣ ରଖି କହିଥିଲେ ଯେ, ମଧୁସୂଦନ ଦାସ ଓଡ଼ିଆ ଜାତିକୁ ଆତ୍ମନିର୍ଭର ଓ ଉଦ୍ୟୋଗମୁଖୀ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ।

ଏହା ସହିତ ପ୍ରଥମ ଓଡ଼ିଆ ବାରିଷ୍ଟର, ଅଧିବକ୍ତା ସହିତ ଓଡ଼ିଆ ଭାଷା, ସାହିତ୍ୟ, ଶିଳ୍ପ ବିଶେଷ କରି ଉତ୍କଳ ଟ୍ୟାନେରୀ ନାମରେ ଏକ ଜୋତା କାରଖାନା ସ୍ଥାପନା କରି ସେ ସ୍ଥାନୀୟ ଯୁବକମାନଙ୍କୁ ଉଦ୍ୟୋଗୀ ହେବାକୁ ପ୍ରେରିତ କରିଥିଲେ ଓ ଆର୍ଥିକ ସ୍ୱାଧୀନତାର ପଥ ଦେଖାଇଥିଲେ, ତାଙ୍କର ସେ ଉଦ୍ୟମକୁ ସାକାର କରିବା ପାଇଁ ଓଡିଶା ଉଦ୍ୟୋଗୀ ପରିବାର ଘରେ ଘରେ ଉଦ୍ୟୋଗୀ ସୃଷ୍ଟି କରିବା ପାଇଁ ପ୍ରୟାସ ଜାରି ରଖିଛି ।  ସଂଗଠନର ବରିଷ୍ଠ ଉପଦେଷ୍ଟା ଭୂପେନ୍ଦ୍ର ପ୍ରତାପ ସିଂହ ମଧୁସୂଦନ ଦାସଙ୍କୁ ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଇ କହିଥିଲେ ଯେ, ତାଙ୍କର ଜୀବନ ଓ କାର୍ଯ୍ୟ ଆମ ସମସ୍ତଙ୍କ ପାଇଁ ପ୍ରେରଣା ଓ ଆଦର୍ଶ।

ଓଡ଼ିଶା ଉଦ୍ୟୋଗୀ ପରିବାରର ଉପଦେଷ୍ଟା ଡ ସୁନୀତି ମୁଣ୍ଡ ଯୋଗ ଦେଇ ମଧୁବାବୁଙ୍କ କାଳଜୟୀ ବ୍ୟକ୍ତିତ୍ୱ ସହ ଏକ ସମୃଦ୍ଧ ଓଡ଼ିଶା ଗଠନରେ ତାଙ୍କ ପ୍ରୟାସର ସ୍ମୃତି ଚାରଣ କରି କହିଥିଲେ ଯେ ଓଡ଼ିଶାବାସୀମାନେ ତାଙ୍କ ଦେଖାଇଥିବା ପଥରେ ଚାଲି ଉଦ୍ୟୋଗ, ରାଷ୍ଟ୍ରଚେତନା ଓ ଆତ୍ମନିର୍ଭରତାକୁ ପ୍ରାଧାନ୍ୟ ଦେବା ଆବଶ୍ୟକ। ଓଡ଼ିଶା ଉଦ୍ୟୋଗୀ ପରିବାର ଉଦ୍ୟୋଗୀମାନଙ୍କ ସୁରକ୍ଷା, ସମ୍ମାନ ଓ ସମୃଦ୍ଧି ପାଇଁ ସତତ ଚେଷ୍ଟିତ ଯାହା ଓଡ଼ିଆ ଉଦ୍ୟୋଗୀଙ୍କୁ ସଶକ୍ତ କରିବା ସହ ମଧୁବାବୁଙ୍କ ସ୍ୱପ୍ନର ଓଡ଼ିଶା ନିର୍ମାଣରେ ସହାୟକ ହେବ ।

ସଙ୍ଗଠନର ସକ୍ରିୟ ସଦସ୍ୟ ବିଜୟ କୁମାର ସାହୁ କୁଳବୃଦ୍ଧ ମଧୁସୂଦନଙ୍କ ଓଡ଼ିଶା ଉଦ୍ୟୋଗ ଜଗତକୁ ଅବଦାନ ଅତୁଳନୀୟ ବୋଲି କହିଥିଲେ।

ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଉଦ୍ୟୋଗୀ ପରିବାରର ସଦସ୍ୟ ମନୋରଞ୍ଜନ ବାରିକ, ଶୀତାଂଶୁ ଶେଖର ମହାରଣା, ବିଷ୍ଣୁ ମହାରଣା ଓ ଦୀନବନ୍ଧୁ ଷଡ଼ଙ୍ଗୀ ପ୍ରମୁଖ ଯୋଗ ଦେଇଥିଲେ ଓ ସମସ୍ତେ ମିଶି ଉତ୍କଳ ଗୌରବଙ୍କ ଆଦର୍ଶକୁ ପାଥେୟ କରି ଓଡ଼ିଶାର ଉଦ୍ୟୋଗ ବାତାବରଣକୁ ଆହୁରି ସୁଦୃଢ କରିବାର ସଙ୍କଳ୍ପ ନେଇଥିଲେ।

Leave a Reply

Your email address will not be published. Required fields are marked *