— ବିଭିନ୍ନ କଲ୍ୟାଣକାରୀ ଯୋଜନାରେ ୫୪୦ ଜଣ ହିତାଧିକାରୀ ଶ୍ରମିକଙ୍କୁ ଦିଆଗଲା ୨ କୋଟି ୯୭ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ସହାୟତା ରାଶି
— ୨୦୫ ଜଣ ନିର୍ମାଣ ଶ୍ରମିକ ଓ ଅଣସଙ୍ଗଠିତ ଶ୍ରମିକଙ୍କୁ ପରିଚୟ ପତ୍ର ପ୍ରଦାନ
— ସମାଜରେ ଶ୍ରମିକଙ୍କ ସ୍ଥାନ ଶ୍ରେଷ୍ଠରେ ରହିଛି: ମନ୍ତ୍ରୀ ପ୍ରଦୀପ ବଳସାମନ୍ତ
ଯାଜପୁର,୦୧/୦୫/୨୦୨୬ (ଓଡ଼ିଶା ସମାଚାର)- ଜିଲ୍ଲା ପ୍ରଶାସନ ଏବଂ ଶ୍ରମ ବିଭାଗ ପକ୍ଷରୁ ବ୍ୟାସନଗର ସ୍ଥିତ ଟାଉନ ହଲଠାରେ ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ଶ୍ରମିକ ଦିବସ ସମାରୋହ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡିଶା ସରକାରଙ୍କ ସମବାୟ, ହସ୍ତତନ୍ତ ଏବଂ ବୟନ ବିଭାଗ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଯୋଗ ଦେଇ ସମାରୋହକୁ ଉଦଘାଟନ କରିଥିଲେ । ସେହିପରି ସମ୍ମାନିତ ଅତିଥି ଭାବେ କୋରେଇ ବିଧାୟକ ଆକାଶ ଦାସ ନାୟକ, ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଟିର ନାଏକ, ଯୁଗ୍ମ ଶ୍ରମ ଆୟୁକ୍ତ ଶିବ ଶଙ୍କର ମିଶ୍ର, ପ୍ରଭାଗୀୟ ଶ୍ରମ ଆୟୁକ୍ତ ସତ୍ୟନାରାୟଣ ଆଚାର୍ଯ୍ୟ ଯୋଗ ଦେଇଥିଲେ। ଜିଲ୍ଲା ଶ୍ରମ ଅଧିକାରୀ ଦେବାଶିଷ ଜେନା ସ୍ଵାଗତ ବକ୍ତବ୍ୟ ଦେଇଥିଲେ।

ଶ୍ରମିକ ଦିବସ ପାଳନ ଅବସରରେ ବିଭିନ୍ନ କଲ୍ଯାଣ ମୂଳକ ଯୋଜନାରେ ଓଡିଶା କୋଠାବାଡି ଓ ଅନ୍ଯାନ୍ଯ ନିର୍ମାଣ ଶ୍ରମିକ କଲ୍ଯାଣ ବୋର୍ଡ, ଓଡିଶା ଅଣସଙ୍ଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ଅଧୀନରେ ୫୪୦ ଜଣ ହିତାଧିକାରୀ ଶ୍ରମିକଙ୍କୁ ମୋଟ ୨,୯୭,୬୩,୮୦୦ ଟଙ୍କା ସହାୟତା ରାଶି ସେମାନଙ୍କର ଜମା ଖାତାକୁ ପ୍ରଦାନ କରାଯାଇଛି। ଏଥିରେ ଶିକ୍ଷା ସହାୟତା, ବିବାହ, ମାତୃତ୍ୱ, ମୃତ୍ୟୁ, ଅନ୍ତେଷ୍ଟି କ୍ରିୟା ସହାୟତା ଆଦି ଅନ୍ତର୍ଭୁକ୍ତ। ଏହାସହ ୨୦୫ ଜଣ ନିର୍ମାଣ ଶ୍ରମିକ ଓ ଅଣସଙ୍ଗଠିତ ଶ୍ରମିକଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା। ମନ୍ତ୍ରୀ ଶ୍ରୀ ବଳସାମନ୍ତ ସମାଜରେ ଶ୍ରମିକମାନଙ୍କ ଶ୍ରେଷ୍ଠ ସ୍ଥାନ ରହିଛି ବୋଲି ମତ ରଖିବା ସହିତ ବର୍ତ୍ତମାନ ରାଜ୍ୟ ସରକାର ନେଇଥିବା ବିଭିନ୍ନ ଉନ୍ନତି ମୂଳକ ଯୋଜନା ସମ୍ପର୍କରେ ବିବରଣୀ ପ୍ରଦାନ କରିଥିଲେ।
ବିଧାୟକ ଶ୍ରୀ ନାୟକ ଅଣସଙ୍ଗଠିତ ଶ୍ରମିକଙ୍କର ପଞ୍ଜୀକରଣ ତଥା ନିର୍ମାଣ ଶ୍ରମିକଙ୍କ ଭଳି ବିଭିନ୍ନ ଯୋଜନାକୁ କାର୍ଯ୍ୟକାରୀ କରିବା ନିମନ୍ତେ ସରକାରଙ୍କୁ ଜଣାଇବେ ବୋଲି କହିବା ସହ କିପରି ସମସ୍ତ ଶ୍ରମିକ ଶ୍ରେଣୀ ଏହି ଯୋଜନାର ଲାଭ ଉଠାଇପାରିବେ ସେ ସମ୍ବନ୍ଧରେ ମତବ୍ୟକ୍ତ କରିଥିଲେ। ଯୁଗ୍ମ ଶ୍ରମ ଆୟୁକ୍ତ ଶ୍ରୀ ମିଶ୍ର ଶ୍ରମିକମାନଙ୍କ ନିମନ୍ତେ ଉଦ୍ଧିଷ୍ଟ ବିଭିନ୍ନ ଶ୍ରମ ଆଇନରେ ଥିବା ବିଧି ବ୍ୟବସ୍ତା ସମ୍ପର୍କରେ ସଚେତନ କରାଇଥିଲେ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାଏକ ଶିଶୁ ଶ୍ରମିକ, ସମାନ ମଜୁରି ଆଇନ, ଗୋତି ଶ୍ରମିକ, କାର୍ଯ୍ୟ କ୍ଷେତ୍ରରେ ମହିଳାଙ୍କର ସୁରକ୍ଷାର କିପରି ସୁବନ୍ଦୋବସ୍ତ କରାଯାଇପାରିବ ସେ ସମ୍ବନ୍ଧରେ ବକ୍ତବ୍ୟ ଦେଇଥିଲେ।

ପ୍ରଭାଗୀୟ ଶ୍ରମ ଆୟୁକ୍ତ ଶ୍ରୀ ଆଚାର୍ଯ୍ୟ କିପରି ଶ୍ରମିକର ଶିଶୁ ଶିକ୍ଷାରୁ ବଞ୍ଚିତ ନ ହେବ ଓ କୌଣସି ଶ୍ରମିକର ଝିଅ ବାଲ୍ୟ ବିବାହ ନକରି ପଞ୍ଜୀକୃତ ହୋଇ ବୋର୍ଡ ମାଧ୍ୟମରେ ଆର୍ଥିକ ସହାୟତା ପାଇବ, ସେ ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ। ସଭା ଶେଷରେ ସହକାରୀ ଶ୍ରମ ଅଧିକାରୀ ସୁଶ୍ରୀ ସଂଗୀତା ସ୍ଵାଇଁ ଶ୍ରମିକ ଦିବସ ଉପଲକ୍ଷେ ଏକ ସ୍ଵରଚିତ କବିତା ପାଠ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମାରୋହରେ ଜିଲ୍ଲାର ସମସ୍ତ ସହକାରୀ ଶ୍ରମ ଅଧିକାରୀ, ବିଭିନ୍ନ ବିଭାଗୀୟ ଅଧିକାରୀ, ସମାଜ ସେବୀ ଏବଂ ପ୍ରାୟ ୭୦୦ରୁ ଉର୍ଦ୍ଧ୍ବ ଶ୍ରମିକ ଉପସ୍ଥିତ ଥିଲେ। ସହକାରୀ ଶ୍ରମ ଅଧିକାରୀ ରଚନା ସେଠୀ ଓ ଅଭିରାମ ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ ।

