ଭୁବନେଶ୍ୱର,୦୫/୧୧/୨୦୨୬ (ଓଡ଼ିଶା ସମାଚାର)- ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ଼ ପକ୍ଷରୁ ଏକ ୫ଜଣିଆ ପ୍ରତିନିଧି ଦଳ ରାଜଭବନରେ ଓଡ଼ିଶାର ନୂତନ ରାଜ୍ୟପାଳ ବ୍ରଜମୋହନ ରାମଙ୍କୁ ସାକ୍ଷାତ୍ କରିଥିଲେ । ରାଜ୍ୟରେ ସାମ୍ବାଦିକମାନଙ୍କର ବୃତିଗତ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ସମ୍ପର୍କରେ ତାଙ୍କ ସହ ଆଲୋଚନା କରିଥିଲେ । ମୁଖ୍ୟତଃ ଓଡ଼ିଶାର ସାମ୍ବାଦିକ ମାନଙ୍କୁ ପେନସନ୍ ଦେବା ବିଷୟରେ ଆଲୋଚନା ହୋଇଥିଲା ।
ଦେଶର ପ୍ରାୟ ୨୧ଟି ରାଜ୍ୟରେ ସେଠାକାର ରାଜ୍ୟ ସରକାର ମାନଙ୍କ ପକ୍ଷରୁ ସାମ୍ବାଦିକ ମାନଙ୍କୁ ପେନସନ ଦେବା ନିଷ୍ପତି କାର୍ଯ୍ୟକାରୀ ହେଉଥିବା ବେଳେ ଓଡ଼ିଶାରେ ସାମ୍ବାଦିକମାନେ ସେଥିରୁ ବଂଚିତ ହେଉଛନ୍ତି । ଓଡ଼ିଶା ସରକାର ଖୁବ୍ ଶୀଘ୍ର ସାମ୍ବାଦିକମାନଙ୍କୁ ପେନସନ ଦେବା ସମ୍ପର୍କରେ ନିଷ୍ପତି ନେବା ପାଇଁ ପ୍ରତିନିଧି ଦଳ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ରାଜ୍ୟପାଳ ଶ୍ରୀ ରାମ ସାମ୍ବାଦିକମାନଙ୍କୁ ପେନସନ ଦେବା ସମେତ ଅନ୍ୟାନ୍ୟ ବୃତିଗତ ସମସ୍ୟା ସମ୍ପର୍କରେ ଧୈର୍ଯ୍ୟର ସହ ଶୁଣିଥିଲେ ।
ଓଡ଼ିଶାରେ ସାମ୍ବାଦିକମାନଙ୍କୁ ପେନସନ ଦିଆଯାଉନଥିବା ଜାଣି ସେ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ । ରାଜ୍ୟପାଳ ଶ୍ରୀ ରାମ ଏ ସମ୍ପର୍କରେ ଖୁବ୍ ଶୀଘ୍ର ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ନିର୍ଭର ପ୍ରତିଶ୍ରୁତି ଦେଇଥିଲେ । ଏହି ପ୍ରତିନିଧି ଦଳରେ ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ଼ର ସାଧାରଣ ସମ୍ପାଦକ ସନତ ମିଶ୍ର, ରାଜ୍ୟ ସଭାପତି ତଥା ଓଡ଼ିଶା ଭାସ୍କରର ମୁଖ୍ୟ ସମ୍ପାଦକ ପ୍ରଦୋଷ ପଟ୍ଟନାୟକ, ଉପସଭାପତି ପ୍ରଦୁ୍ୟମ୍ନ କୁମାର ମହାନ୍ତି, କଲ୍ୟାଣ ବୋର୍ଡ଼ର ଅନ୍ୟତମ ବରିଷ୍ଠ ଉପଦେଷ୍ଟା ରାଜାରାମ ଶତପଥି ଓ ଏସ୍.ଏ ମନାନ ପ୍ରମୁଖ ସାମିଲ୍ ଥିଲେ ।
