ଜଙ୍ଗଲ ଅଧିକାର ଆଇନ-୨୦୦୬ ସଂକ୍ରାନ୍ତୀୟ ଜିଲା ସ୍ତରୀୟ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ ।

ଯାଜପୁର,୧୨/୧୨/୨୦୨୩ (ଓଡ଼ିଶା ସମାଚାର)-ଭାରତ ସରକାର ୨୦୦୬ ମସିହାରେ ଜଙ୍ଗଲ ଉପରେ ନିର୍ଭର କରୁଥିବା ଅନୁସୂଚୀତ ଜନଜାତି ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀ ମାନଙ୍କୁ ସେମାନଙ୍କ ନ୍ୟାର୍ଯ୍ୟ ଅଧିକାର ପ୍ରଦାନ କରିବା ପାଇଁ ଏକ ଆଇନ ପ୍ରଣୟନ କରିଚ୍ଥନ୍ତି । ଯାହା ଜଙ୍ଗଲ ଅଧିକାର ଆଇନ ୨୦୦୬ ନାମରେ ସାଧାରଣରେ ଜଣାଶୁଣା । ଏହି ଆଇନର ସଠିକ କାର୍ଯ୍ୟକାରିତା ପାଇଁ ରାଜ୍ୟ ସରକାର ଅନେକ ଫଳପ୍ରଦ ପଦକ୍ଷେପ ଗ୍ରହଣ କରିଆସୁଛନ୍ତି । ଯାହାଦ୍ୱାରା ବର୍ତମାନ ସୁଦ୍ଧା ସମଗ୍ର ରାଜ୍ୟକେ ୪ ଲକ୍ଷ ୫୬ ହଜାରରୁ ଅଧିକ ପରିବାର ଉପକୃତ ହୋଇପାରିଛନ୍ତି । ଏହା ସହିତ ୪୩୩୦ ଟି ଗ୍ରାମ ସଭାକୁ ଗୋଷ୍ଠୀ ଜଙ୍ଗଲ ଓ ୩୪୮୦ ଟି ଗ୍ରାମ ସଭାକୁ ଗୋଷ୍ଠୀ ବନ ସମ୍ୱଳ ଅଧିକାର ମିଳି ପାରିଛି । ୫୩ ଗୋଟି ଜଙ୍ଗଲ/ସର୍ଭେ ହୋଇ ନଥିବା ଗାଁ ଗୁଡିକୁ ରାଜସ୍ୱ ଗ୍ରାମର ମାନ୍ୟତା ପ୍ରଦାନ କରାଯାଇଛି । ଏତଦ୍ ବ୍ୟତୀତ ୩ ଲକ୍ଷ୍ୟ ରୁ ଅଧିକ ଜଙ୍ଗଲ ଅଧିକାର ହିତାଧିକାରୀ ମାନଙ୍କୁ ବିଭିନ୍ନ ସରକାରୀ ଯୋଜନାରେ ସାମିଲ କରାଯାଇ ସ୍ୱାଭିମାନର ସହ ବଂଚିବା ପାଇଁ ସହଯୋଗ ଦିଆଯାଇଛି । ଏହି କାର୍ଯ୍ୟକ୍ରମକୁ ଅଧିକ ଲୋକାଭିମୁଖୀ କରିବା ପାଇଁ ରାଜ୍ୟ ସରକାର “ମୋ ଜଙ୍ଗଲ ଜମି ଯୋଜନା” ନାମକ ଏକ ନିଜସ୍ୱ ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନାର ମୂଳ ଆଭିମୁଖ୍ୟ ହେଉଛି ଏକ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ଜଙ୍ଗଲ ଅଧିକାର ଆଇନ ୨୦୦୬ ଅନୁଯାୟୀ ସମସ୍ତ ଜଙ୍ଗଲ ଅଧିକାରକୁ ସୁନିଶ୍ଚିତ କରିବା ଓ ଜଙ୍ଗଲ ଅଧିକାର ହିତାଧିକାରୀ ମାନଙ୍କ ଜୀବନ ଜୀବିକାରେ ଉନ୍ନତି ଆଣିବା ସହ ଜୈବ ବିବିଧତା ତଥା ସାଂସ୍କୃତିକ ବିବିଧତାର ସୁରକ୍ଷା କରିବା । ଯାଜପୁର ଜିଲାରେ ଏହି ଯୋଜନାରେ ସୁକିନ୍ଦା, ଦାନଗଦୀ, ଦର୍ପଣ ଓ ବ୍ୟାସନଗର ଅଂଚଳରେ ୧୨୬୩୭ ସଂପତିିଗତ ଅଧିକାର (ଟାଇଟଲ) ରୁ ୯୦୪୪ ଟି ଟାଇଟଲ କେଶକୁ ଅନୁଧାନ କରି ବଣ୍ଟନ କରାଯାଇ ଅନୁସୂଚୀତ ଜନଜାତି ତଥା ପାରମ୍ପରିକ ବନବାସୀ ମାନଙ୍କୁ ରାଜ୍ୟ ସରକାରଙ୍କର ମୁଖ୍ୟ ସ୍ରୋତରେ ସାମିଲ କରାଯାଇ ଯାଜପୁର ଜିଲା ସମଗ୍ର ରାଜ୍ୟରେ ଦ୍ୱିତୀୟ ସ୍ଥାନ ହାସଲ କରିଛି ବୋଲି ରାଜ୍ୟ ଅନୁସୂଚୀତ ଜନଜାତି ଓ ଅନୁସୂଚିତ ଜାତି, ବସୁନ୍ଧରା ଓ ଜିଲା ପ୍ରଶାସନ ମିଳିତ ଆନୁକୂଲ୍ୟରେ ଜଙ୍ଗଲ ଜମି ଅଧିକାରୀ ଆଇନ-୨୦୦୬ ସଂକ୍ରାନ୍ତୀୟ ଜିଲା ସ୍ତରୀୟ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିରକୁ ଉଦ୍ଘାଟକ ଏବଂ ମୁଖ୍ୟ ଅତିଥି ଭାବେ ଜିଲା ମୁଖ୍ୟ ଊନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲା ପରିଷଦ ଶ୍ରୀ ଅଶୋକ କୁମାର ବେହୁରିଆ ଏବ ଅତିରିକ୍ତ ଜିଲାପାଳ, ରାଜସ୍ୱ ଶ୍ରୀ ଶୁଭେନ୍ଦ୍ର କୁମାର ସାମଲ ଯୋଗଦେଇ ଉପରୋକ୍ତ ବିଷୟ ପ୍ରକାଶ କରିଛନ୍ତି ।
ଜିଲା ମଙ୍ଗଳ ଅଧିକାରୀ ଶ୍ରୀ ଶରତ ଚନ୍ଦ୍ର ବେହେରାଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଏହି ଦୁଇ ଦିନିଆ ପ୍ରଶିକ୍ଷଣ ଶିବିରର ଆଜି ପ୍ରଥମ ଦିବସରେ ସମ୍ମାନିତ ଅତିଥି ଭାବେ ଉପଜିଲାପାଳ ଶ୍ରୀ ଗୋପୀନାଥ କୁଅଁର ଯୋଗଦେଇ କହିଲେ ଯେ, ରାଜ୍ୟ ସରକାରଙ୍କର “ମୋ ଜଙ୍ଗଲ ଜମି ଯୋଜନା” ଏକ ଅଭିନବ ଯୋଜନା । ଏଥିରେ ଆଜି ଦିବସରେ ଉପସ୍ଥିତ ଥିବା ସମସ୍ତ ତହସିଲଦାର, ବନ ବିଭାଗ ରେଂଜ୍ ଅଧିକାରୀ, ଜନ ମଙ୍ଗଳ ସଂପ୍ରସାରଣ ଅଧିକାରୀ, ସଂଯୋଜକ ସମସ୍ତେ ନିଷ୍ଠାର ସହ ପ୍ରଶିକ୍ଷଣ ଗ୍ରହଣ କରି ଯାଜପୁର ଜିଲାକୁ ଏହି ଯୋଜନା ରୂପାୟନରେ ଏକ ନମ୍ୱର ସ୍ଥାନରେ ସ୍ଥାପିତ କରିବାକୁ ଆହ୍ୱାନ ଦେଇଥିଲେ ।
ଏହି ପରିପ୍ରେକ୍ଷୀରେ “ମୋ ଜଙ୍ଗଲ ଜମି ଯୋଜନା” ବିଷୟ ବିଷାରଦ ରାଜ୍ୟ ଅନୁସୂଚିତ ଜନଜାତି ଓ ଜାତି ବିଭାଗ ପ୍ରାକ୍ତନ ଉପନିର୍ଦ୍ଧେଶକ ଶ୍ରୀ ରାଜ କିଶୋର ଦାସ, ବସୁନ୍ଧରା ରାଜ୍ୟ କାର୍ଯ୍ୟକ୍ରମ ଅଧିକାରୀ ରଂଜିତା ପଟ୍ଟନାୟକ, ଶ୍ରୀ ସୁଶାନ୍ତ କୁମାର ଦଳାଇ ଏବଂ ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ରାଜ୍ୟ ପ୍ରକଳ୍ପ ପରିଚାଳନା ୟୁନିଟ୍ ଆର୍.ଟି.ଆଇ. ଋ କର୍ମକର୍ତା ଶ୍ରୀ ବିଜୟ କୁମାର ଦାସ ଯୋଗଦେଇ ବ୍ୟକ୍ତିଗତ ଜଙ୍ଗଲ ଅଧିକାର, ଗୋଷ୍ଠୀଗତ ଅଧିକାର, ଗୋଷ୍ଠୀ ଜଙ୍ଗଲ ସମ୍ୱଳ ଅଧିକାରର ଶିରୋନାମା ପାଇବା ନିମନ୍ତେ ଦାବି ଉପସ୍ଥାପନ ଓ ଶିରୋନାମା ପାଇବାର ପ୍ରକ୍ରିୟା ସମ୍ୱନ୍ଧରେ ତଥା ବ୍ୟକ୍ତିଗତ, ଗୋଷ୍ଠୀଗତ, ଉନ୍ନୟନ ମୂଳକ ଅଧିକାର ସୁରକ୍ଷା, ସଂରକ୍ଷଣ ଓ ପରିଚାଳନା ସେକ୍ସନ-୩(୧) ନିସ୍ତାରୀ ଅଧିକାର (ଗୋଷ୍ଠୀଗତ), ଲଘୁ ବନଜାତ ଦ୍ରବ୍ୟ (ମାଲିକାନା ଅଧିକାର) ସେକ୍ସନ -୪(୧)-ଖ (ଚାରଣ ଭୂମି/ଝରଣା) ଅଧିକାର, ଜଙ୍ଗଲ ସୁରକ୍ଷା ସମ୍ୱଳ ପରିଚାଳନା ତା ୧୩ା୧୨ା୨୦୦୫ ମସିହା ସୁଦ୍ଧା ସୂଚାଙ୍କ ତାରିଖକୁ ନେଇ ବିଭିନ୍ନ ଦିଗ ସମ୍ୱନ୍ଧରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ଜିଲାର ସମସ୍ତ ତହସିଲର ତହସିଲଦାର, ଯାଜପୁର ଓ ବ୍ୟାସନଗର ପୈାର ନିର୍ବାହୀ ଅଧିକାରୀ, ବନ ବିଭାଗ ରେଂଜ ଅଧିକାରୀ, ସଂଯୋଜକ, ସହକାରୀ ମଙ୍ଗଳ ଅଧିକାରୀ ଏବଂ ସଂପୃକ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *