କଟକ,୨୯/୦୪/୨୦୨୬ ( ଓଡିଶା ସମାଚାର / ଅଭୟ ଜେନା) – ସଦର ଥାନା ଅନ୍ତର୍ଗତ ଗୋପାଳପୁର ଠାରେ ଥିବା ଓଁ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ରଜତ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ରାଜ୍ୟସଭା ଏମପି ଡଃ ସଂତୃପ୍ତ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜୀବନରେ ସଫଳତା ପାଇବା ଯେତେ ବଡ଼ କଥା ନୁହେଁ, ଯେଉଁ ବାଟ ଦେଇ ସଫଳତାର ସ୍ତରରେ ଜଣେ ପହଞ୍ଚେ ତାହା ଗୁରୁତ୍ୱପୂର୍ଣ୍ଣ ବୋଲି କହିବା ସହିତ ଜୀବନରେ କେବେ ବି ଗୁରୁମା ଗୁରୁଜୀ ଙ୍କ କଥା ନ ଭୁଲିବାକୁ କହିଥିଲେ ।
ଅଗ୍ରଣୀ ଆଧ୍ୟାତ୍ମିକ ପତ୍ରିକା ” ଦିବ୍ୟାଲୋକ ସନ୍ଧାନେ ‘ ର ସମ୍ପାଦକ, ଆଧ୍ୟାତ୍ମିକ ପ୍ରବକ୍ତା ତଥା ପ୍ରତିଷ୍ଠିତ ଦୈନିକ ଖବରକାଗଜ ର ଆଧ୍ୟାତ୍ମିକ ସ୍ତମ୍ଭକାର ତଥା ଶିକ୍ଷାବିତ ଇଂ.ଶ୍ରୀସନ୍ନ୍ୟାସୀ ଜୀ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ପ୍ରତ୍ୟେକ ବିଦ୍ୟାର୍ଥୀ ନିଶା ଏବଂ ମୋବାଇଲ ଠାରୁ ଦୂରରେ ରହି ମା, ମାଟି ଏବଂ ମାତୃଭାଷାର ଟେକ ରଖିବା ପାଇଁ ଯତ୍ନବାନ ହେଵା ଉଚିତ ବୋଲି କହିଥିଲେ । ସି ଏମ ସି ର ଡେପୁଟି ମେୟର ସୁଶ୍ରୀ ଦମୟନ୍ତୀ ମାଝୀ ଏବଂ ସ୍ଥାନୀୟ କର୍ପୋରେଟର ପୂର୍ଣ୍ଣିମା ସ୍ୱାଇଁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟ ଟି ୨୫ ବର୍ଷ ସଫଳତାର ସହ ଅତିକ୍ରାନ୍ତ କରିଥିବାରୁ ଶୁଭେଚ୍ଛା ଜ୍ଞାପନ କରିଥିଲେ ।
ଏହି ଅବସରରେ ରଜତ ଜୟନ୍ତୀ ବିଶେଷାଙ୍କ ” ଗୁଣ୍ଡୁଚିର ସେତୁବନ୍ଧ ” କୁ ଅତିଥିମାନେ ଉନ୍ମୋଚନ କରିଥିଲେ l ଶିଶୁ ମନ୍ଦିରର ସମ୍ପାଦିକା ଅରୁଣିମା ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଧାନଆଚାର୍ଯ୍ୟା ସୁମନ୍ତିକା ମହାନ୍ତି ବାର୍ଷିକ ବିବରଣୀ ପାଠ କରିଥିଲେ ।ଏହି ଉତ୍ସବରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ, ଶୁଭେଛୁ ଏବଂ ଅନ୍ୟାନ୍ୟ ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଗୁରୁଜୀ ମନୋଜ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ଶିଶୁ ମନ୍ଦିରର ବିଦ୍ୟାର୍ଥୀମାନଙ୍କ ଦ୍ୱାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।
