ସାଲେପୁର,୨୮/୦୪/୨୦୨୬(ଓଡିଶା ସମାଚାର/ଅଭୟ ଜେନା)- କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଚିତ୍ରୋତ୍ପଳା ନଦୀରେ ଜନାର୍ଦ୍ଦନପୁର ରୁ କୂଳିଆ କୁ ସଂଯୋଗ ପାଇଁ ନିର୍ମାଣାଧୀନ ବ୍ରିଜ୍ ରେ କାମ କରୁଥିବା ବେଳେ ନଦୀ ଗର୍ଭକୁ ଖସି ପଡି ଭାସିଯାଇ ନିଖୋଜ ଥିବା ଶ୍ରମିକ ଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି । ନିର୍ମାଣାଧୀନ ଖୁଣ୍ଟ ର ସେଣ୍ଟରିଙ୍ଗ କାମ କରୁଥିବା ବେଳେ ଶ୍ରମିକ ଜଣକ ନଦୀ ଗର୍ଭକୁ ଖସି ନଦୀରେ ବୁଡି ନିଖୋଜ ହୋଇଯାଇଥିଲେ ।
ଖବର ପାଇ ଘଟଣାସ୍ଥଳରେ ନିଶ୍ଚିନ୍ତକୋଇଲି ଓ ସାଲେପୁରର ଉଭୟ ଅଗ୍ନିଶମ ବିଭାଗ କର୍ମଚାରୀ ଓ ପୋଲିସ ପ୍ରଶାସନ ପହଞ୍ଚି ଖୋଜାଖୋଜି ଜାରି ରଖିଥିଲେ । ଆଜି ଶ୍ରମିକ ଗଣେଶ୍ୱର ପ୍ରଧାନ ର ମୃତ ଦେହକୁ ଉଦ୍ଧାର କରାଯାଇ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନିଆଯିବା ପରେ ବ୍ୟବଚ୍ଛେଦ ପାଇଁ କଟକ ପଠାଯାଇଥିବା ସୂଚନା ମିଳିଛି । ତେବେ ଠିକା ସଂସ୍ଥା ନାରାୟଣ ଦାଶ କନଷ୍ଟ୍ରକସନ କମ୍ପାନୀ ର ବେପରୁଆ କାର୍ଯ୍ୟ ଶୈଳୀ ପାଇଁ ଜଣେ ନିରୀହ ଶ୍ରମିକ ର ଜୀବନ ଗଲା ବୋଲି ସାଧାରଣ ରେ ଅଭିଯୋଗ ହେଉଛି ।
ବିଶେଷ କରି, ଏହି ସେତୁ ନିର୍ମାଣ ପାଇଁ ଗ୍ରାମ ଉନ୍ନୟନ ବିଭାଗ ର ମନମୁଖୀ କାର୍ଯ୍ୟ ତଥା ବିଭାଗୀୟ ଅଧିକାରୀ ଓ ଇଞ୍ଜିନିଅର ମାନେ ଆଦୌ ବ୍ରିଜ ନିର୍ମାଣ ସ୍ଥଳକୁ ଆସୁନଥିବା ଅଭିଯୋଗ ହେଉଛି । ଏହି ଦୁର୍ଘଟଣା ପାଇଁ ସମ୍ପୃକ୍ତ ଠିକା ସଂସ୍ଥା ଓ ଗ୍ରାମ ଉନ୍ନୟନ ବିଭାଗୀୟ ଅଧିକାରୀ ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସାଧାରଣ ରେ ଦାବି ହେଉଛି । ଶ୍ରମିକଙ୍କ ସୁରକ୍ଷା ପାଇଁ କୌଣସି ବ୍ୟବସ୍ଥା କରିନଥିବାରୁ ଏଭଳି ଅଘଟଣ ଘଟିଛି ବୋଲି ସ୍ଥାନୀୟଲୋକେ ଅଭିଯୋଗ କରିଛନ୍ତି ।
