ଜିଲ୍ଲାର ବିଭିନ୍ନ ସ୍ଥାନରୁ ଚଢାଉ କରାଯାଇ ଶିଶୁ ଓ କିଶୋର ଶ୍ରମିକ ଉଦ୍ଧାର

ଯାଜପୁର,୨୦/୦୩/୨୦୨୫ (ଓଡ଼ିଶା ସମାଚାର)- ଶିଶୁ ଶ୍ରମିକ ସମ୍ବନ୍ଧୀୟ ଯାଜପୁର ଜିଲ୍ଲା ସ୍ତରୀୟ ଟାସ୍କଫୋର୍ସ ର ଅଧ୍ୟକ୍ଷା ତଥା ଜିଲ୍ଲାପାଳ ଶ୍ରୀମତି ପି ଅନଭେଷା ରେଡ୍ଡୀ ଙ୍କ ନିର୍ଦ୍ଦେଶ ମୁତାବକ ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଶିଶୁ ଏବଂ କିଶୋର ଶ୍ରମିକ ନିୟୋଜିତ କରିଥିବା ସଂସ୍ଥାନ ଗୁଡିକରେ ଚଢାଉ କରାଯାଇ ଶିଶୁ ଓ କିଶୋର ଶ୍ରମିକ ମାନଙ୍କୁ ଉଦ୍ଧାର କରି ଶିଶୁ କଲ୍ୟାଣ ସମିତି, ଯାଜପୁର ଙ୍କ ସମ୍ମୁଖରେ ଉପସ୍ଥାପନ କରାଯାଇଥିଲା ।

ଏହି ଅବସରରେ ଶିଶୁ ଓ କିଶୋର ଶ୍ରମିକ ନିୟୋଜିତ କରିଥିବା ମାଲିକ ମାନଙ୍କୁ ଉକ୍ତ ସ୍ଥାନରେ ହିଁ ସହକାରୀ ଶ୍ରମ ଅଧିକାରୀ ମାନଙ୍କ ଦ୍ଵାରା ନୋଟିସ ଜାରି କରାଯିବା ସହିତ ତାଙ୍କ ବିରୁଦ୍ଧରେ ଶିଶୁ ଓ କିଶୋର ଶ୍ରମିକ ନିୟୋଜିତ କରିଥିବାରୁ ଶିଶୁ ଓ କିଶୋର ଶ୍ରମିକ (ନିଷେଧ ଓ ନିୟନ୍ତ୍ରଣ) ଆଇନ,୧୯୮୬ ର ଧାରା ୩ ଏବଂ ୩ ଏ କୁ ଉଲ୍ଲଂଘନ କରିଥିବାରୁ କାହିଁକି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ତାହା ୭ ଦିନ ମଧ୍ୟରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଜାରି କରାଯାଇଛି । ଯଦି ଉତ୍ତର ପ୍ରଦାନ କରା ନ ଯାଏ କିମ୍ବା ଉତ୍ତର ସନ୍ତୋଷ ଜନକ ନ ହୁଏ, ତେବେ ଉକ୍ତ ମାଲିକ ଙ୍କ ବିରୁଦ୍ଧରେ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ସୂଚନାଯୋଗ୍ୟ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଙ୍କ ନିର୍ଦ୍ଦେଶନାରେ ଏହି ଚଢାଉ ତିନି ଦିନ ଧରି ବଡଚଣା ବ୍ଲକର ଚଣ୍ଡିଖୋଲ,ଧର୍ମଶାଳା ବ୍ଲକର ଜାରକା ଏବଂ ବରି ବ୍ଲକର ବରି ରାମଚନ୍ଦ୍ରପୁର ଅଞ୍ଚଳରେ ଜାରି ରହିଥିଲା । ଶିଶୁ ଶ୍ରମିକ ସମ୍ବନ୍ଧୀୟ ଯାଜପୁର ଜିଲ୍ଲା ସ୍ତରୀୟ ଟାସ୍କଫୋର୍ସର ସଚିବ ତଥା ଜିଲ୍ଲା ନୋଡାଲ ଅଫିସର, ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ସୁଧିର କୁମାର ସାହୁ ଙ୍କ ସୂଚନା ମୁତାବକ ୧୮,୧୯ ଓ ୨୦ ତାରିଖର ଏହି ତିନି ଦିନରେ ବିଭିନ୍ନ ସ୍ଥାନରୁ ୮ ଜଣ ଶିଶୁ/କିଶୋର ଶ୍ରମିକଙ୍କୁ ଉଦ୍ଧାର କରାଯାଇ ନିଯୁକ୍ତିଦାତା ମାଲିକ ମାନଙ୍କୁ ସଚେତନ କରିବା ସହିତ ଏପରି ଭୁଲ ଆଗକୁ ନ କରିବାକୁ ତାଗିଦ କରାଯାଇଛି ।

ପ୍ରାପ୍ତ ପୂର୍ବ ସୂଚନା ଆଧାରରେ ଏପରି ଚଢାଉ ଆଗକୁ ବି ଜାରି ରହିବ ବୋଲି ଜିଲ୍ଲା ଶ୍ରମ ଅଧିକାରୀ ଙ୍କ ତରଫରୁ ପ୍ରକାଶ । ଚଢାଉ ସମୟରେ ଚଢାଉ ଟିମ କୁ ଲିଡ କରିବା ସହିତ ମାଲିକ ମାନଙ୍କୁ ନୋଟିସ ଜାରି କରିଥିଲେ ସହକାରୀ ଶ୍ରମ ଅଧିକାରୀ ଶ୍ରୀ ସ୍ମୃତି ରଞ୍ଜନ ପଣ୍ଡା, ସହକାରୀ ଶ୍ରମ ଅଧିକାରୀ ଶ୍ରୀ ସୌମ୍ୟ ରଞ୍ଜନ ବେହେରା କ୍ଷ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ନିତ୍ୟାନନ୍ଦ ବାରିକଙ୍କ ପ୍ରତିନିଧି ଭାବେ ଶ୍ରୀ ଶମ୍ଭୁନାଥ ଦାଶ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କରଙ୍କ ପ୍ରତିନିଧି ଭାବେ ଡିସିପିୟୁ ର ମିହିର କୁମାର ଜେନା, ଚାଇଲଡ ଲାଇନର ସଦସ୍ୟ ବିନ୍ଦୁ ସାଗର ସାହୁ, ରୁଚିକା ଏନଜିଓ ତରଫରୁ ଚକ୍ରଧର ପଣ୍ଡା, ପ୍ରତାପ ନାୟକ,କଲ୍ୟାଣୀ ପତି,ଆସପାୟାର ଏନଜିଓ ତରଫରୁ ସତ୍ୟବ୍ରତ ଜେନା,ସୁଶାନ୍ତ କିଶୋର ଜେନା, ବଡ଼ଚଣା/ଧର୍ମଶାଳା/ବରି ଥାନାରୁ ପୋଲିସ କର୍ମଚାରୀ ଟିମର ସଦସ୍ୟ ଭାବେ ଚଢ଼ାଉରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *