ଯାଜପୁର, ୨୪/୦୪/୨୦୨୬ (ଓଡ଼ିଶା ସମାଚାର)- ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ପଞ୍ଚାୟତରାଜ ଦିବସ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ନଳିନୀ ପ୍ରଭା ଜେନା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ମହାନ୍ତି, ଡିପିସି ମିଶନ ଶକ୍ତି ସୀତାଂଶୁ ସାହୁ, ସହକାରୀ ଯନ୍ତ୍ରୀ କମଳ ଲୋଚନ ରାଜ୍, ବିଡ଼ିଓ ବ୍ରହ୍ମାନନ୍ଦ ବେହେରା ଏବଂ ଅତିରିକ୍ତ ଉନ୍ନୟନ ଅଧିକାରୀ ଯୋଗ ଦେଇଥିଲେ। ଜିଲ୍ଲା ପରିଷଦ ସଭାପତି ନଳିନୀ ପ୍ରଭା ଜେନା କହିଥିଲେ ଯେ ଗାଁଗୁଡ଼ିକରେ ପାନୀୟ ଜଳ ଯୋଗାଣ, ରାସ୍ତା ନିର୍ମାଣ, ଅନ୍ତୋଦୟ ଗୃହ ଯୋଜନା ଜରିଆରେ ତୃଣମୂଳ ସ୍ତରରେ ବିକାଶ ସହ ଏକ ଉନ୍ନତ ଗ୍ରାମର ପରିକଳ୍ପନା ସାକାର ହୋଇପାରୁଛି।

ବିକଶିତ ଓଡ଼ିଶା ଗଠନ ଦିଗରେ ପଞ୍ଚାୟତରାଜର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମୁଖ୍ୟ ଉନ୍ନୟନ ଅଧିକାରୀ କହିଥିଲେ। ପଞ୍ଚାୟତିରାଜ ବ୍ୟବସ୍ଥାରେ ସାଧାରଣ ଜନତା ଓ ଜନ ପ୍ରତିନିଧିମାନେ ସମନ୍ଵୟ ରକ୍ଷା ପୂର୍ବକ କାର୍ଯ୍ୟ କରିବା ସହ ଗ୍ରାମାଞ୍ଚଳର ସମଗ୍ର ବିକାଶରେ ସାମିଲ ହେବାକୁ ପଡ଼ିବ ବୋଲି ଅତିଥିମାନେ ମତ ବ୍ୟକ୍ତ କରିଥିଲେ। ଏହି ଅବସରରେ ବଲାଙ୍ଗୀରଠାରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଭାସୀ ମାଧ୍ୟମରେ ଯୋଡ଼ି ହୋଇ ଜନପ୍ରତିନିଧି ଓ ଅଧିକାରୀମାନଙ୍କୁ ସମ୍ବୋଧିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ତୋଦୟ ଗୃହ ଯୋଜନାରେ ଯାଜପୁର ଜିଲ୍ଲାର ହିତାଧିକାରୀଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା। ଏଥିସହ ଉଲ୍ଲେଖନୀୟ ସେବା ପାଇଁ ବିଭିନ୍ନ ଗ୍ରାମ ପଞ୍ଚାୟତର ସରପଞ୍ଚ ଓ ପ୍ରତିନିଧିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ସମାରୋହରେ ବିଭିନ୍ନ ବ୍ଲକ ପ୍ରତିନିଧି, ଗ୍ରାମ ପଞ୍ଚାୟତର ସଦସ୍ୟ, ପଞ୍ଚାୟତର କର୍ମଚାରୀ, ପ୍ରଶାସନର ଅଧିକାରୀ, ବୁଦ୍ଧିଜୀବୀ ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।
