ଘଟଗାଁ,୨୪/୦୪/୨୦୨୬(ଓଡିଶା ସମାଚାର)-ଘଟଗାଁ ବ୍ଲକ ବରାହଟିପୁରା ନୀଳକଣ୍ଠେଶ୍ଵର ମନ୍ଦିର ପରିଚାଳନା ଅବ୍ୟବସ୍ଥା ଓ ଦୀର୍ଘ ବର୍ଷର ଦୁର୍ନୀତି ଉପରେ ହୋଇଥିବା ଅଭିଯୋଗର ପ୍ରାଥମିକ ତଦନ୍ତ ଶେଷ ହୋଇଛି। ଗତ ଫେବୃଆରୀ ୧୨ ତାରିଖ ଦିନ ବରାହଟିପୁରା , ତରା , ବାଲିପୋଖରୀ ଏବଂ ପଇଦାପାଟଣା ପଂଚାୟତ ସରପଞ୍ଚଙ୍କ ସମେତ ଆଖପାଖ ମୌଜାର ଶତାଧିକ ଜନସାଧାରଣ ନୀଳକଣ୍ଠେଶ୍ଵର ମନ୍ଦିରର ଦୁର୍ନୀତି ଓ ପରିଚାଳନାଗତ ବିଶୃଙ୍ଖଳାକୁ ନେଇ କେନ୍ଦୁଝର ଉପ ଜିଲ୍ଲାପାଳ ତଥା ଦେବୋତ୍ତର ନିର୍ବାହୀ ଅଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ।
ପୂର୍ବତନ କୋଠ ତହସିଲଦାର ସ୍ବର୍ଗତ ବଳରାମ ପଣ୍ଡାଙ୍କ ଦେହାନ୍ତ ପରେ ତାଙ୍କ ପୁଅ ସରୋଜ ପାଣ୍ଡଙ୍କୁ ୨୦୨୬ ମକର ମେଳା ଓ ଠାକୁରଙ୍କ ନୀତିକାନ୍ତି ପରିଚାଳନା ପାଇଁ ଅସ୍ଥାୟୀ ଭାବେ ଉକ୍ତ ପଦବୀରେ ନିଯୁକ୍ତି ଦିଆ ଯାଇଥିଲା। ମେଳା ସମୟରେ କିଛି ଦୋକାନୀ ଓ ହୋଟେଲକୁ ବେଆଇନ ଭାବେ ମନ୍ଦିର ଗଭୀର ନଳ କୂପରୁ ପାନୀୟ ଜଳ ଯୋଗାଣ , ଦେବୋତ୍ତର ପଡିଆରେ ହେଉଥିବା ସାପ୍ତାହିକ ସୋମବାର ହାଟରୁ ବିନା ରସିଦରେ ମାହାସୁଲୁ ଆଦାୟ ଓ ଏହାର ସଠିକ ହିସାବ ସାଧାରଣରେ ଉପସ୍ଥାପନ ନହେବା , ଠାକୁରଙ୍କ ନାମରେ ଥିବା ପୋଖରୀ ଗୁଡିକରେ ମାଛ ଚାଷ ପାଇଁ ନିଲାମ ନ କରି , ଦେବୋତ୍ତର ବିଭାଗର ବିନା ଅନୁମୋଦନରେ ମନ ଇଛା ଅନୁମତି ଦେବା , ଠାକୁରଙ୍କ ଚାଷ ଜମି ଗୁଡିକୁ କିଛି ନିର୍ଦ୍ଧିଷ୍ଟ ବ୍ୟକ୍ତି ବିଶେଷଙ୍କୁ ନିଲାମ ନ କରି ଚାଷ କରିବା ପାଇଁ ଅନୁମତି ଦେବା ଓ ଏଥିରୁ ଆଦାୟ ଅର୍ଥର ସବିଶେଷ ତଥ୍ୟ ପ୍ରକାଶ୍ୟରେ ଉପସ୍ଥାପିତ ନ ହେବା ଚଳିତ ବର୍ଷ ମେଳା ସମୟରେ ହୋଇଥିବା ହୁଣ୍ଡି ଚୋରୀର ତଦନ୍ତ ସାଧାରଣରେ ପ୍ରକାଶିତ ନହେବା , ବଳରାମ ପଣ୍ଡାଙ୍କ ଦେହାନ୍ତ ପରେ ବିନା ଜନ ଶୁଣାଣିରେ ସରୋଜ ପଣ୍ଡାଙ୍କୁ କୋଠ ତହସିଲଦାର ଦାୟିତ୍ୱ ଅର୍ପଣ କରିବାକୁ ନେଇ ମୋଟ ସାତଟି ଅବ୍ୟବସ୍ଥା ଉପରେ ହୋଇଥିବା ଅଭିଯୋଗକୁ ଭିତ୍ତିକରି କେନ୍ଦୁଝର ଉପ ଜିଲ୍ଲାପାଳ ତଥା ଦେବୋତ୍ତର ନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ଗତ ମଙ୍ଗଳବାର ଦିନ ବରାହଟିପୁରା ପଂଚାୟତ କାର୍ଯ୍ୟାଳୟ ସଭାକକ୍ଷ୍ୟ ଠାରେ ପ୍ରାଥମିକ ତଦନ୍ତ ପ୍ରକ୍ରିୟା ଶେଷ ହୋଇଥିବା ଜଣାପଡିଛ।
ବିଭାଗୀୟ କାର୍ଯ୍ୟାଳୟ ତରଫରୁ ସହକାରୀ ଜିଲ୍ଲାପାଳ ପ୍ରକାଶ କୁମାର ସେଠିଙ୍କ ନେତୃତ୍ୱରେ ସେକସନ ଅଫିସର ତଥା ମୁଖ୍ୟ କିରାଣୀ ଭୁବନେଶ୍ୱର ମହାପାତ୍ର , ଘଟଗାଁ ଅତିରିକ୍ତ ତହସିଲଦାର ଠାକୁର ଦାସ ନାଏକ , ତରା ଆର. ଆଇ ରମାକାନ୍ତ ମହାନ୍ତଙ୍କ ସମେତ ମୋଟ ପାଞ୍ଚ ଜଣ ତଦନ୍ତ ପ୍ରକ୍ରିୟାରେ ସାମିଲ ଥିଲେ। କରାଯାଇଥିବା ଅଭିଯୋଗ ଗୁଡିକ ସତ ପ୍ରମାଣିତ ହେବା ସହ ପରବର୍ତୀ ପଦକ୍ଷେପକୁ ଅଞ୍ଚଳ ବାସୀ ଅପେକ୍ଷା କରିଥିବା ଜଣା ପଡିଛି। ତଦନ୍ତ ସମୟରେ ବରାହଟିପୁରା ସରପଞ୍ଚ ଗୋବର୍ଧନ ନାଏକ, ତରା ସରପଞ୍ଚ ଚୂଡ଼ାମଣି ହେମ୍ବ୍ରମ,ବାଲିପୋଖରୀ ସରପଞ୍ଚ ଦ୍ରୌପଦୀ ନାଏକ , ପଇଦାପାଟଣା ସରପଞ୍ଚ ମୁକୁନ୍ଦ ମୁଣ୍ଡାଙ୍କ ସମେତ ପୂର୍ବତନ ସରପଞ୍ଚ ବ୍ରଜ କିଶୋର ବେହେରା , ବରିଷ୍ଟ ନାଗରିକ ଇନ୍ଦ୍ରମଣି ବେହେରା , ରବୀନ୍ଦ୍ର ପଲେଇ , ଲକ୍ଷ୍ମଣ ସେଠି , ଅମୁଲ୍ୟ ପ୍ରଧାନ , ନିର୍ମଳ ଶତପଥୀ , ସ୍ଥାନୀୟ ଯୁବକ ସଂଘ ତରଫରୁ ତରଣୀ ସେନ ପଲେଇ , ସାଇକୃଷ୍ଣ ରଣା , ଯୁବ ନେତୃତ୍ୱ ତାପସ ମୁଣ୍ଡା , ଶରତ ମୁଣ୍ଡା ଙ୍କ ସମେତ ୩୦ ରୁ ଅଧିକ ସ୍ଥାନୀୟ ଜନସାଧାରଣଙ୍କ ସହ ବର୍ତ୍ତମାନ କୋଠ ତହସିଲଦାର ଦାୟିତ୍ୱରେ ଥିବା ସରୋଜ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ତଦନ୍ତ କାର୍ଯ୍ୟକ୍ରମ ରେ ସହଯୋଗ କରଥିଲେ। ବିଭାଗୀୟ କାର୍ଯ୍ୟାଳୟ ତରଫରୁ ମନ୍ଦିର ପରିଚାଳନାଗତ ତ୍ରୁଟିକୁ ସୁଧାରିବା ଓ ଉପଯୁକ୍ତ ଜନ ଶୁଣାଣି ଦ୍ୱାରା କୋଠ ତହସିଲଦାର ନିଯୁକ୍ତି କରିବାକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ଓ ଜନ ସାଧାରଣ ଆଶା ବ୍ୟକ୍ତ କରିଥିବା ଜଣା ପଡ଼ିଛି।
