କୁଟ୍ରୁମାଳି ଖଣି ପରିବେଶ ମଞ୍ଜୁରୀ ପାଇଁ ପ୍ରସ୍ତାବିତ ଜନଶୁଣାଣି ବାତିଲ୍ କରିବାକୁ ରାଜ୍ୟ ପ୍ରଦୂଷଣ ବୋର୍ଡ ସଦସ୍ୟ-ସଚିବଙ୍କୁ ସ୍ମାରକପତ୍ର ପ୍ରଦାନ

ଭୁବନେଶ୍ୱର,୨୩/୦୪/୨୦୨୬ (ଓଡ଼ିଶା ସମାଚାର)-  ଓଡ଼ିଶା ସରକାର ରାୟଗଡ଼ା ଏବଂ କଳାହାଣ୍ଡି ଜିଲ୍ଲାର କାଶୀପୁର ଏବଂ ଥୁଆମୂଳ ରାମପୁର ବ୍ଲକରେ ବକ୍ସାଇଟ୍ ଖଣି ଖନନ ନିମନ୍ତେ “କୁଟ୍ରୁମାଳି” ପର୍ବତକୁ ଆଦାନୀ କମ୍ପାନୀର “ମେସର୍ସ କଳିଙ୍ଗ ଆଲୁମିନା”କୁ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଆସନ୍ତା ମେ’ ୧୩ ତାରିଖରେ ଜନଶୁଣାଣି ଆୟୋଜନ ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କିନ୍ତୁ ବିଭିନ୍ନ ପାରିପାର୍ଶ୍ୱିକ ପରିସ୍ଥିତି ତଥା କାରଣରୁ ଏହି ବିଜ୍ଞପ୍ତି ରଦ୍ଦ କରିବାକୁ ଏବଂ ପରିବେଶ ମଞ୍ଜୁରୀ ପାଇଁ ପ୍ରସ୍ତାବିତ ଜନଶୁଣାଣି ବାତିଲ କରିବା ପାଇଁ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଆଜି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।

ସେହି ସ୍ମାରକପତ୍ର ଜରିଆରେ ସେମାନେ ଅଭିଯୋଗ କରିଛନ୍ତି ଯେ, ଯେତେବେଳେ କାଶୀପୁର ଓ ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ସିଜିମାଳି ଅଞ୍ଚଳରେ ବେଦାନ୍ତ କମ୍ପାନୀ ସ୍ୱାର୍ଥରେ ପୋଲିସ ଦମନଲୀଳା ସାରା ଓଡ଼ିଶା ତଥା ସମଗ୍ର ଦେଶରେ ଏକ ଚର୍ଚ୍ଚିତ ବିଷୟ ହୋଇ ରହିଛି, ସେତେବେଳେ ଓଡ଼ିଶା ସରକାର ସେହି କାଶୀପୁର ଏବଂ ଥୁଆମୂଳ ରାମପୁର ବ୍ଲକର ଅନ୍ୟ ଏକ ବକ୍ସାଇଟ୍ ଖଣି “କୁଟ୍ରୁମାଳି” ପର୍ବତକୁ ଆଦାନୀ କମ୍ପାନୀର “ମେସର୍ସ କଳିଙ୍ଗ ଆଲୁମିନା”କୁ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଯାହାକୁ ସେହି ଅଞ୍ଚଳର ସ୍ଥାନୀୟ ଜନସାଧାରଣ ସେମାନଙ୍କ ଜୀବନ ଜୀବିକା, ପ୍ରକୃତି ଓ ପରିବେଶର ସୁରକ୍ଷା କାରଣରୁ ଦୀର୍ଘ ଦିନ ଧରି ବିରୋଧ କରିଆସୁଛନ୍ତି। ସମ୍ବିଧାନର ପଞ୍ଚମ ଅନୁଚ୍ଛେଦ ଅନୁସାରେ ଅନୁସୂଚିତ ଅଞ୍ଚଳରେ ଯେକୌଣସି ବିକାଶମୂଳକ ଯୋଜନା ପାଇଁ ଗ୍ରାମସଭା ବାଧ୍ୟତାମୂଳକ ହୋଇଥିବା ବେଳେ, କୁଟ୍ରୁମାଳି ଅଞ୍ଚଳରେ ଏହି ଖଣି ଲିଜ୍ ଓ ଖନନ ପାଇଁ ଅଦ୍ୟାବଧି ଗ୍ରାମସଭା ହୋଇନାହିଁ।

କାଶୀପୁର ବ୍ଲକ କାର୍ଯ୍ୟାଳୟ ପରିସର ମଧ୍ୟରେ ଜନଶୁଣାଣି ଆୟୋଜନ କରାଯିବ ବୋଲି ଘୋଷଣା କରାଯାଇଥିବା ବେଳେ ସିଜିମାଳି ଅଞ୍ଚଳରେ ପୋଲିସ ଆତଙ୍କରାଜ କାରଣରୁ ଲୋକମାନେ ଭୟରେ ବାହାରକୁ ବାହାରି ପାରୁନାହାଁନ୍ତି। ଅନ୍ୟପକ୍ଷରେ ପ୍ରଭାବିତ ଗାଁ ଗୁଡ଼ିକ ଠାରୁ ୩୦/୪୦ କିଲୋମିଟର ଦୂର କାଶୀପୁର ବ୍ଲକ କାର୍ଯ୍ୟାଳୟ ଭିତରେ ଜନଶୁଣାଣି ଆୟୋଜନ କରିବା ସରକାରଙ୍କ ଗୁପ୍ତ ଅଭିସନ୍ଧିକୁ ତଥା ଅଗଣତାନ୍ତ୍ରିକ ନୀତିକୁ ପଦାରେ ପକାଇ ଦେଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ପ୍ରବଳ ଗ୍ରୀଷ୍ମ ପ୍ରବାହ, ଗାଁଗୁଡ଼ିକ ଠାରୁ ଜନଶୁଣାଣି ଆୟୋଜନ ସ୍ଥଳ ୩୦/୪୦ କିଲୋମିଟର ଦୂର ଏବଂ ଶହ ଶହ ଲୋକଙ୍କ ନାମରେ ପୋଲିସ ମିଛ କେଶ୍ ଲଗାଇବା କାରଣରୁ ଏକ ମୁକ୍ତ ତଥା ନିରପେକ୍ଷ ପରିବେଶ ମଞ୍ଜୁରୀ ପାଇଁ ପ୍ରକୃତ ଜନଶୁଣାଣି କଦାପି ସଫଳ ହୋଇପାରିବ ନାହିଁ। ଯାହା ଫଳରେ ପ୍ରକଳ୍ପ ପ୍ରଭାବିତ ଅଞ୍ଚଳ ବାହାରେ ଥିବା ଲୋକଙ୍କୁ ନେଇ ସରକାର ଜନଶୁଣାଣି କରିବେ ଏବଂ ଜନଶୁଣାଣି ସଫଳ ହେଲା ବୋଲି ଘୋଷଣା କରିବାକୁ ସୁଯୋଗ ପାଇବେ। ଏହି ପରିପ୍ରେକ୍ଷୀରେ ଏହି ପ୍ରସ୍ତାବିତ ଜନଶୁଣାଣିକୁ ବାତିଲ କରିବା ପାଇଁ ସେମାନେ ଦାବି କରିଛନ୍ତି।

ବିଶିଷ୍ଟ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା, ଲେଖିକା ତଥା ମୁକ୍ତବୃତ୍ତି ସାମ୍ବାଦିକା ରଞ୍ଜନା ପାଢ଼ୀ, ମାନବାଧିକାର କର୍ମୀ ବିଶ୍ଵପ୍ରିୟ କାନୁନଗୋ, ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ, ଜନ ଆନ୍ଦୋଳନମାନଙ୍କର ରାଷ୍ଟ୍ରୀୟ ସମନ୍ୱୟ (ଏନ୍.ଏ.ପି.ଏମ୍) ତଥା ଇନସାଫର ରାଜ୍ୟ ଆବାହକ ନରେନ୍ଦ୍ର ମହାନ୍ତି, ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନର ଦେବରଞ୍ଜନ, ଲୋହିଆ ଏକାଡ଼େମୀର ସମ୍ପାଦକ ଦେବପ୍ରସାଦ ରାୟ, ଜିନ୍ଦଲ ପୋସ୍କୋ ପ୍ରତିରୋଧ ମଞ୍ଚର ପ୍ରଶାନ୍ତ ପାଇକରାୟ, ରାଜନୈତିକ କର୍ମୀ ଶ୍ରୀକାନ୍ତ ମହାନ୍ତି, ଆଇନଜୀବୀ ସାୟାନ୍ତନ ପଣ୍ଡା, ସାମାଜିକ କର୍ମୀ ସିଦ୍ଧାର୍ଥ କର, ବିଶ୍ୱନାଥ ପାତ୍ର, ପ୍ରଭାସ ସାମନ୍ତରାୟ, ବିଭ୍ରାନ୍ତ ବିଶ୍ୱଜିତ୍, ଲକ୍ଷ୍ମୀକାନ୍ତ ପରିଡ଼ା, ଅନିଲ୍ କୁମାର ଜେନା ପ୍ରମୁଖ ଏହି ସ୍ମାରକପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏକ ପାଞ୍ଚ ଜଣିଆ ପ୍ରତିନିଧି ମଣ୍ଡଳୀ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ ମନୋଜ ନାୟାରଙ୍କୁ ଭେଟିଥିଲେ। ସେମାନେ କୁଟ୍ରୁମାଳି ଏବଂ ସିଜିମାଳି ଅଞ୍ଚଳରେ ସାମ୍ପ୍ରତିକ ପରିସ୍ଥିତିର ଗମ୍ଭୀରତା ସମ୍ପର୍କରେ ତାଙ୍କୁ ଅବଗତ କରାଇଥିଲେ ଏବଂ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ ଭଳି ଏକ ସ୍ୱାଧୀନ ସଂସ୍ଥାର ସଦସ୍ୟ ସଚିବ ଭାବରେ ଏହି ପ୍ରସ୍ତାବିତ ଜନଶୁଣାଣିକୁ ବାତିଲ କରିବା ନିମନ୍ତେ ଉପଯୁକ୍ତ ପଦକ୍ଷେପ ନେବା ପାଇଁ ଅନୁରୋଧ କରିଥିଲେ।

Leave a Reply

Your email address will not be published. Required fields are marked *