ଓଡ଼ିଶା ଲଳିତ କଳା ଏକାଡେମୀ ଦ୍ୱାରା ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ସମସାମୟିକ ଚିତ୍ରକଳା ପ୍ରଦର୍ଶନୀ ଉଦଘାଟନ

ଭୁବନେଶ୍ୱର,୦୩/୦୨/୨୦୨୪ (ଓଡ଼ିଶା ସମାଚାର)-  ଓଡ଼ିଶା ଲଳିତ କଳା ଏକାଡେମୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ଧର୍ମପଦ ପୁରସ୍କାର ପାଇଥିବା ବରିଷ୍ଠ ଶିଳ୍ପୀମାନଙ୍କର କଳାକୃତିକୁ ନେଇ ଏକ ସମସାମୟିକ ଚିତ୍ରକଳା ପ୍ରଦର୍ଶନୀ ସ୍ଥାନୀୟ ନୀଳାଦ୍ରୀ ବିହାରସ୍ଥିତ ବୁଦ୍ଧ ଆର୍ଟ ଗ୍ୟାଲେରୀ ଠାରେ ଉଦଘାଟିତ ହୋଇଯାଇଛି ।

 ଏକାଡେମୀର ସଭାପତି ତଥା ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏଥିରେ ପୌରହିତ୍ୟ କରିଥିଲେ । ଏହି ଉତ୍ସବରେ ଧର୍ମପଦ ପୁରସ୍କାର ପ୍ରାପ୍ତ ବରିଷ୍ଠ ଚିତ୍ର ଶିଳ୍ପୀ ବିନୋଦ ମହାରଣା,ବଂଶୀଧର ପ୍ରତିହାରୀ ଓ ଶ୍ୟାମସୁନ୍ଦର ପଟ୍ଟନାୟକ ପ୍ରମୁଖ ପ୍ରଦୀପ ପ୍ରଜ୍ଵଳନ ପୂର୍ବକ ପ୍ରଦର୍ଶନୀକୁ ଉଦଘାଟନ କରିଥିଲେ । ବରିଷ୍ଠ ଶିଳ୍ପୀମାନଙ୍କର ସୃଜନଶୀଳ ଚିତ୍ରକଳା ଆଗାମୀ ଯୁବଶିଳ୍ପୀଙ୍କ ପାଇଁ ପ୍ରେରଣାଦାୟକ ହେବ ବୋଲି ଅତିଥି ମାନେ ପ୍ରକାଶ କରିଥିଲେ । ଏକାଡେମୀର ସଚିବ ପଞ୍ଚାନନ ସାମଲ ଅତିଥିମାନଙ୍କର ପରିଚୟ ପ୍ରଦାନ ସହ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ ।

ଉକ୍ତ ପ୍ରଦର୍ଶନୀରେ ଓଡ଼ିଶାର ଖ୍ୟାତନାମା ବରିଷ୍ଠ ଚିତ୍ରଶିଳ୍ପୀ ଡ଼ ମୁରଲିଧର ଟାଲି, ରବିନାରାୟଣ ନାୟକ, ଅଜିତ କେଶରୀ ରାୟ, ଅନନ୍ତ କୁମାର ପଣ୍ଡା, ଅସିତ ମୁଖାର୍ଜୀ, ଗୋକୁଳ ବିହାରୀ ପଟ୍ଟନାୟକ, ଡ଼ ଦୁର୍ଗା ପ୍ରସାଦ ଦାସ, ପଦ୍ମଭୂଷଣ ଡ଼ ଯତୀନ ଦାସ, ଦୀନନାଥ ପାଠୀ, ପଦ୍ମବିଭୂଷଣ ରଘୁନାଥ ମହାପାତ୍ର, ବନବିହାରୀ ପରିଡ଼ା, ଶ୍ୟାମ ସୁନ୍ଦର ପଟ୍ଟନାୟକ, ଜଗଦୀଶ ଚନ୍ଦ୍ର କାନୁନଗୋ, ବିନୋଦ ମହାରଣା, ମହେନ୍ଦ୍ର ପ୍ରସାଦ ମହାପାତ୍ର, ଲଲାଟ ମୋହନ ପଟ୍ଟନାୟକ ପ୍ରମୁଖଙ୍କ ୩୬ଟି କଳାକୃତି ସ୍ଥାନ ପାଇଛି । ପ୍ରଦର୍ଶନୀ ଅବସରରେ ଏକାଡେମୀର ସାଧାରଣ ପରିଷଦର ସଦସ୍ୟ ବିଜୟ କୁମାର ପରିଡ଼ା,ଶିଳ୍ପୀ ସୁଶାନ୍ତ କୁମାର ସିଂ ସାମନ୍ତ ,ବିଶ୍ବରଂଜନ କର,ନରୋତ୍ତମ ଦାସ ଓ ସ୍ବର୍ଣ୍ଣଲତା ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ପ୍ରଦର୍ଶନୀ ଆସନ୍ତା  ୭ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେହ ଦିବା ୧୧ ଘଟିକାରୁ ସନ୍ଧ୍ୟା ୭ ଘଟିକା ପର୍ଯ୍ୟନ୍ତ ଖୋଲା ରହିବ I

Leave a Reply

Your email address will not be published. Required fields are marked *