ଓଡ଼ିଆ ପକ୍ଷ ଅବସରରେ ‘ଆମ ରୁଚି ଆମ ଖାଦ୍ୟ’ ଆୟୋଜିତ

ଜଗତସିଂହପୁର, ୧୩/୦୪/୨୦୨୬ (ଓଡ଼ିଶା ସମାଚାର)-ଓଡ଼ିଆ ପକ୍ଷ ପାଳନ–୨୦୨୬ ଅବସରରେ “ପାରମ୍ପରିକ ଖାଦ୍ୟ ଦିବସ – ଆମ ରୁଚି, ଆମ ଖାଦ୍ୟ” ଜିଲ୍ଲାସ୍ତରରେ ଉତ୍ସାହର ସହିତ ଅନୁଷ୍ଠିତ ହୋଇଛି।

ଏହି ଅବସରରେ ଓଡ଼ିଆ ପାରମ୍ପରିକ ଖାଦ୍ୟର ସମୃଦ୍ଧି, ସ୍ୱାଦ ଓ ସାଂସ୍କୃତିକ ଐତିହ୍ୟକୁ ପ୍ରଚାର ଓ ପ୍ରସାର କରାଯାଇଛି।

ସ୍ୱଦେଶୀ ଖାଦ୍ୟ ପ୍ରତି ଆଗ୍ରହ ବଢ଼ାଇବା ସହିତ ଆମ ପାରମ୍ପରିକତାକୁ ସୁରକ୍ଷିତ ଓ ସଂରକ୍ଷିତ ରଖିବା ପାଇଁ ଏହା ଏକ ଅଭିନବ ପଦକ୍ଷେପ। ଜିଲ୍ଲା ର ସମସ୍ତ ବ୍ଳକ୍ ତଥା ପୌରପରିଷଦରେ ‘ଆମ ରୁଚି ଆମ ଖାଦ୍ୟ’ ଆୟୋଜିତ ହୋଇଯାଇଛି।  ବହୁ ସଂଖ୍ୟାରେ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଆଦି ଉପସ୍ଥିତ ରହି  ପାରମ୍ପରିକ ଓଡ଼ିଆ ଖାଦ୍ୟ ଏପରିକି ମାଣ୍ଡିଆରୁ ପ୍ରସ୍ତୁତ ଯଥା ଏଣ୍ଡୁରି ପିଠା , ଆରିଷା ପିଠା, ମାଣ୍ଡିଆ ପିଠା, ପୋଡ଼ ପିଠା, ଦହିବରା, ମାଣ୍ଡିଆ ସରବତ ଆଦି ପ୍ରଦର୍ଶିତ କରିଥିଲେ। ଏଥି ସହିତ ଓଡ଼ିଆ ଘରର ପରିଚୟ ପଖାଳ ପସରା ମଧ୍ୟ ପରିବେଷଣ କରିଥିଲେ।

ରଘୁନାଥପୁର ଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ  ମୁଖ୍ୟ ଅତିଥି ଭାବେ ଯୋଗଦେଇ  କହିଥିଲେ, “ଓଡ଼ିଆ ନବ ବର୍ଷ ଆମ ସଂସ୍କୃତି ଓ ସ୍ୱାଭିମାନର ପ୍ରତୀକ। ଆଜିର ଏହି କାର୍ଯ୍ୟକ୍ରମ ଆମର ପାରମ୍ପରିକ କଳାକୁ ଉଜ୍ଜୀବିତ ରଖିବାରେ ସାହାଯ୍ୟ କରିବ। ମା’ ମାନଙ୍କ ହାତର ପିଠା ଓ ପଣା ଆମ ଘରେ ଘରେ ଓଡ଼ିଆଣୀର ପରିଚୟ ଦେଇଥାଏ।ଓଡ଼ିଆ ଖାଦ୍ୟ ପରମ୍ପରା କେବଳ ସ୍ୱାଦ ନୁହେଁ, ବରଂ ଏହା ଆମ ପରିଚୟର ଏକ ଅବିଚ୍ଛେଦ୍ୟ ଅଂଶ। ଏହିପରି ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ଆମର ଆଗାମୀ ପିଢ଼ିକୁ ନିଜ ସଂସ୍କୃତି ସହ ଯୋଡ଼ି ରଖିପାରିବା।”

ପ୍ରତ୍ୟେକ ଗୋଷ୍ଠୀକୁ ଅଂଶଗ୍ରହଣ ପ୍ରମାଣପତ୍ର ସହିତ ବିଜେତା ହୋଇଥିବା ସ୍ଵୟଂ ସହାୟକ ଗୋଷ୍ଠୀକୁ ସମ୍ମାନିତ କରିଥିଲେ।

ସେହିପରି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ଜିଲ୍ଲା ପର୍ୟ୍ୟଟନ ବିକାଶ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପର୍ଯ୍ୟଟନ ବିକାଶ ଅଧିକାରୀ ମୀରାବାଈ ବେହେରା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ବିଷ୍ଣୁପ୍ରିୟା ସେଠୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରତିଚୀ ତନୟା ମହାନ୍ତି, ଅବକାରୀ ଅଧିକ୍ଷିକା ଅନିତା ପ୍ରଧାନ ଙ୍କ ସହ ସମସ୍ତ କର୍ମକର୍ତ୍ତା ଆମ ରୁଚି ଆମ ଖାଦ୍ୟ ପାଳନ କରିଥିଲେ।

Leave a Reply

Your email address will not be published. Required fields are marked *