ଗୋଟିଏ ରାତିରେ ଜଣଙ୍କଘରୁ ଚୋରୀ: ୭ଜଣଙ୍କ ଘରୁ ଚୋରୀ ଉଦ୍ୟମ

କଟକ,୦୭/୦୯/୨୦୨୫( ଓଡିଶା ସମାଚାର/ ଅଭୟ ଜେନା)- ସଦର ଥାନା ଅନ୍ତର୍ଗତ ରାମନଗର ଗ୍ରାମରୁ ଗୋଟିଏ ରାତିରେ ଏକାଥରକେ  ସାତ ଜଣଙ୍କ ଘରୁ ଚୋରୀ ଉଦ୍ୟମ କରିବା ଏବଂ ଅନ୍ୟ ଜଣଙ୍କଘରୁ  ଟଙ୍କା ସୁନାରୂପା ଚୋରୀ କରିନେବା ଘଟଣା ସ୍ଥାନୀୟ ଅଂଚଳବାସୀଙ୍କ ଆଖିରୁ ନିଦ ହଜାଇ ଦେଇଛି । ଚୋରଦଳ  ରାମନଗର ଗ୍ରାମର ତ୍ରୈଲୋକ୍ୟ ବେହେରାଙ୍କ ଠାକୁର ଘର ଝରକା ତାଡି କିଛି ଟଙ୍କା,ସୁନା କାନ ଫୁଲ ସହ ଅନ୍ୟାନ୍ୟ ସୁନା ଅଳଙ୍କାର ଲୁଟି ନେବାକୁ ସମର୍ଥ ହୋଇଥିବାବେଳେ ସେଇ ରାତ୍ରିରେ ପ୍ରହଲ୍ଲାଦ ସ୍ୱାଇଁ,ପୂର୍ଣ୍ଣାନନ୍ଦ ବେହେରା,ସନ୍ତୋଷ ମହାନ୍ତି,ସୁଧାକର ଦାସ,ବିମଳ ମହାନ୍ତି,ବାସୁଦେବ ସେଠି ଏବଂ ଉପେନ୍ଦ୍ର ସେଠି ଆଦିଙ୍କ ଘରେ ପଶିବା ପାଇଁ ଉଦ୍ୟମ କରିଥିଲେ ।

କାହାର ଝରକା ତ କାହାର କବାଟ କୁ ଚୋର ମାନେ ତାଡିବା ପାଇଁ ସମର୍ଥ ହୋଇଛନ୍ତି ସତ କିନ୍ତୁ ଘର ଲୋକେ ଉଠି ପଡିବାରୁ ଚୋରୀ କରିବାରେ ସଫଳ ହୋଇପାରିନାହାନ୍ତି । ଯଦିଓ କିଛି ସ୍ଥାନରେ ଚୋରଙ୍କ ଆଂଶିକ ଫଟୋ ସିସିଟିଭିରେ କୟଦ ହୋଇଛି କିନ୍ତୁ ସେମାନଙ୍କୁ ଧରିବା ପାଇଁ ତାହା ପର୍ଯ୍ୟାପ୍ତ ନୁହେଁ ବୋଲି କୁହାଯାଉଛି । ଏ ବାବଦରେ ଦୁଇ ଜଣ ଗ୍ରାମବାସୀ  ଥାନାରେ ଏତେଲା ଦେବାରୁ ପୋଲିସ ଗାଁ କୁ ଯାଇ ତଦନ୍ତ ଆରମ୍ଭ କରିବା ସହ ରାତ୍ରି ପେଟ୍ରୋଲିଙ୍ଗକୁ ଜୋରଦାର କରିଛି । କେବଳ ରାମନଗର ନୁହେଁ ଆଖପାଖ ବିଭିନ୍ନ ଗାଁରେ ମଧ୍ୟ ଚୋରୀ ଘଟଣା ବୃଦ୍ଧି ପାଇବାରେ ଲାଗିଛି ।

ଏଇ କିଛି ଦିନ ହେଲା ଚୋରମାନେ ଅଞ୍ଚଳବାସୀଙ୍କ ଆଖିରୁ ନିଦ ହଜାଇ ଦେଇଥିବାବେଳେ ସଦର ପୋଲିସ ପାଟ୍ରୋଲିଙ୍ଗକୁ ଆହୁରି କଡାକଡ଼ି କରିବା ପାଇଁ ସ୍ଥାନୀୟ ଅଂଚଳବାସୀ ଦାବି ଜଣାଇଛନ୍ତି । ଏଇ ଚୋରୀରେ ନିଶାଡି କିମ୍ବା ସ୍ଥାନୀୟ ଅଂଚଳରେ ଗୃହ ନିର୍ମାଣ କାର୍ଯ୍ୟ ରତଥିବା  ଅନ୍ୟ ରାଜ୍ୟର ଯୁବକମାନଙ୍କ ହାତ ଥାଇପାରେ ବୋଲି ସ୍ଥାନୀୟ ବୁଦ୍ଧିଜୀବୀମାନେ ସନ୍ଦେହ କରୁଛନ୍ତି ।

Leave a Reply

Your email address will not be published. Required fields are marked *