ଅତିରିକ୍ତ ସିକୁରିଟି ବିଜୁଳି ଗ୍ରାହକଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା – ଉପଭୋକ୍ତା ମହାସଂଘ

ଭୁବନେଶ୍ୱର, ୦୩/୧୨/୨୦୨୫ (ଓଡ଼ିଶା ସମାଚାର)-  ଟାଟା ପାୱାର ସେଣ୍ଟ୍ରାଲ ପକ୍ଷରୁ ଆଜି ବିଭିନ୍ନ ଖବର କାଗଜରେ ଏକ ଵିଜ୍ଞାପନ ଦିଆଯାଇ ଅତିରିକ୍ତ ସିକୁରିଟି ବିଜୁଳି ଗ୍ରାହକଙ୍କ ଠାରୁ ଆଦାୟ କରାଯିବ ବୋଲି କୁହାଯାଇଛି । ଏହି ଅତିରିକ୍ତ ସିକୁରିଟି ଗ୍ରାହକଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ବୋଲି ଓଡିଶା ରାଜ୍ୟ ବିଦ୍ୟୁତ ଉପଭୋକ୍ତା ମହାସଂଘ ପକ୍ଷରୁ କୁହାଯାଇଛି ।

ମହାସଂଘ ର ଅଧ୍ୟକ୍ଷ ପଞ୍ଚାନନ କାନୁନଗୋ ଓ ସମ୍ପାଦକ ରବି ବେହେରା ଏକ ମିଳିତ ବିବୃତି ଦେଇ କହିଛନ୍ତି ଯେ ଟାଟା ପୱାରକୁ ସରକାର ବିଜୁଳି ସେବା ଟେକି ଦେଇଥିଲେ । ସେବା ଦେବା ବଦଳରେ ଟାଟା ପାୱାର ଓଡିଶାବାସୀଙ୍କୁ ଶୋଷଣ କରି ଚାଲିଛି । ବିଭିନ୍ନ ଆଳ ଦେଖାଇ ଟାଟା ଓଡିଶାର ଏକ କୋଟି ଏଗାର ଲକ୍ଷ ଗ୍ରାହକଙ୍କୁ ଶୋଷଣ କରୁଛି । ଅତିରିକ୍ତ ସିକୁରିଟି ସେହି ଶୋଷଣର ଅନ୍ୟ ଏକ ତରିକା ବୋଲି ଉଭୟ ନେତା କହିଛନ୍ତି ।

ସରକାର ତୁରନ୍ତ ହସ୍ତକ୍ଷେପ କରି ଏହି ଅତିରିକ୍ତ ସିକୁରିଟି ଆଦାୟକୁ ବନ୍ଦ କରନ୍ତୁ । ତା ନ ହେଲେ ବିଜୁଳି ସେବାକୁ ନେଇ ଲୋକଙ୍କ ଭିତରେ ଯେଉଁ ଅସନ୍ତୋଷ ଲାଗି ରହିଛି ,ତାହା ଏକ ବିସ୍ଫୋରଣ ରୂପ ନେଇ ଏକ ବିରାଟ ଗଣ ଆନ୍ଦୋଳନକୁ ଜନ୍ମ ଦେବ ଯେଉଁଥି ପାଇଁ ସରକାର ଓ ଟାଟା ପାୱାର ଦାୟୀ ରହିବେ ବୋଲି ସେମାନେ କହିଛନ୍ତି । ଆଗାମୀ ଦିନରେ ପରୀକ୍ଷା ଋତୁକୁ ଆଖିରେ ରଖି ନିରବଛିନ୍ନ ବିଜୁଳି ଯୋଗାଣ କରିବାକୁ ଉପଭୋକ୍ତା ମହାସଂଘ ଦାବି କରିଛି ।

Leave a Reply

Your email address will not be published. Required fields are marked *