ଘଟଗାଁ, ୧୩/୦୪/୨୦୨୬ (ଓଡିଶା ସମାଚାର )-ଘଟଗାଁ ମା ତାରିଣୀଙ୍କ ଚଇତି ପର୍ବ ରବିବାର ଚତୁର୍ଥ ଦିବସରେ ଚିରାଚରିତ ପ୍ରଥା ଅନୁଯାୟୀ ପୂଜାର୍ଚ୍ଚନା ସହ ସମସ୍ତ ପୂଜା ଯଥାବିଧି ଅନୁଷ୍ଠିତ ହୋଇଥିଲା। ସୁନା ବେଶ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଗହଳି ଲାଗି ରହିଥିଲା। ମନ୍ଦିର ଏବଂ ବଜାର ପରିସରରେ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଥିଲା। ଏହି ଚତୁର୍ଥ ଦିବସରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
କାର୍ଯ୍ୟକ୍ରମରେ ଭୁବନେଶ୍ୱର ଶୁଭଶ୍ରୀ କଳା ନିକେତନ ଆଧ୍ୟାତ୍ମିକ ନୃତ୍ୟ ପରିବେଷଣ କରିଥିଲେ। ଏଥି ସହ ବିଶିଷ୍ଟ କଣ୍ଠଶିଳ୍ପୀ ସୌରଭ ଭରଦ୍ୱାଜ ଓ ଗ୍ରୁପ ଭଜନ ପରିବେଷଣ କରିଥିଲେ ଏବଂ କୋଶଳ ଫକ ଏକାଡେମୀ ବଲାଙ୍ଗୀର କଳା ପ୍ରଦର୍ଶନ କରିଥିଲା। ଦିଲ୍ଲୀପ କୁମାର ଶର୍ମା , କୋଇଡାଙ୍କ ସୌଜନ୍ୟରୁ ଭକ୍ତଙ୍କୁ ଅନ୍ନ ପ୍ରସାଦ ବିତରଣ କରା ଯାଇଥିଲା। ସନ୍ଧ୍ୟାରେ ପାଲା ମଣ୍ଡପରେ ସତ୍ୟ ନାରାୟଣ ପୂଜା କରା ଯାଇଥିଲା।
ପରେ ଗାୟକ ସୁଧାକର ବାଳକୃଷ୍ଣ ମିଶ୍ର ଶେରଗଡ଼ , ଗଞ୍ଜାମ ଦାସ କାଠିଆ ପରିବେଷଣ କରିଥିଲେ ଏବଂ କୁନି ପ୍ରବଚକ କେଶବ ଦାସ ଦ୍ୱିତୀକୃଷ୍ଣ ପ୍ରବଚନ ପ୍ରଦାନ କରିଥିଲେ। ରାତ୍ର କାର୍ଯ୍ୟକ୍ରମରେ ଗାୟକ ଧିରେନ ମହାନ୍ତି ଏବଂ ଗାୟକ ସଚ୍ଚିଦାନନ୍ଦ ଦାଶ ପାଲା ପରିବେଷଣ କରିଥିଲେ। ବିଭିନ୍ନ ସଂଘ , ଧାର୍ମିକ ଏବଂ ସ୍ବେଛାସେବୀ ଅନୁଷ୍ଠାନର ସଦସ୍ୟ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
