ମହିଳାମାନଙ୍କ ସୁରକ୍ଷା ସଂପର୍କିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

ମହିଳାମାନଙ୍କ ସୁରକ୍ଷା ଓ ନିରାପତ୍ତା ନେଇ  ଓଡ଼ିଶା ସରକାରଙ୍କ  ପଦକ୍ଷେପକୁ   ଜାତୀୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ପ୍ରଶଂସା

ରାଜ୍ୟର  ମହିଳାକେନ୍ଦ୍ରିକ  ପ୍ରମୁଖ କାର୍ଯ୍ୟକ୍ରମ ଓ ସଫଳତା ସଂପର୍କରେ  ମୁଖ୍ୟ ଶାସନ ସଚିବଙ୍କ ଆଲୋକପାତ

ଭୁବନେଶ୍ୱର, ୧୦/୦୪/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଲୋକ ସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ  ଜାତୀୟ ମହିଳା ଆୟୋଗ କମିଶନରର ମାନ୍ୟବର ଅଧ୍ୟକ୍ଷା ଶ୍ରୀମତୀ ବିଜୟା ରହାଟକରଙ୍କ ଉପସ୍ଥିତିରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ନାରୀ ସୁରକ୍ଷା,ସେମାନଙ୍କ ନିରାପତ୍ତା  ଓ ସଶକ୍ତିକରଣ କ୍ଷେତ୍ରରେ ଓଡ଼ିଶା ସରକାରଙ୍କ ଜାରି ରହିଥିବା ବିଭିନ୍ନ କାର୍ଯ୍ୟକ୍ରମ ଓ  ଆଗାମୀ ପଦକ୍ଷେପ ସଂପର୍କରେ ସମୀକ୍ଷା କରାଯାଇଥିଲା ।

ଏହି ବୈଠକରେ  ମୁଖ୍ୟ ଶାସନ ସଚିବ, ଓଡ଼ିଶା  ଶ୍ରୀମତୀ ଅନୁ ଗର୍ଗ, ଅତିରିକ୍ତ ମୁଖ୍ୟ ଶାସନ  ସଚିବ ଗୃହ, ଶିଳ୍ପ ଓ ସୂଚନା ଓ ଲୋକ ସଂପର୍କ  ବିଭାଗ ଶ୍ରୀ ହେମନ୍ତ ଶର୍ମା,  ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ଓ୍ୱାଇ.ବି ଖୁରାନିଆଙ୍କ ସମେତ  କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ମିଶନ ଶକ୍ତି, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ଉଚ୍ଚ ଶିକ୍ଷା, ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ  ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ ଓ ସଂଖ୍ୟାଲଘୁ କଲ୍ୟାଣ ବିଭାଗର ସଚିବମାନେ ଉପସ୍ଥିତ  ଥିଲେ ।  ଏଥି ସହିତ, ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ସ୍ତରର ଅଧିକାରୀମାନେ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ବୈଠକରେ ଅଂଶଗ୍ରହଣ କରିଥିଲେ ।

ବୈଠକରେ ମହିଳା ଓ ଶିଶୁ ବିକାଶ ବିଭାଗ, ମିଶନ ଶକ୍ତି ବିଭାଗ ଓ ଗୃହ ବିଭାଗ ପକ୍ଷରୁ  ମହିଳା  ସଶକ୍ତିକରଣ ଓ ସୁରକ୍ଷା ପ୍ରତି ଓଡ଼ିଶାର ସମଗ୍ରିକ  ଓ ସମନ୍ୱିତ  ପଦକ୍ଷେପ ସଂପର୍କରେ ବିସ୍ତୃତ  ଉପସ୍ଥାପନ କରାଯାଇଥିଲା ।

ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ, ମହିଳା ସଶକ୍ତିକରଣ ଓ ସୁରକ୍ଷା ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ଓଡ଼ିଶା ସରକାରଙ୍କ ପ୍ରମୁଖ ପଦକ୍ଷେପ, ସଫଳତା ନେଇ ଆଲୋକପାତ କରିଥିଲେ । ‘ସୁଭଦ୍ରା’, ‘ଲଖପତି ଦିଦି’, ‘ମିଶନ ଶକ୍ତି କାଫେ’, ‘ପୋଷଣ’, କ୍ରେଚ୍ ସେବା, ‘ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା, , ମହିଳା କେନ୍ଦ୍ରିକ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଏବଂ ବିଭିନ୍ନ ବିଭାଗ ମାଧ୍ୟମରେ କାର୍ଯ୍ୟକାରୀ ହେଉଥିବା  ଅନ୍ୟାନ୍ୟ ମହିଳା କେନ୍ଦ୍ରିକ କାର୍ଯ୍ୟକ୍ରମ, ସେଥିରେ ମହିଳାମାନଙ୍କର  ଅଧିକାର ଓ ସୁବିଧା ଉପଲବ୍ଧ ହେଉଥିବା ନେଇ ସୂଚନା ଦେଇଥିଲେ ।

ଜାତୀୟ ମହିଳା କମିଶନ ମାନ୍ୟବର ଅଧ୍ୟକ୍ଷା  ଶ୍ରୀମତୀ ବିଜୟା ରହାଟକର ନାରୀମାନଙ୍କ  ସୁରକ୍ଷା ଓ ନିରାପତ୍ତା  ସୁନିଶ୍ଚିତ କରିବାରେ ଓଡ଼ିଶା ସରକାରଙ୍କ  ପ୍ରତିଷ୍ଠାନଗତ  ବିଭିନ୍ନ   ବ୍ୟବସ୍ଥା  ଓ ଆଗୁଆ  ପଦକ୍ଷେପମାନଙ୍କୁ  ପ୍ରଶଂସା କରିଥିଲେ । ସେ ମିଶନ ଶକ୍ତି ଅଧୀନରେ ‘ସୁଭଦ୍ରା’ ଯୋଜନା ଏବଂ ମିଶନ ଶକ୍ତି ମାଧ୍ୟମରେ  ‘ଲଖପତି ଦିଦି’ ପଦକ୍ଷେପର ସଫଳତାକୁ ମଧ୍ୟ ପ୍ରସଂଶା  କରିଥିଲେ ଏବଂ ଏହା ମହିଳାମାନଙ୍କ ଆର୍ଥିକ ସ୍ୱାଧୀନତା ଓ ନେତୃତ୍ୱକୁ ପ୍ରୋତ୍ସାହିତ କରିବାରେ କିପରି  ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଉଛି, ସେ ସଂପର୍କରେ ଆଲୋଚନା କରିଥିଲେ ।

ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ଆହୁରି ମଧ୍ୟ ଓଡ଼ିଶାର ଅଭିନବ  ପଦକ୍ଷେପଗୁଡ଼ିକୁ ପ୍ରଶଂସା କରିଥିଲେ, ବିଶେଷ କରି ୟୁଏନଏଫିପିଏ ସହଯୋଗରେ ବିକଶିତ ‘ଶକ୍ତି ଆପ୍’, ଯାହା ପ୍ରଯୁକ୍ତିଭିତ୍ତିକ ପ୍ରୟାସରେ  ଲିଙ୍ଗଭିତ୍ତିକ ହିଂସା ମାମଲାଗୁଡ଼ିକ ସମନ୍ୱିତ ପ୍ରତିକ୍ରିୟା ଓ କାର୍ଯ୍ୟାନୁଷ୍ଠାନ  ସୁନିଶ୍ଚିତ କରୁଛି  ଏବଂ ଏପରି ବ୍ୟବସ୍ଥାଗୁଡ଼ିକୁ ଆହୁରି ସୁଦୃଢ଼ କରିବାର ଆବଶ୍ୟକତା ସଂପର୍କରେ ସେ ଗୁରୁତ୍ୱାରୋପ କରିଥିଲେ ।   ସେ କିଶୋରୀ ଓ ଯୁବତୀମାନଙ୍କ ସଶକ୍ତିକରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ‘ଅଦ୍ୱିକା’ କାର୍ଯ୍ୟକ୍ରମ ଏବଂ ଉଚ୍ଚ ଶିକ୍ଷା ବିଭାଗର ‘ଶକ୍ତିଶୀ’ ପରି ପଦକ୍ଷେପକୁ  ମଧ୍ୟ ପ୍ରଶଂସା କରିଥିଲେ । ସେ ମାନବ ଚାଲାଣ  ଏବଂ ଅନ୍ୟାନ୍ୟ ଲିଙ୍ଗଭିତ୍ତିକ ହିଂସା  ସମ୍ବନ୍ଧୀୟ ପଡିରହିଥିବା  ମାମଲାଗୁଡ଼ିକର ଶୀଘ୍ର ସମାଧାନର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ । ଏହା ଫଳରେ ସମୟୋପଯୁକ୍ତ ନ୍ୟାୟ ସୁନିଶ୍ଚିତ ହେବ ଏବଂ ଏଥିପାଇଁ ସମସ୍ତ ସ୍ତରରେ ପ୍ରତିକ୍ରିୟା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରି ପରାମର୍ଶ ଦେଇଥିଲେ । ସେ ମଧ୍ୟ “ପୋଶ” ଆଇନ ଓ ଅନ୍ୟାନ୍ୟ ମହିଳା ସୁରକ୍ଷା ସମ୍ବନ୍ଧୀୟ ଆଇନର  ଦୃଢ଼ କାର୍ଯ୍ୟାନ୍ୱୟନ ସହିତ ରାଜ୍ୟ ଓ ଜିଲ୍ଲା ସ୍ତରରେ ବିଭାଗ ମଧ୍ୟରେ  ସମନ୍ୱୟକୁ ଅବ୍ୟାହତ ରଖିବାର ଆବଶ୍ୟକତାକୁ  ଗୁରୁତ୍ୱ ଦେଇଥିଲେ  ।  ସେ ଆହୁରି ମଧ୍ୟ “ତେରେ ମେରେ ସପ୍ନେ” ନାମକ ବିବାହ ପୂର୍ବ ଯୋଗାଯୋଗ କେନ୍ଦ୍ର ( ପ୍ରି ମାରିଟାଲ କମ୍ୟୁନିକେସନ ସେଣ୍ଟର) ପ୍ରତ୍ୟେକ ଜିଲ୍ଲାରେ ଜିଲ୍ଲାପାଳମାନଙ୍କ ନେତୃତ୍ୱରେ ସ୍ଥାପିତ କରାଯିବା ଉଚିତ ବୋଲି ମଧ୍ୟ ଉଲ୍ଲେଖ କରିଥିଲେ, ଯାହା ଏକ ସମନ୍ୱିତ ଓ ସୁସ୍ଥ ପରିବାରିକ ଜୀବନକୁ ପ୍ରୋତ୍ସାହନ ଦେବ ।

ଏହି ବୈଠକ  ଓଡ଼ିଶାର ପ୍ରତ୍ୟେକ ମହିଳା ସୁରକ୍ଷିତ, ସମ୍ମାନର ଓ ସୁଯୋଗର ସହିତ ସହ ବଂଚିବା ଓ  ଜୀବିକା ନିର୍ବାହ କରିବାରେ  ରାଜ୍ୟର  ଦୃଢ଼ ପ୍ରତିବଦ୍ଧତାକୁ  ଦୋହରାଇଛି ।

-0-

ପଠାଣି ରାଉତ ,ଲୋକ ସଂପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *