ଲାଗିନି ବଜ୍ରପାତ ନିରୋଧ ଉପକରଣ – – ବଳଦେବଜୀଉ ମନ୍ଦିର ଜଗମୋହନ ଖମ୍ବରେ ଫାଟ

କେନ୍ଦ୍ରାପଡ଼ା, ୨୨/୦୮/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ସିଦ୍ଧବଳଦେବଜୀଉଙ୍କ ମନ୍ଦିର ଜଗମୋହନ ଖୁମ୍ବର ଫାଟ ସୃଷ୍ଟି ହୋଇଛି । ଏହାଦ୍ୱାରା ମୁଖ୍ୟ ମନ୍ଦିର ପ୍ରତି ବିପଦ ସୃଷ୍ଟି ହୋଇଛି । ଚାରିଶହ ବର୍ଷର ପୁରୁଣା ଏହି ମନ୍ଦିରର ସ୍ଥାୟିତ୍ୱକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି । ଏତେ ପୁରୁଣା ମନ୍ଦିରର ରକ୍ଷଣା ବେକ୍ଷଣ କାର୍ଯ୍ୟ ଯେଭଳି ହେବା କଥା ସେଭଳି ହେଉନାହିଁ । କୁଜଙ୍ଗ ରାଜପରିବାର ଉଦ୍ୟମରେ ଏହି ମନ୍ଦିର ନିର୍ମାଣ ହୋଇଥିଲା । ମନ୍ଦିରକୁ ପ୍ରତିଦିନ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ହଜାର ହଜାର ଭକ୍ତ ଆସିଥାନ୍ତି । ବଡ଼ଭାଇ ଶ୍ରୀବଳଦେବଜୀଉଙ୍କ ଦର୍ଶନ କଲେ ମହାପୂଣ୍ୟ ମିଳେ ବୋଲି ଶ୍ରଦ୍ଧାଳୁଙ୍କ ବିଶ୍ୱାସ ରହିଛି । ହେଲେ ମନ୍ଦିରର ରକ୍ଷଣା ବେକ୍ଷଣା କାର୍ଯ୍ୟ ପ୍ରତ୍ନତତ୍ୱ ବିଭାଗ ନିୟମିତ କରୁ ନାହିଁ ।

ଯାହା ଫଳରେ ମନ୍ଦିରର ସ୍ଥାୟିତ୍ୱକୁ ନେଇ ଭକ୍ତମାନେ ପ୍ରଶ୍ନ କରିଛନ୍ତି । ଏ ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରତ୍ନତତ୍ୱ ବିଭାଗ, ଦେବୋତର ଆୟୁକ୍ତ ଓ ଜିଲାପାଳଙ୍କୁ ଅବଗତ କରାଯାଇଛି । ଶ୍ରୀବଳଦେବଜୀଉଙ୍କ ସଂସ୍କୃତି ଉପରେ ଗବେଷଣା କରୁଥିବା ନିରଞ୍ଜନ ମେକାପ କୁହନ୍ତି ସପ୍ତଦଶ ଶତାବ୍ଦୀର ଶେଷ ଭାଗରେ କୁଜଙ୍ଗ ରାଜା ଗୋପୀନାଥ ନରେନ୍ଦ୍ର ଓ ଛେଦରା ବାରଙ୍ଗ କିଲାର ରାଜା ଜଗନ୍ନାଥ ନରେନ୍ଦ୍ର ମହାପାତ୍ରଙ୍କ ମିଳିତ ଉଦ୍ୟମରେ ଶ୍ରୀବଳଦେବଜୀଉଙ୍କ ମନ୍ଦିର ନିର୍ମାଣ କରାଯାଇଥିଲା । ପରବର୍ତୀ ସମୟରେ ୧୭୫୨ ମସିହାରେ ବଳଦେବଜୀଉ ମଠର ପ୍ରଥମ ମରହଟା ମହନ୍ତ ଷଡ଼ଗୋପୀ ରାମାନୁଜ ନାଥ ମଝି ମନ୍ଦିର ବା ଭୋଗ ମଣ୍ଡପ ଓ ବର୍ତମାନର ଜଗମୋହନ ମନ୍ଦିର ନିର୍ମାଣ କରିଥିଲେ । ନିକଟ ଅତୀତରେ ପ୍ରତ୍ନ ତତ୍ୱ ବିଭାଗ ମନ୍ଦିରର ବିଭିନ୍ନ ସ୍ଥାନରେ ମରାମତି କରିଥିଲା ।

୧୮୮୫ ମସିହା ସେପ୍ଟେମ୍ବର ୨୨ ପ୍ରଳୟଙ୍କରୀ ବାତ୍ୟାରେ ଭୋଗ ମଣ୍ଡପର ଚୁଡ଼ା ଭାଙ୍ଗି ଯାଇଥିବାର ପ୍ରମାଣ ଏହି ମରାମତି ସମୟରେ ମିଳିଥିଲା । ଏହାକୁ ମଧ୍ୟ ମରାମତି କରାଯାଇଥିଲା । ମୁଖ୍ୟ ମନ୍ଦିରରେ ବଜ୍ରପାତ ନିରୋଧ ଉପକରଣ ଲଗାଯାଇଥିଲେ ମଧ୍ୟ ୭୦ ଫୁଟ୍ ଉଚର ଜଗମୋହନରେ ଏହି ଉପକରଣ ଲଗାଯାଇନାହିଁ । କେବଳ ସେତିକି ନୁହେଁ ବାଟ ଦେଉଳରେ ମଧ୍ୟ ବଜ୍ରପାତ ନିରୋଧ ଉପକରଣ ଲଗାଯାଇନାହିଁ । ତେଣୁ ବିଭିନ୍ନ ସମୟରେ ଘନ ଘନ ବଜ୍ରପାତ ହେବାରୁ ମନ୍ଦିରରେ ଫାଟ ସୃଷ୍ଟି ହେଉଛି । ତୁରନ୍ତ କେନ୍ଦ୍ର ପ୍ରତ୍ନତତ୍ୱ ବିଭାଗ ଏହାର ମରାମତି କରୁ ନ ହେଲେ ଚାରିଶହ ବର୍ଷର ପୁରୁଣା ଏହି ମନ୍ଦିରଟି ଭଗ୍ନାବସ୍ଥାକୁ ଯେ ନଚାଲି ଆସିବ ସେ କଥାଉ କହିହେବ ନାହିଁ । ଏ ସଂକ୍ରାନ୍ତରେ ମନ୍ଦିର ପ୍ରଶାସନର ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀଙ୍କୁ ପଚାରିବାରୁ ସେ କହିଲେ ଖମ୍ବରେ ଫାଟ ସୃଷ୍ଟି ହୋଇଥିବା ନେଇ ପ୍ରତ୍ନତତ୍ୱ ବିଭାଗ ଅଧୀକ୍ଷକ, ଦେବୋତର ଆୟୁକ୍ତ, ଜିଲାପାଳ ଓ ମହାକାଳପଡ଼ା ବିଧାୟଙ୍କୁ ଚିଠି ଲେଖି ଅବଗତ କରିଛୁ । ପୂର୍ବରୁ ମରାମତି ହୋଇଥିଲେ ମଧ୍ୟ ଏବେ ମରାମତିର ଆବଶ୍ୟକତା ପଡିଛି ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *