ଜଗତସିଂହପୁର,୦୯/୦୪/୨୦୨୬ (ଓଡ଼ିଶା ସମାଚାର)-“ଆମେ ଜାଣିବା, ଆମ ବଜେଟ” ଅଭିଯାନ: ୧–୧୪ ଏପ୍ରିଲ ମଧ୍ୟରେ ପଞ୍ଚାୟତ ସ୍ତର ପର୍ଯ୍ୟନ୍ତ ଆୟୋଜିତ ହେବ। ଏହି ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ନ ରେ ସ୍ଥାନୀୟ ଆଦିକଵି ସାରଳା ଦାସ ସଂସ୍କୃତି ଭବନ ଠାରେ ଜିଲ୍ଲା ସ୍ତରୀୟ ବଜେଟ କର୍ମଶାଳା, “ଆମେ ଜାଣିବା, ଆମ ବଜେଟ” ଆୟୋଜିତ ହୋଇଯାଇଛି।
ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସାଂସଦ ଜଗତସିଂହପୁର ଶ୍ରୀ ବିଭୁ ପ୍ରସାଦ ତରାଇ କହିଲେ ଯେ,୨୦୨୬-୨୭ ଆର୍ଥିକ ବର୍ଷର ବଜେଟ୍ ଆମ ସମୃଦ୍ଧ ଓଡ଼ିଶା ଭିଜନର ଲକ୍ଷ୍ୟ ହାସଲ ନିମନ୍ତେ ଏକ ସୁଦୃଢ଼
ମୂଳଦୂଆ ସାବ୍ୟସ୍ତ ହେବ।ଚଳିତ ବର୍ଷର ବଜେଟ ଅଟକଳ, ବିଗତ ବର୍ଷର ବଜେଟ ଅଟକଳ ଠାରୁ ୭ ପ୍ରତିଶତ ଅଧିକ।
ବଜେଟ ସମ୍ପର୍କିତ ଏହି ସଚେତନତା କାର୍ଯ୍ୟକ୍ରମ ରେ ବଜେଟ ର ସବିଶେଷ ଆଲୋଚନା ହେବ ଯାହା ଲୋକମାନଙ୍କ ମଧ୍ୟରେ ଚେତନା ଜାଗ୍ରତ କରିବ।
ଏହି ବଜେଟ୍ ଓଡ଼ିଶାକୁ ପୂର୍ବଭାରତର ଏକ ପ୍ରମୂଖ ଲଜିଷ୍ଟିକ୍ ଏବଂ ଯୋଗାଯୋଗ ହବ୍ ଭାବରେ ଗଢ଼ି ତୋଳିବ ବୋଲି ସାଂସଦ କହିଥିଲେ। ଏଥିସହିତ ରାଜନୈତିକ ଇଚ୍ଛାଶକ୍ତି, ପ୍ରାଶାସନିକ ସହଯୋଗ ଓ ଜନସାଧାରଣ ଙ୍କ ସହଭାଗିତା ମିଶିଲେ ଯାଇ ଏକ ସୁଦୃଢ଼ ଶୃଙ୍ଖଳ ତିଆରି ହୋଇପାରିବ ଯାହା ରାଜ୍ୟ ତଥା ଜିଲ୍ଲା କୁ ବିକାଶ ପଥରେ ଅଗ୍ରସର କରାଇବ।ସେ ଜନସାଧାରଣଙ୍କୁ ଏହି ପ୍ରକ୍ରିୟାରେ ସକ୍ରିୟ ଭାଗ ନେଇ ତାଙ୍କର ମତାମତ ପ୍ରଦାନ କରିବାକୁ ଆହ୍ୱାନ କରିଥିଲେ ।
କର୍ମଶାଳା ରେ ଵିଶିଷ୍ଟ ଅତିଥି ଭାବରେ ନିର୍ମାଣ ବିଭାଗ ତଥା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂ (ଭା. ପ୍ର .ସେ) ଯୋଗଦେଇ କହିଲେ ଯେ ଆମେ ଜାଣିବା ଆମ ବଜେଟ କାର୍ଯ୍ୟକ୍ରମ ରାଜ୍ୟ ସରକାର ଙ୍କ ଏକ ଅଭିନବ ପ୍ରୟାସ। ଏହି କାର୍ଯ୍ୟକ୍ରମ ମାଧ୍ୟମ ରେ ଅତ୍ୟନ୍ତ ସରଳ ଭାଷାରେ ବଜେଟ ଜନ ସାଧାରଣ ଙ୍କ ପାଖରେ ପହଞ୍ଚିବ।ଜଗତସିଂହପୁର ଜିଲ୍ଲା କେବଳ ଓଡ଼ିଶା ନୁହେଁ ବରଂ ଭାରତ ଅର୍ଥନୈତିକ ମାନଚିତ୍ର ରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ବୋଲି ସଚିବ କହିଥିଲେ। ଜିଲ୍ଲା ର ପାରାଦ୍ଵୀପ ବନ୍ଦର, ଆଇ ଓ ସି ଏଲ ଭଳି ରାଷ୍ଟ୍ରୀୟ ଉଦ୍ୟୋଗ ଯୋଗୁଁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ରେ ଜିଲ୍ଲା ମୁଖ୍ୟ ଭୂମିକା ଗ୍ରହଣ କରିଛି। ଦେଶର ଭିଜନ୍ ସହିତ ତାଳ ମିଳାଇ ରାଜ୍ୟ ସରକାର ୨୦୪୭ ସୁଦ୍ଧା ମୁଣ୍ଡପିଛା ଆୟକୁ ୧.୮ ଲକ୍ଷ ଟଙ୍କାରୁ ୩୨ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା, ଜୀବନଧାରଣର ମାନରେ ଉନ୍ନତି ଆଣିବା, ବହୁମୁଖୀ ଦାରିଦ୍ର୍ୟକୁ ୫ ପ୍ରତିଶତକୁ ହ୍ରାସ କରିବା, ମହିଳା ଶ୍ରମିକଙ୍କ ଅଂଶଗ୍ରହଣକୁ ୭୦ ପ୍ରତିଶତକୁ ବୃଦ୍ଧି କରିବା, ହାରାହାରି ଆୟୁଷକୁ ୮୦ ବର୍ଷରୁ ଅଧିକ କରିବା ଏବଂ ରକ୍ତହୀନତା ଓ ଅପପୁଷ୍ଟିକୁ ସମ୍ପୂର୍ଣ୍ଣ ଦୂର କରିବା ପାଇଁ ଲକ୍ଷ୍ୟ ରଖିଛି । ଏହି ବଜେଟ କୁ GYAN ର ସଂଜ୍ଞା ଦେଇ ଗରିବ, ୟୁଥ୍, ଅନ୍ନଦାତା ଓ ନାରୀ ସଶକ୍ତିକରଣ ର ବଜେଟ ବୋଲି ସେ କହିଥିଲେ।
। ଏହି ବଜେଟ୍ରେ ମୋଟ ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବାବେଳେ ପୁଞ୍ଜି ବ୍ୟୟକୁ ବିଶେଷ ଗୁରୁତ୍ୱ ଦିଆଯାଇଛି । ଚଳିତ ବର୍ଷର ବଜେଟ, ବିଗତ ବର୍ଷର ବଜେଟ ଅଟକଳ ଠାରୁ ୭ ପ୍ରତିଶତ ଅଧିକ । ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଅର୍ଥନୈତିକ କରିଡର (BCPPER), ଜିଲ୍ଲା ରେ ଇଞ୍ଜିନିୟରିଂ ଓ ମେଡିକାଲ କଲେଜ, ୟୁନିଭରସିଟି , ନୂତନ ଇଣ୍ଡଷ୍ଟ୍ରି ଓ ଯୁବକ ମାନଙ୍କ ପାଇଁ ରୋଜଗାର, ପୋର୍ଟ ବେସଡ ଉନ୍ନତି, ଦକ୍ଷତା ବିକାଶ ଆଦିକୁ ଗୁରୁତ୍ୱ ଦିଆଯାଇଛି।ଜାତୀୟ ଜଳପଥ-୫, ଏବଂ ବିଭିନ୍ନ ନୂତନ କରିଡର ଓ ପୋର୍ଟ ପ୍ରକଳ୍ପ ମାଧ୍ୟମରେ ଓଡ଼ିଶାକୁ ଏକ ଶକ୍ତିଶାଳୀ ଲଜିଷ୍ଟିକ୍ସ ହବ୍ରେ ପରିଣତ କରାଯିବ ।
ଗ୍ରାମୀଣ ଉନ୍ନୟନ, ରୋଜଗାର ସୃଷ୍ଟି ଓ ଦାଦନ ସମସ୍ୟାର ସମାଧାନ ପାଇଁ ବିଶେଷ ପଦକ୍ଷେପ ନିଆଯାଇଛି । ମହିଳାଙ୍କ ପାଇଁ ବିଶେଷ ବ୍ୟୟବରାଦ ସହିତ ‘ସୁଭଦ୍ରା’ ଯୋଜନା, ‘ଲକ୍ଷପତି ଦିଦି’ ଏବଂ ‘ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ’ ଭଳି ପଦକ୍ଷେପ ନାରୀ ସଶକ୍ତିକରଣକୁ ଆହୁରି ଶକ୍ତିଶାଳୀ କରିବ । ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ନୂତନ ମେଡିକାଲ କଲେଜ, ବିଶ୍ୱବିଦ୍ୟାଳୟ ଓ ICU ସୁବିଧା ସୃଷ୍ଟି ମାଧ୍ୟମରେ ସାଧାରଣ ଲୋକଙ୍କୁ ଉତ୍ତମ ସେବା ଯୋଗାଇ ଦିଆଯିବ ବୋଲି ସଚିବ କହିଥିଲେ।
କାର୍ଯ୍ଯକ୍ରମ ରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ଜେ ସୋନାଲ କହିଥିଲେ ଯେ, ୧୪ ଏପ୍ରିଲ ପର୍ଯ୍ୟନ୍ତ ଜିଲ୍ଲା ର ସମସ୍ତ ସ୍ତରରେ “ଆମେ ଜାଣିବା, ଆମ ବଜେଟ” କାର୍ଯ୍ୟକ୍ରମ ଆୟୋଜିତ ହୋଇ ବଜେଟର ବିଭିନ୍ନ ପାର୍ଶ୍ୱକୁ ସରଳ ଭାଷାରେ ଲୋକଙ୍କ ନିକଟକୁ ପହଞ୍ଚାଯିବ । ଜିଲ୍ଲା ରେ ବ୍ଲୁ ଫ୍ଲାଗ ବିଚ୍,ଭି ବି ଜି ରାମ ଜି( ବିକଶିତ ଭାରତ ଗ୍ୟାରେଣ୍ଟି ଫର୍ ରୋଜଗାର ଆଣ୍ଡ ଆଜୀବିକା ମିଶନ) ଦ୍ଵାରା ୨୦୨୭ ସୁଦ୍ଧା ସମସ୍ତ ଗ୍ରାମ ରେ ଅତ୍ୟାବଶ୍ୟକ ସେବା ଯୋଗାଇବା ସହ ଜଳବାୟୁ ଅନୁକୂଳ ଗ୍ରାମ ତିଆରି,ମଧୁବାବୁ ପେନସନ ଯୋଜନା ରେ ସମସ୍ତକୁ ସହାୟତା, ମେଗା ୱାଟର ସ୍ପୋର୍ଟସ, ଉଦ୍ୟମୀ ସ୍କିମ୍ ରେ ନାନୋ ଉଦ୍ୟୋଗକାରୀ ସୃଷ୍ଟି, ଶିଆଳି ବେଳାଭୂମି ଓ ବନ୍ଦର ର ପର୍ୟ୍ୟଟନ ଶିଳ୍ପ ବୃଦ୍ଧି, ସାରଳା ମନ୍ଦିର ଫେଜ ୨, ଆଦି ବିଷୟରେ ଅବଗତ କରିଥିଲେ।
ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଙ୍କିତ କୁମାର ବର୍ମା ମଧ୍ୟ ବଜେଟ ର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ବିଶେଷ କରି ସୁଭଦ୍ରା ସୁରକ୍ଷା ଯୋଜନା, ଡିଜିଟାଇଜେଶନ ବିଷୟରେ ଅବଗତ କରାଇଥିଲେ।
ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ କହିଲେ ଆମର ଏହି ବଜେଟ୍ ହେଉଛି ନାଗରିକ କୈନ୍ଦ୍ରିକ ବଜେଟ୍ । ସାଧାରଣ ଲୋକଙ୍କୁ ଦୃଷ୍ଟିରେ ରଖି ଏହି ବଜେଟ୍ ପ୍ରସ୍ତୁତ କରାଯାଇଛି । ସେ ୨୦୨୬-୨୭ ବଜେଟ ର ମୁଖ୍ୟ ବିନ୍ଦୁ ଗୁଡିକ ଉପସ୍ଥାପନ କରିଥିଲେ।
ଏହି କର୍ମଶାଳାରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ପିଲ୍ଲେ ,ଜଗତସିଂହପୁର ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ ମଞ୍ଚାସୀନ ଥିଲେ।
କର୍ମଶାଳା ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ୍ କୁମାର ରାଉତ, ଅତିରିକ୍ତ ଜିଲ୍ଲାପାଳ ପାରାଦ୍ଵୀପ ଶ୍ରୀ ନିରଞ୍ଜନ ବେହେରା,ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ, ସହର ର ବୁଦ୍ଧିଜୀବି, ଆଇନଜୀବି, ମାତୃଶକ୍ତିଏବଂ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ । ପରେ ପରେ ବଜେଟ୍ ସଂପର୍କିତ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଜରିଆରେ ଜନତା ନିଜର ପ୍ରଶ୍ନ ପଚାରିବା ସହ ମଞ୍ଚାସୀନ ଅତିଥି ଏହାର ଉତ୍ତର ରଖିଥିଲେ। ପରିଶେଷରେ ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ପିଲ୍ଲେ ଧନ୍ୟବାଦ ଅର୍ପଣ କରିଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅତିଥି ପରିଚୟ ପ୍ରଦାନ ସହ ମଞ୍ଚ ପରିଚାଳନା କରିଥିଲେ।
