ଭୁବନେଶ୍ୱର,୨୧/୦୨/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଓଡ଼ିଆ ଭାଷା ପ୍ରତିଷ୍ଠାନ ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀର ମିଳିତ ଆନୁକୂଲ୍ୟରେ ଆଜି ଭୁବନେଶ୍ୱର ସ୍ଥିତ ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ବିଶ୍ୱ ମାତୃଭାଷା ଦିବସ ପାଳିତ ହୋଇଯାଇଛି।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଡ଼ା. ବିଜୟ କେତନ ଉପାଧ୍ୟାୟ ଆଜିର କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଆମ ମାତୃଭାଷା ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାର ନିମନ୍ତେ ସଂସ୍କୃତି ବିଭାଗ ପକ୍ଷରୁ କରାଯାଉଥିବା ବିଭିନ୍ନ ଅଭିନବ କାର୍ଯ୍ୟକ୍ରମ ସମ୍ପର୍କରେ ସମ୍ୟକ ବିବରଣୀ ପ୍ରଦାନ କରିଥିଲେ। ଆମ ମାତୃଭାଷା ପ୍ରତି ଆମ ସମସ୍ତଙ୍କ ମଧ୍ୟରେ ଭଲ ପାଇବା ରହିଛି। ଆମ ଭାଷା ଓଡ଼ିଆ ଆମକୁ ସ୍ୱତନ୍ତ୍ର ଓଡ଼ିଶା ରାଜ୍ୟ ପ୍ରଦାନ କରିଛି। ଆମ ଭାଷା, ସାହିତ୍ୟ ଓ ସମାଜ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ନିଜର ଭାବନାକୁ ଆମେ ମାତୃଭାଷାରେ ପରିପ୍ରକାଶ କରିଥାଉ, ଭାଷାରୁ ସାହିତ୍ୟ ସୃଷ୍ଟି ହୁଏ ଏବଂ ସାହିତ୍ୟ ଆମ ସମାଜର ବାସ୍ତବିକତାକୁ ପ୍ରତିଫଳନ କରେ। ଓଡ଼ିଆ ସାହିତ୍ୟରେ ଉଚ୍ଚକୋଟୀର ଗବେଷଣା ହେବା ଏବଂ ଏହାର ବହୁଳ ପ୍ରଚାର ଓ ପ୍ରସାର ହେବାର ଆବଶ୍ୟକତା ରହିଛି। ଆମ ଯୁବପିଢ଼ି ଆମ ଓଡ଼ିଆ ଭାଷାକୁ ବିଶ୍ୱ ବିଦିତ କରିବା ଦିଗରେ ନିଜର ବହୁମୂଲ୍ୟ ଯୋଗଦାନ ଦେଇ ବିକଶିତ ଓ ସମୃଦ୍ଧ ଓଡ଼ିଶା ଗଠନର ଲକ୍ଷ୍ୟକୁ ପୂରଣ କରିବେ ବୋଲି ବିଶିଷ୍ଟ ଭାଷାବିତ୍ ପଦ୍ମଶ୍ରୀ ଅନ୍ତର୍ଯ୍ୟାମୀ ମିଶ୍ର ଏବଂ ଶିଶୁ ସାହିତ୍ୟିକ ଶ୍ରୀ ଦାଶ ବେନହୁର ମତପ୍ରକାଶ କରିଥିଲେ।
ଶ୍ୱ ମାତୃଭାଷା ଦିବସ ପାଳନ ହେବା ଅବସରରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପ୍ରବନ୍ଧ, ବକ୍ତୃତା, ଶୁଦ୍ଧ ଓଡ଼ିଆ ଲିଖନ ପ୍ରତିଯୋଗିତା ଆୟୋଜନ କରାଯାଇ ପ୍ରତ୍ୟେକ ବିଭାଗରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା କୃତୀ ପ୍ରତିଭାମାନଙ୍କୁ ଯଥାକ୍ରମେ ୧୫୦୦, ୧୨୦୦ ଏବଂ ୧୦୦୦ ଟଙ୍କା ପୁରସ୍କାର ରାଶି ଓ ମାନପତ୍ର ପ୍ରଦାନ କରାଯାଇଥିଲା।
ଆଜିର କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା ପ୍ରତିଷ୍ଠାନର ନିର୍ଦ୍ଦେଶକ ଶ୍ରୀ ଦେବ ପ୍ରସାଦ ଦାଶ, ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଡ଼. ଚନ୍ଦ୍ର ଶେଖର ହୋତା, ଓଡ଼ିଆ ଭାଷା ପ୍ରତିଷ୍ଠାନର ସ୍ୱତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ଡ଼. ସିଦ୍ଧାର୍ଥ ଶଙ୍କର ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ।
-0-
ଅମ୍ଳାନ ଦାସ ,ଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ
