ସ୍ୱ-ଗଣନା ପୋର୍ଟାଲ ମାଧ୍ୟମରେ ମୁଖ୍ୟ ଶାସନ ସଚିବଙ୍କ ନିଜସ୍ଵ ତଥ୍ୟ ପ୍ରଦାନ
ଆଜିଠାରୁ ଆରମ୍ଭ ହୋଇଛି ସ୍ଵ – ଗଣନା ବ୍ୟବସ୍ଥା
ଏହି ଜାତୀୟ କାର୍ଯ୍ୟକ୍ରମରେ ସଠିକ ତଥ୍ୟ ପ୍ରଦାନ ପୂର୍ବକ ସମସ୍ତେ ସହଯୋଗ କରନ୍ତୁ : ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ
ଭୁବନେଶ୍ୱର,୦୧/୦୪/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଅଧିନସ୍ଥ ଜନଗଣନା ନିର୍ଦ୍ଦେଶାଳୟ, ଓଡ଼ିଶା ଏବଂ ଓଡ଼ିଶା ରାଜ୍ୟ ସରକାରଙ୍କ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ର ମିଳିତ ସମନ୍ୱୟରେ ସମଗ୍ର ଓଡ଼ିଶାର ୩୦ ଟି ଜିଲ୍ଲାରେ ଜନଗଣନାର ପ୍ରଥମ ପର୍ଯ୍ୟାୟରେ ଗୃହ ଗଣନା ଏବଂ ଗୃହ ତାଲିକା ପ୍ରସ୍ତୁତି ଆଗାମୀ ଅପ୍ରେଲ୍୧୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏହି କାର୍ଯ୍ୟକ୍ରମରେ ଅପ୍ରେଲ୍୧୬ ତାରିଖରୁ ମଇ ୧୫ ତାରିଖ ପର୍ଯ୍ୟନ୍ତ ତାଲିମ ପ୍ରାପ୍ତ ଗଣନାକାରୀ ଓ ସୁପରଭାଇଜର ମାନେ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରିବେ। ଏହା ପୂର୍ବରୁ ଅପ୍ରେଲ୍ ୧ ତାରିଖରୁ ଅପ୍ରେଲ୍୧୫ ତାରିଖ ମଧ୍ୟ ରାତ୍ରି ପର୍ଯ୍ୟନ୍ତ ସ୍ଵ-ଗଣନାର ପ୍ରାବଧାନ ରହିଛି। ଏହି କାର୍ଯ୍ୟକ୍ରମରେ ସେଲ୍ଫ ଏନ୍ୟୁମେରେସନ ପୋର୍ଟାଲ-ଏସଇ(https://se.census.gov.in) ମାଧ୍ୟମରେ ଜନସାଧାରଣ ନିଜର ତଥ୍ୟ ନିଜେ ପ୍ରଦାନ କରିପାରିବେ।
ଏହି ସ୍ଵ-ଗଣନା କାର୍ଯ୍ୟକ୍ରମ ଅପ୍ରେଲ୍୧ ତାରିଖରୁ ଅପ୍ରେଲ୍୧୫ ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଏବଂ ଅପ୍ରେଲ୍୧୬ ତାରିଖରୁ ତାଲିମ ପ୍ରାପ୍ତ ଗଣନାକାରୀ ମାନେ ଘରଘର ବୁଲି ତଥ୍ୟ ସଂଗ୍ରହ କରିବେ ଏବଂ ଆପଣ ପ୍ରଦତ୍ତ କରିଥିବା ତଥ୍ୟର ଯାଞ୍ଚ କରି ଚୂଡ଼ାନ୍ତ କଲାପରେ ଦାଖଲ କରିବେ।
ଭାରତୀୟ ଜନଗଣନାରେ ପ୍ରଥମଥର କରି ସ୍ଵ – ଗଣନାର ପ୍ରାବଧାନ ରଖାଯାଇଛି, ଯାହା ଆଜିଠାରୁ ଆରମ୍ଭ ହେଉଛି ଏବଂ ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ନିଜେ ପୋର୍ଟାଲ ମାଧ୍ୟମରେ ନିଜସ୍ଵ ତଥ୍ୟ ପ୍ରଦାନ କରିଛନ୍ତି ।ଏହି ଜାତୀୟ କାର୍ଯ୍ୟକ୍ରମରେ ସ୍ଵ-ଗଣନା ମାଧ୍ୟମରେ ସଠିକ ତଥ୍ୟ ପ୍ରଦାନ କରି ସହଯୋଗ ପ୍ରଦାନ କରିବାକୁ ମୁଖ୍ୟ ଶାସନ ସଚିବ ଓଡ଼ିଶାର ଜନସାଧାରଣଙ୍କୁ ଅନୁରୋଧ କରିବା ସହ ଏହି ଅବସରରେ ସେ ସମସ୍ତଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।
ଏହି ସ୍ୱ-ଗଣନା ପ୍ରକ୍ରିୟା କାର୍ଯ୍ୟକ୍ରମରେ ଜନଗଣନା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ନିଖିଳ ପବନ କଲ୍ୟାଣ,ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ହେମନ୍ତ କୁମାର ସିଂହ ଓ ଶ୍ରୀ ହାରାଧନ କର୍ମୀ ଏବଂ ସହକାରୀ ନିର୍ଦ୍ଦେଶକ ଶ୍ରୀ ଉମାକାନ୍ତ ସାହୁ ଏବଂ ଭୁବନେଶ୍ୱର ମହାନଗର ନିଗମର ଡେପୁଟୀ କମିଶନର ଶ୍ରୀମତୀ ପ୍ରିୟଦର୍ଶିନୀ ଜେନା ପ୍ରମୁଖ ଉପସ୍ଥିତ ଥିଲେ।
-0-
ପଠାଣି ରାଉତ ,ମୁଖ୍ୟ ଶାସନ ସଚିବଙ୍କ ଲୋକ ସଂପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ
