ଭୁବନେଶ୍ୱର, ୩୧/୦୧/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆଗାମୀ ଫେବୃଆରୀ ୩ତାରିଖରୁ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ ପ୍ରସ୍ତୁତି ସଂପର୍କରେ ମୁଖ୍ୟଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ଲୋକସେବା ଭବନରେ ଅନୁଷ୍ଠିତ ଏକ ବେଠକରେ ସମୀକ୍ଷା କରିଥିଲେ। ଏହି ସମ୍ମିଳନୀରେ ରାଜ୍ୟରୁ ତଥା ଦେଶବିଦେଶରୁ ବିଭିନ୍ନ ଖ୍ୟାତିସଂପନ୍ନ ଭାଷାବିତ୍, ସାହିତ୍ୟିକ, ଗବେଷକ, ଲେଖକ, ପ୍ରାବନ୍ଧିକ ଓ ଗାଳ୍ପିକ,କବି ଆଦି ଯୋଗଦେବେ। ଜାନୁଆରୀ ୩ ରୁ ୫ ତାରିଖ ପର୍ୟ୍ୟନ୍ତ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହେବାକୁଥିବା ପରିପ୍ରେକ୍ଷୀରେ ବିଭିନ୍ନ ଦିବସରେ ସେମାନଙ୍କ ର ରହଣି, ସୁବିଧାରେ ଯାତାୟତ ବ୍ୟବସ୍ଥା ସଂପର୍କରେ ବୈଠକରେ ଆଲୋଚନା କରାଯାଇଥିଲା। ସମ୍ମିଳନୀ ଆୟୋଜନ ସମୟରେ ସମ୍ମିଳନୀ ସ୍ଥଳ ଓ ଭୁବନେଶ୍ୱର ସହରକୁ ପରିସ୍କାର ପରିଚ୍ଛନ୍ନ ରଖାଯିବା, ସମ୍ମିଳନୀ ସ୍ଥଳରେ ପରିମଳ ବ୍ୟବସ୍ଥା ପ୍ରତି ଭଲ ଭାବରେ ଦୃଷ୍ଟି ଦେବାକୁ ସେ ପରାମର୍ଶ ଦେଇଥିଲେ ।
କାର୍ୟ୍ୟକ୍ରମ ସ୍ଥଳରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ, ଆଲୋକୀ କରଣ, ପ୍ରମୁଖ ଅତିଥିମାନଙ୍କ ବସିବା ସ୍ଥାନକୁ ସ୍ୱତନ୍ତ୍ର ଭାବେ ବ୍ୟବସ୍ଥିତ କରାଯିବା ସଂପର୍କରେ ସେ ପରାମର୍ଶ ଦେଇଥିଲେ। ଅତିଥିମାନଙ୍କୁ ଆଣିବାକୁ ଥିବା ଯାନ ଚାଳକ ମାନଙ୍କୁ ସେମାନଙ୍କର ରହଣି ସ୍ଥାନର ରୁଟ୍ ମ୍ୟାପ୍ ଦିଆଯିବା, ରୁଟ୍ ପ୍ଲାନ ପ୍ରସ୍ତୁତି ସଂପର୍କରେ ସେ ପଚାରି ବୁଝିଥିଲେ ।ସମ୍ମିଳନୀ ରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ରୁ ଯୋଗଦେଉଥିବା ଛାତ୍ରଛାତ୍ରୀମାନେ କିପରି ଠିକ ଭାବରେ, ନିରାପଦରେ ଓ ଶୃଙ୍ଖଳିତ ଭାବେ ଆସିବେ, ବସିବେ ଓ କାର୍ୟ୍ୟକ୍ରମ ସରିବା ପରେ ଯିବେ, ସେ ସଂପର୍କରେ ବୈଠକରେ ଆଲୋଚନା କରାଯାଇଥିଲା।ଏଥିପାଇଁ ପ୍ରତି ବସ ଦାୟିତ୍ୱରେ ଜଣେ ନୋଡାଲ ଅଧିକାରୀ ରହିବେ ।
ବିଭିନ୍ନ ଦିବସରେ ଅନୁଷ୍ଠିତ ହେବାକୁଥିବା ସଂପାନରେ ଯୋଗଦେଉଥିବା ସାହିତିକ, ଭାଷାବିତ୍ ଓ ଅତିଥିମାନଙ୍କ ର ବସିବା ବ୍ୟବସ୍ଥା ପାଇଁ ପ୍ରତି ସଂପାନ ଗୃହ ପରିଚାଳନା ପାର୍ଇ ଜଣେଜଣେ ଦାୟିତ୍ୱବାନ ଅଧିକାରୀ ମୁତୟନ ରହିବା, ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ କାର୍ୟ୍ୟକ୍ରମର ସିଧା ପ୍ରସାରଣ ପାଇଁ ବ୍ୟବସ୍ଥା ସହ ପ୍ରତ୍ୟେକ କାର୍ୟ୍ୟକ୍ରମର ସୂଚନା ପ୍ରଦାନ ବ୍ୟବସ୍ଥା ସଂପର୍କରେ ଆଲୋଚନା କରାଯାଇଥିଲା। ପର୍ୟ୍ୟଟନ ବିଭାଗ ତରଫରୁ ରାଜ୍ୟ ଓ ଦେଶ ବାହାରୁ ଆସୁଥିବା ଅତିଥିମାନଙ୍କ ରହଣି ପାଇଁ ବ୍ୟବସ୍ଥା କରାଯାଇଛି।ସମ୍ବର୍ଦ୍ଧିତ ହେବାକୁଥିବା ସମ୍ମାନସ୍ପଦ ବ୍ୟକ୍ତି ବିଶେଷଜ୍ଞଙ୍କୁ ସମ୍ମିଳନୀ ସ୍ଥଳକୁ ସୁବିଧାରେ ନେବା ଆଣିବା ବ୍ୟବସ୍ଥା କରାଯିବ। ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯିବା ସହିତ ସମାରୋହ ଏବଂ ଆୟୋଜନ ହେବାକୁଥିବା ପ୍ରଦର୍ଶନୀକୁ ଯେପରି ଛାତ୍ରଛାତ୍ରୀ ଓ ଜନସାଧାରଣ ଶୃଙ୍ଖଳିତଭାବରେ ଯିବେ ସେଥିପ୍ରତି ବ୍ୟବସ୍ଥା କରାଯିବ। ସମ୍ମିଳନୀ ସ୍ଥଳରେ ଅଗ୍ନିନିର୍ବାପକ ବ୍ୟବସ୍ଥା, ସାଂସ୍କୃତିକ କାର୍ୟ୍ୟକ୍ରମ, ୩ ତାରିଖରୁ ୯ ତାରିଖ ପର୍ୟ୍ୟନ୍ତ ଏକାମ୍ର ଉତ୍ସବ ଆୟୋଜନ,ସହରାଞ୍ଚଳ ଓ ଗ୍ରାମାଞ୍ଚଳରେଥିବା ସ୍କୁଲ କଲେଜ ଏବଂ ବିଭିନ୍ନ ଅନୁଷ୍ଠାନରେ କାର୍ୟ୍ୟକ୍ରମର ସିଧା ପ୍ରସାରଣ ଦେଖିବା ବ୍ୟବସ୍ଥା, ବିଭିନ୍ନ ସ୍ଥାନରେ ଓଡିଶା ସ୍ୱତନ୍ତ୍ର ପ୍ରଦେଶ ଗଠନରେ ଓଡିଶାର ବରପୁତ୍ର, ଓଡିଆ ଭାଷାର ଶାସ୍ତ୍ରୀୟ ମାନ୍ୟତାରେ ଯୋଗଦାନ ଥିବା ବିଶିଷ୍ଟ ବ୍ୟକ୍ତି ଆଦିଙ୍କର ପ୍ରତିମୂତ୍ତି ସ୍ଥଳ ସଫେଇ ଓ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ, ଓଡିଆ ଭାଷାର ସ୍ମୃତି ବହନ କରୁଥିବା ବିଭିନ୍ନ ଐତିହ୍ୟ ସ୍ଥଳୀର ସଫେଇ କରାଯିବା ଆଦି ସଂପର୍କରେ ସେ ଆବଶ୍ୟକ ପରାମର୍ଶ ଦେଇଥିଲେ । 
ଏହି ସମ୍ମିଳନୀକୁ ୩ ତାରିଖ ପୂର୍ବାହ୍ନ ୧୧.୩୦ ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିବାକୁ ଥିବା ବେଳେ ଏହି ସମୟରେ ବ୍ଲକ, ପଂଚାୟତ ସ୍ତରରେ ହେବାକୁଥିବା ସମାରୋହରେ ଏକା ସମୟରେ ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ କରାଯିବା ସଂପର୍କରେ ପ୍ରସ୍ତୁତି ନେଇ ସେ ଆଲୋଚନା କରିଥିଲେ ।ଏହି ସମୟରେ ସାରା ରାଜ୍ୟରେ ସମସ୍ତ ବ୍ଲକ, ଗ୍ରାମ ପଂଚାୟତ ଓ ବିଭିନ୍ନ ଅନୁଷ୍ଠାନରେ କର୍ମଚାରୀ ଓ ଜନସାଧାରଣ ଉପସ୍ଥିତ ରହି ବନ୍ଦେଉତ୍କଳ ଜନନୀ ଗାନ ରେ ସାମିଲ ହେବେ ।
ଭାଷାଭିତ୍ତିକ ରାଜ୍ୟ ଭାବରେ ଗଠିତ ହେବାରେ ଆମ ଓଡିଶା ପ୍ରଥମ ରାଜ୍ୟ । ଏହା ୬ଷ୍ଠ ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଛି । ଓଡିଆ ଭାଷା ସମ୍ମିଳନୀ ଆୟୋଜନ ହେବା ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ । ଓଡିଆ ଭାଷା, ସାହିଦ୍ୟ ଓ ସଂସ୍କୃତିର ସୁରକ୍ଷା ପାଇଁ ପୂର୍ବରୁ ଅନୁଷ୍ଠିତ ଐତିହ୍ୟ କ୍ୟାବିନେଟର ନିଷ୍ପତ୍ତି ଆଧାରରେ ଏହି ସମ୍ମିଳନୀ ଆୟୋଜନ କରାଯାଉଛି । ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନରେ ମୁଖ୍ୟ ଶାସନ ସଚିବ ସମସ୍ତଙ୍କର ସହଯୋଗ କାମନା କରିଥିଲେ ।ଏହି ବୈଠକରେ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟଶାସନ ସଚିବ, ପ୍ରମୁଖ ଶାସନ ସଚିବଙ୍କ ସମେତ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର କମିଶନର ତଥା ଶାସନ ସଚିବ,ରାଜ୍ୟ ପୁଲିସ୍ ମହା ନିର୍ଦ୍ଦେଶକ, ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷର ଉପାଧ୍ୟକ୍ଷ, ଭୁବନେଶ୍ୱର ମହାନଗର ନିଗମର କମିଶନର, ଅନ୍ୟ ସଂପୃକ୍ତ ବିଭିନ୍ନ ବିଭାଗର ସଚିବ, ନିର୍ଦ୍ଦେଶକ ଏବଂ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ । 
ପରେପରେ ମୁଖ୍ୟ ଶାସନସଚିବ ଶ୍ରୀ ଜେନା ଏକ ସ୍ୱତନ୍ତ୍ର ବୈଠକରେ ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳ ମାନଙ୍କ ସହିତ ଜିଲ୍ଲାର ବିଭିନ୍ନ ବ୍ଳକ ଓ ଗ୍ରାମପଂଚାୟତରେ ଓଡିଆ ଭାଷା ସମ୍ମିଳନୀ ଆୟୋଜନ ପରିପ୍ରେକ୍ଷୀରେ ବିଭିନ୍ନ କାର୍ୟ୍ୟକ୍ରମ କରାଯିବା ସଂପର୍କରେ ଆଲୋଚନା କରିଥିଲେ । ବିଭିନ୍ନ ସ୍ଥାନରେ ଥିବା ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା, ଗ୍ରାମପଂଚାୟତ ବ୍ଲକ ସ୍ତରରେ ସାହିତ୍ୟିକ, ପ୍ରାବନ୍ଧିକ, କବି ଆଦିଙ୍କୁ ଉତ୍ସବରେ ସାମିଲ କରିବା, ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ କାର୍ୟ୍ୟକ୍ରମ ଆୟୋଜନ ସମ୍ପର୍କରେ ସେ ଜିଲ୍ଲାପାଳ ମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଥିଲେ ।ଜନସାଧାରଣମାନେ ସ୍ଥାନୀୟ ପାଠାଗାରକୁ ଯାଇ ଓଡ଼ିଆ ପୁସ୍ତକ ଅଧ୍ୟୟନ କରିବା, ଫଟୋ ପ୍ରଦର୍ଶନୀ ଆୟୋଜନ, ସାଂସ୍କୃତିକ କାର୍ୟ୍ୟକ୍ରମ କରାଯିବା, ଭାଷା ସମ୍ମିଳନୀର ଲୋଗୋ ବ୍ୟବହାର କରାଯିବା ଆଦି ସଂପର୍କରେ ସେ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ ।ଏହି ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଉପସ୍ଥିତ ଥିଲେ ।
-୦-
ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ ପ୍ରସ୍ତୁତି ସମ୍ପର୍କରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ
