କେନ୍ଦ୍ରାପଡ଼ା, ୨୨/୦୩/୨୦୨୬ (ଓଡ଼ିଶା ସମାଚାର)- ଜିଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଆୟୋଜିତ ଜିଲାସ୍ତରୀୟ ବିଭିନ୍ନ ସ୍ୱାସ୍ଥ୍ୟ ବୈଠକ ଓ ସମୀକ୍ଷା ଜିଲାପାଳ ରଘୁରାମ ଆର. ଆୟରଙ୍କ ଅଧ୍ୟକ୍ଷତାରେ ପୁରୁଣା ମେଡିକାଲ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ।ବୈଠକରେ ମାତୃ ସ୍ୱାସ୍ଥ୍ୟ, ପ୍ରଜନନ ସ୍ୱାସ୍ଥ୍ୟ, ନବଜାତ ଶିଶୁ ଯତ୍ନ ଓ ଶିଶୁ ମୃତୁ୍ୟ ସମୀକ୍ଷା ସହିତ ଅମ୍ଲାନ, ଟୀକାକରଣ, ପରିବାର ନିୟୋଜନ ଓ ପିସିପିଏନଡିଟି କାର୍ଯ୍ୟକ୍ରମ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । ବିଶେଷକରି ଏଚପିଭି ଟୀକାକରଣ ମାଧ୍ୟମରେ ଜରାୟୁ କର୍କଟ ପ୍ରତିରୋଧ ଉପରେ ଗୁରୁତ୍ୱ ଦିଆଯାଇଥିଲା । ଫେବୃଆରୀ ମାସରେ ଆଳି, କେନ୍ଦ୍ରାପଡ଼ା ଓ ରାଜନଗର ବ୍ଲକରେ ଘଟିଥିବା ଶିଶୁ ମୃତ୍ୟୁ ଘଟଣା ଉପରେ ସମୀକ୍ଷା କରାଯାଇଥିଲା ।
ଆଶା ଓ ମହିଳା ସ୍ୱାସ୍ଥ୍ୟ କର୍ମୀମାନଙ୍କ ଭୂମିକାକୁ ଗୁରୁତ୍ୱ ଦେଇ ଜିଲାପାଳ “ମମତା ଦିବସ” କୁ ଗୁଣାତ୍ମକ ଦିଗ ଓ ସମସ୍ତ ଆବଶ୍ୟକୀୟ ପରୀକ୍ଷା, ଔଷଧ, ଯୁଗ୍ମ ପରିଦର୍ଶନ ଓ ତଦାରଖ ପ୍ରଭୃତି କରିବାକୁ ପରାମର୍ଶ ଦେଇଥିଲେ । ଜିଲାପାଳ ଗର୍ଭବତୀଙ୍କ ପଞ୍ଜିକରଣ, ଡାକ୍ତରଖାନା ରେ ପ୍ରସବ ଓ ଜନ୍ମ ପରବର୍ତୀ ଯତ୍ନକୁ ସୁଦୃଢ କରିବା ସହିତ ବ୍ଲକ ସ୍ତରରେ ଯୁଗ୍ମ ବୈଠକକୁ ତ୍ୱରାନ୍ୱିତ କରିବାକୁ ନିର୍ଦେଶ ଦେଇଥିଲେ । ଓଡିଶାରେ ଯକ୍ଷ୍ମା ସ୍କ୍ରିନିଂରେ ୨୦୨୫ କ୍ୟାଲେଣ୍ଡର ବର୍ଷରେ ନାଟ୍ ମେସିନ୍ ମାଧ୍ୟମରେ ୬୭ହଜାର୧୮୯ ଜଣକୁ ସ୍ପୁଟମ ସାମ୍ପଲ ନେଇ ସ୍କ୍ରିନିଂ କରି କେନ୍ଦ୍ରାପଡ଼ା ଜିଲା ରାଜ୍ୟରେ ପ୍ରଥମ ସ୍ଥାନ ପାଇଥିବାରୁ ଜିଲାପାଳ ସ୍ୱାସ୍ଥ୍ୟ ସେବାରେ ନିୟୋଜିତ ଥିବା ସମସ୍ତ ସେବା ପ୍ରଦାନକାରୀ ଓ ଅଧିକାରୀବୃନ୍ଦଙ୍କୁ ଅଭିନନ୍ଦନ ଜଣାଇଥିଲେ ।
ପ୍ରକାଶ ଥାଉକି ଏହି ସ୍କ୍ରିନିଙ୍ଗ ମାଧ୍ୟମରେ ୪୪୫ ଜଣ ଯକ୍ଷ୍ମା ରୋଗୀ ଚିହ୍ନଟ ହୋଇଛନ୍ତି ଏବଂ ସେମାନଙ୍କୁ ତୁରନ୍ତ ଚିକିତ୍ସା ଆରମ୍ଭ କରାଯାଇଛି । ଏହା ସହିତ ପୁଷ୍ଟି ପୁନର୍ବାସ କେନ୍ଦ୍ରରୁ ଫେରୁଥିବା ପିଲାମାନଙ୍କ ପାଇଁ ଅତିରିକ୍ତ ଖାଦ୍ୟ ସହାୟତା(ଫୁଡ କିଟ୍)ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା । ବୈଠକରେ ସିଡିଏମଓ ଡାÿ. ମନୋରଞ୍ଜନ ରାଉତ, ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ସଚ୍ଚିଦାନନ୍ଦ ମିଶ୍ର, ଡା. ଶ୍ୟାମ ସୁନ୍ଦର ଟୁଡୁ, ଏଡିଏମ ମେଡିକାଲ ଡାÿ. କିଶୋର ଚନ୍ଦ୍ର ମିଶ୍ର, ପ୍ରଶାସନିକ ଅଧିକାରୀ ଦିଲ୍ଲୀପ କୁମାର ନାୟକ, ଜିଲା ସମାଜ ମଙ୍ଗଳ ଅଧିକାରିଣୀ ସୁଷମା ମହାନ୍ତି, ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ, ଫାଇନାନ୍ସସିଆଲ ଅଫିସର ଆଶୁତୋଷ ତ୍ରିପାଠୀ, ଡିପିଏମ ଡ଼. ମନୋରଞ୍ଜନ ସାହୁ, ଏପିଡେମିଓଲୋଜିଷ୍ଟ ଡ଼ା ଅଶୋକ କୁମାର ସାହୁ, ଡି ପି ଏଚ୍ ସି ଓ ଶୁଭ ନାରାୟଣ ନାୟକ, ଡି ପି ସି ବିଶ୍ୱରଞ୍ଜନ ଦାସ ଏବଂ ଆସିଷ୍ଟା ମ୍ୟାନେଜର ଜିତେନ୍ଦ୍ର ଖଡିରତ୍ନଙ୍କ ସମେତ ସମସ୍ତ ମେଡିକାଲ ଅଫିସର ଇନ୍ ଚାର୍ଜ, ସିଡିପିଓ, ପିଏମ, ପିଏଚଇଓ, ଜିଲା ଓ ବ୍ଲକସ୍ତରୀୟ ଜାତୀୟ ସ୍ୱାସ୍ଥ୍ୟ ମିଶନର କର୍ମକର୍ତା ଉପସ୍ଥିତ ଥିଲେ । ଶେଷରେ ଡେପୁଟୀ ମ୍ୟାନେଜର, (ପ୍ରଜନନ ଓ ଶିଶୁ ସ୍ୱାସ୍ଥ୍ୟ) ଡ. ସୁକାନ୍ତ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।
