ଚଳଚ୍ଚିତ୍ରର ମର୍ମସ୍ପର୍ଶୀ ବାର୍ତ୍ତା ବୃହତ୍ତର ସମାଜ ପାଖରେ ପହଂଚିବାର ଆବଶ୍ୟକତା ରହିଛି
ଭୁବନେଶ୍ୱର, ୦୮/୧୧/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଏବଂ କୁସଂସ୍କାରକୁ ସମାଜରୁ ଦୂର କରିବାପାଇଁ ଜଣେ ରୋଗୀକୁ ସ୍ନେହ, ଶ୍ରଦ୍ଧା, ଯତ୍ନ ଓ ସହଯୋଗର ଆବଶ୍ୟକତା ସମ୍ପର୍କରେ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ, କର୍ମଚାରୀ ଏବଂ ଛାତ୍ର-ଛାତ୍ରୀମାନଙ୍କ ମାଧ୍ୟମରେ ଲୋକମାନଙ୍କୁ ସଚେତନ କରିବା ଉଦ୍ଦେଶ୍ୟ ନେଇ ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୃଷି ଭବନ ଅଡିଟୋରିୟମରେ ଦୁଇଟି ଜାତୀୟ ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର ‘କାସଭ’ ଓ ‘ନିଆଲ’ ପ୍ରଦର୍ଶିତ ହୋଇଛି ।
ପ୍ରଖ୍ୟାତ ମାନସିକ ରୋଗ ବିଶେଷଜ୍ଞ ତଥା ଅଭିନେତା ପଦ୍ମଶ୍ରୀ ଡ. ମୋହନ ଆଗସେ ଚଳଚ୍ଚିତ୍ର ପ୍ରଦର୍ଶନକୁ ଉଦ୍ଘାଟନ କରି କହିଥିଲେ ଯେ “ସେ ମଣିଷ ଶରୀରକୁ ବାଦ୍ୟଯନ୍ତ୍ର ଏବଂ ମନକୁ ବାଦ୍ୟଯନ୍ତ୍ରରୁ ନିସୃତ ସଙ୍ଗୀତ ଭାବରେ ଅନେକ ସମୟରେ ଅବିହିତ କରିଆସିଛନ୍ତି । ବାସ୍ତବରେ ମନୁଷ୍ୟ ଶରୀର ଏକ ଚିତ୍ରକରର କ୍ୟାନଭାସ୍ ଭଳି କାରଣ ଏହା ମାଧ୍ୟମରେ ଅନ୍ତରର ଭାବନା ପ୍ରକାଶିତ ହୋଇଥାଏ ।
ଚଳଚ୍ଚିତ୍ର ହେଉଛି ଯୋଗାଯୋଗର ଅନ୍ୟତମ ଶ୍ରେଷ୍ଠ ମାଧ୍ୟମ କାରଣ ଶବ୍ଦ ଅଥବା ପୁସ୍ତକ ମାଧ୍ୟମରେ ଯେଉଁ ଜଟିଳ ଭାବନାକୁ ପ୍ରକାଶ କରାଯାଇପାରେନାହିଁ ସେହି ସମାନ ଭାବନାକୁ ଚଳଚ୍ଚିତ୍ର ମାଧ୍ୟମରେ ବେଶ ସହଜରେ ପ୍ରକାଶ କରାଯାଇପାରେ ବୋଲି ସେ ଉଲ୍ଲେଖ କରିଥିଲେ ।
ଉଭୟ ଚଳଚ୍ଚିତ୍ରର ମାନବିକ ବାର୍ତ୍ତାଗୁଡିକ ମର୍ମସ୍ପର୍ଶୀ । ଏଗୁଡିକ ଏକ ବୃହତ୍ତର ସମାଜ ପାଖରେ ନିଶ୍ଚିତରୂପେ ପହଂଚିବାର ଆବଶ୍ୟକତା ରହିଛି ବୋଲି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର କମିଶନର-ତଥା-ଶାସନ ସଚିବ ଅଶ୍ବତୀ ଏସ୍ କହିଛନ୍ତି ।
‘କାସଭ’ (କଇଁଛ) ପ୍ରକୃତିର ଏକ ଅଭିନ୍ନ ଅଙ୍ଗ ତେଣୁ ପ୍ରାକୃତିକ ସନ୍ତୁଳନ ବଜାୟ ରଖିବା ପାଇଁ ସେମାନଙ୍କର ସଂରକ୍ଷଣର ପ୍ରଭୂତ ଆବଶ୍ୟକତା ରହିଛି । ଅଣ୍ଡା ଦେବା ପାଇଁ ସମୁଦ୍ରକୂଳକୁ ଆସୁଥିବା ଏହି କଇଁଛଗୁଡିକର ସୁରକ୍ଷା ଓ ମାନସିକ ରୋଗରେ ପ୍ରପୀଡ଼ିତ ରୋଗୀମାନଙ୍କୁ ଆତ୍ମିକ ସହଯୋଗ ଏହି ଚଳଚ୍ଚିତ୍ରର ପ୍ରମୁଖ ବିଷୟବସ୍ତୁ।
ଆଧୁନିକ ସମାଜରେ ମାନସିକ ଅବସାଦ ଏକ ବଡ଼ ସମସ୍ୟା ରୂପେ ଦେଖା ଦେଇଛି । ପ୍ରଗତିଶୀଳ ଦୁନିଆ ସହ ତାଳଦେଇ ଚାଲିବାରେ ଅସମର୍ଥତା ଏବଂ ପରିବାର ଓ ସାମାଜିକ ବନ୍ଧନରେ ଅବକ୍ଷୟ ଯୋଗୁଁ ଲୋକମାନଙ୍କ ମଧ୍ୟରେ ନିଃସଙ୍ଗତା କ୍ରମଶଃ ବୃଦ୍ଧି ପାଉଛି । ପ୍ରକୃତିକୁ ନିଖୁଣ ଭାବରେ ଅନୁଧ୍ୟାନ କଲେ ନିଃସଙ୍ଗତା ବା ଅବସାଦରୁ ମୁକ୍ତି ମିଳିପାରିବ, ଯାହାକୁ କଇଁଛର ଜୀବନ ଚକ୍ର ମାଧ୍ୟମରେ ଏହି ଚଳଚ୍ଚିତ୍ରରେ ପ୍ରଦର୍ଶିତ କରାଯାଇଛି ।
ଅନ୍ୟ ଏକ ଜାତୀୟ ପୁରସ୍କାର ବିଜେତା ଚଳଚ୍ଚିତ୍ର “ନିଆଲ” ଲିଉକୋଡର୍ମା ନାମକ ଅଣ-ସଂକ୍ରାମକ ଚର୍ମ ରୋଗ ସମ୍ପର୍କରେ ବର୍ଣ୍ଣନା କରିଛି । ଏହି ରୋଗରେ ପୀଡ଼ିତ ଲୋକମାନେ ସମାଜର ଅଜ୍ଞାନ ଯୋଗୁଁ ଅନେକ ସମସ୍ୟାର ସମ୍ମୁଖୀନ ହୁଅନ୍ତି । ଏହି ରୋଗ ବିଷୟରେ ସମାଜରେ ଥିବା ଭୁଲ ଧାରଣାକୁ ଏହି ଚଳଚ୍ଚିତ୍ରରେ ଦେଖାଯାଇଛି । ‘କାସଭ’ ଭଳି ଏହି ଚଳଚ୍ଚିତ୍ରରେ ମଧ୍ୟ ସମ୍ପୃକ୍ତ ରୋଗୀମାନଙ୍କୁ ଏକ ଶାନ୍ତିପୂର୍ଣ୍ଣ ଓ ସୁଖଦ ଜୀବନ ଦେବା ପାଇଁ ପରିବାର ଏବଂ ସମାଜର ଅକୁଣ୍ଠ ସ୍ନେହ, ଯତ୍ନ ଏବଂ ସହଯୋଗର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରାଯାଇଛି ।
ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ପ୍ରଶାସନିକ ଅଧିକାରୀ ଡ. ବୃନ୍ଦା ଡି, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡ଼ ନୀଳକଣ୍ଠ ମିଶ୍ର, ପରିବାର କଲ୍ୟାଣ ନିର୍ଦ୍ଦେଶକ ଡ଼ ସଂଯୁକ୍ତା ସାହୁ, ସ୍ବତନ୍ତ୍ର ଶାସନ ସଚିବ (ଜନସ୍ୱାସ୍ଥ୍ୟ) ଡ଼ ଜିତେନ୍ଦ୍ର ମୋହନ, କ୍ଲିନିକାଲ୍ ସାଇକୋଲୋଜିଷ୍ଟ ଅନୁଶ୍ରୀ ଥାକର, ଅତିରିକ୍ତ ନିର୍ଦ୍ଦେଶିକା ଜନସ୍ୱାସ୍ଥ୍ୟ ଡ଼ ପ୍ରମିଳା ବରାଳ, ବରିଷ୍ଠ ଅଧିକାରୀ, ଡାକ୍ତର, ନର୍ସ, ଏଏନ୍ଏମ୍ ଛାତ୍ରଛାତ୍ରୀ, ଏନଜିଓର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।
ପଦ୍ମଶ୍ରୀ ଡ. ଆଗାସେ, ଏମ୍ ଏଚ୍ ଆଇର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ଡ଼ ନୀଳ ମାଧବ ରଥ, ବରିଷ୍ଠ ମାନସିକ ରୋଗ ବିଶେଷଜ୍ଞ ଡ଼ ଉମା ପ୍ରସାଦ ବିଶ୍ବାଳ, ଡ଼ ଜୟନ୍ତ କୁମାର ପଣ୍ଡା, ଡ଼ ରାଜେନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ଚଳଚ୍ଚିତ୍ର ଗୁଡିକ ସମ୍ପର୍କରେ ଦର୍ଶକମାନଙ୍କୁ ଦିଗଦର୍ଶନ ଦେଇଥିଲେ ।
-0-
ସୌରଭ ପ୍ରଧାନ,ସୂଚନା ଅଧିକାରୀ ଙ୍କ ସୌଜନ୍ୟ ରୁ