ଭୁବନେଶ୍ୱର,୧୫/୦୩/୨୦୨୬ (ଓଡ଼ିଶା ସମାଚାର)- ବିଶିଷ୍ଟ ଶିକ୍ଷାବିତ୍ ଓ ଆଧ୍ୟାତ୍ମିକ ବ୍ୟକ୍ତିତ୍ୱ ଶ୍ରୀ ଦେବେନ୍ଦ୍ର ମିଶ୍ର ଙ୍କର ଗତ ୧୩ ମାର୍ଚ୍ଚ ରେ ୭୯ବର୍ଷ ବୟସ ରେ ଭୁବନେଶ୍ୱରସ୍ଥିତ ତାଙ୍କ ବାସଭବନ ରେ ପରଲୋକ ହୋଇଯାଇଛି । ଶେଷ ସମୟରେ ତାଙ୍କ ପାଖରେ ପତ୍ନୀ ବୀଣା ମିଶ୍ର, ପୁତ୍ର, ପୁତ୍ରବଧୂ ନାତି ଓ ନାତୁଣୀ ମାନେ ଉପସ୍ଥିତ ଥିଲେ । ଡାକ୍ତର ରମାକାନ୍ତ ମିଶ୍ର ଓ ସରସ୍ବତୀ ଦେବୀ ଙ୍କ ପଞ୍ଚମ ପୁତ୍ର ଭାବେ ୧୯୪୭ ମସିହା ରେ ଦେଓଗଡ ଠାରେ ତାଙ୍କର ଜନ୍ମ । ବିଡମ୍ବନା ର ବିଷୟ ମାର୍ଚ୍ଚ ୧୩ ତାଙ୍କର ଜନ୍ମଦିବସ ଥିଲା ।
ରେଭେନ୍ଶା କଲିଜିଏଟ ସ୍କୁଲ ରୁ ବିଦ୍ୟାଳୟ ଶିକ୍ଷା ଶେଷ କରି ରେଭେନ୍ସା ମହାବିଦ୍ୟାଳୟ ରୁ ସ୍ନାତକ ଶିକ୍ଷା ସମାପନ କରିଥିଲେ । ତତ୍ପରେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ରୁ ସ୍ନାତକୋତ୍ତର ଓ ଦିଲ୍ଲୀସ୍ଥ ଜେଏନୟୁ ରୁ ଏମ ଫିଲ ଶିକ୍ଷା ସମାପନ କରି ୧୯୭୦ ମସିହାରେ ପ୍ରଥମେ ସରକାରୀ ମହାବିଦ୍ୟାଳୟ ଭବାନୀପାଟଣା ରେ ଅଧ୍ୟାପକ ଭାବେ ଶିକ୍ଷାଦାନ କାର୍ୟ୍ୟ ଆରମ୍ଭ କରିଥିଲେ । ତତ୍ପରେ ରେଭେନ୍ସା ମହାବିଦ୍ୟାଳୟ, ଜି ଏମ କଲେଜ, ସମ୍ବଲପୁର, ବିଜେବି କଲେଜ, ଭୁବନେଶ୍ୱର ରେ ପ୍ରାଧ୍ୟାପକ ଭାବେ ଶିକ୍ଷାଦାନ କରିଥିଲେ ।
ସେ କିଛି ବର୍ଷ ରାଜ୍ୟ ସରକାର ଙ୍କ ନିଯୁକ୍ତି ଚୟନ ବୋର୍ଡ ର ସମ୍ପାଦକ ଥିଲେ । ଶ୍ରୀ ମିଶ୍ର ଓଡିଶା ସରକାରୀ ମହାବିଦ୍ୟାଳୟ ଶିକ୍ଷକ ସଂଘ ର ସମ୍ପାଦକ ଥିଲେ ଓ ତାଙ୍କରି ନେତୃତ୍ୱ ରେ ହୋଇଥିବା ଶିକ୍ଷକ ଆନ୍ଦୋଳନ ଫଳରେ ଓଡିଶା ର ସରକାରୀ ଅଧ୍ୟାପକମାନେ ୟୁ ଜି ସି ନିର୍ଦ୍ଧାରିତ ବେତନ ପାଇପରିଥିଲେ । ରେଭେନ୍ସା ରେ ଛାତ୍ର ଥିବା ସମୟରେ ସାଧାରଣତନ୍ତ୍ର ଦିବସ ରେ ଏନ ସି ସି କ୍ୟାଡେଟ ଭାବେ ଜାତୀୟସ୍ତର ରେ ପ୍ରତିନିଧିତ୍ୱ କରିଥିଲେ । ଜଣେ କ୍ରୀଡା ପ୍ରତିଭା ଭାବେ ଜାତୀୟସ୍ତର ରେ ବାଡମିଣ୍ଟନ ଚମ୍ପିୟାନ, କଳାହାଣ୍ଡି ଜିଲ୍ଲା କ୍ରିକେଟ ଟିମ ପକ୍ଷରୁ ରାଜ୍ୟସ୍ତରୀୟ କଳାହାଣ୍ଡି କପ ରେ ରେ ଜଣେ ଖେଳାଳି ଭାବେ ଭାଗ ନେଇଥିଲେ ।
ଜଣେ ଆଧ୍ୟାତ୍ମିକ ବ୍ୟକ୍ତିତ୍ୱ ଭାବେ ଶ୍ରୀ ଶିରିଡି ସାଇ ଦର୍ଶନ ଓ ଭାବଧାରା ର ଜଣେ ଉତ୍ସର୍ଗୀକୃତ ପ୍ରଚାରକ ଥିଲେ । ଜଣେ ନିର୍ଭିକ, ସ୍ପଷ୍ଟବାଦୀ ଓ ପରୋପକାରୀ ବ୍ୟକ୍ତି ଭାବେ ସେ ସବୁଦିନେ ମନେ ରହିବେ ।
ବାଲ୍ୟବନ୍ଧୁ ଗୁରୁଜୀ ଶ୍ରୀ ଚନ୍ଦ୍ରଭାନୁ ଶତପଥି, ଅବସରପ୍ରାପ୍ତ ପ୍ରଶାସକ ଧୀରେନ୍ଦ୍ର ନାଥ ପାଢ଼ୀ, ଅବସରପ୍ରାପ୍ତ ପ୍ରଫେସର ଡ଼କ୍ଟର ଦୀପା ପାଢ଼ୀ, ଛାତ୍ରୀ ତଥା ପ୍ରାକ୍ତନ ସାଂସଦ ଅର୍ଚନା ନାୟକ, ଅନେକ ଅବସରପ୍ରାପ୍ତ ଅଧ୍ୟକ୍ଷ ଓ ପ୍ରଫେସର ତାଙ୍କର ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ ସହ ଅମର ଆତ୍ମା ର ସଦଗତି କାମନା କରି ପରିବାରବର୍ଗ ଙ୍କୁ ସମବେଦନା ଜଣାଇଥିଲେ ।
