ପଞ୍ଚସଖା ଶିକ୍ଷା ସେତୁର ଚତୁର୍ଥ କାର୍ଯ୍ୟନିର୍ବାହୀ ପରିଷଦର ବୈଠକ

୨୩ ଜିଲ୍ଲାରେ ୯ କୋଟି ଟଙ୍କାରେ ୮୯୬ ଟି ପ୍ରକଳ୍ପ ମଞ୍ଜୁର

ଭୁବନେଶ୍ୱର,୧୪/୦୩/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-ପଞ୍ଚସଖା ଶିକ୍ଷା ସେତୁ ସଂଗଠନର ଚତୁର୍ଥ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ  ଅନୁଷ୍ଠିତ ହୋଇଯାଇଛି । ବୈଠକରେ ରାଜ୍ୟର ୨୩ ଟି ଜିଲ୍ଲାର ବିଭିନ୍ନ ସ୍କୁଲରେ ଭିତ୍ତିଭୂମିର ବିକାଶ ପାଇଁ ୯ କୋଟି ୪୮ ହଜାର ୬୭୮ ଟଙ୍କାର ୮୯୬ ଟି ପ୍ରକଳ୍ପକୁ ମଞ୍ଜୁର ଦିଆଯାଇଛି । ପ୍ରାୟ ୪ ହଜାରରୁ ଅଧିକ ପୁରାତନ ଛାତ୍ରଛାତ୍ରୀ, ବୁଦ୍ଧୀଜୀବୀ ଓ ଅନୁଷ୍ଠାନ ବିଦ୍ୟାଳୟର ଉନ୍ନତି ନିମନ୍ତେ ଏହି ଅର୍ଥ ଅବଦାନ ଦେଇଛନ୍ତି ।

ପରିଷଦର ଅଧ୍ୟକ୍ଷ ତଥା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଆୟୁକ୍ତ ତଥା ଶାସନ ସଚିବ ଡା ଏନ୍. ତିରୁମାଲା ନାୟକ ବୈଠକରେ ଅଧ୍ୟକ୍ଷତା କରିଥିଲେ । ପୁରାତନ ଛାତ୍ରଛାତ୍ରୀଙ୍କ ସଂଯୋଗରେ ବିଦ୍ୟାଳୟରେ ଆସୁଥିବା ଶୈକ୍ଷିକ ଓ ଭିତ୍ତିଭୂମିର ବିକାଶ ଉପରେ ଗୁରୁତ୍ବାରୋପ କରିଥିଲେ । ବୈଠକରେ ପଞ୍ଚସଖା ଶିକ୍ଷା ସେତୁ ଅଧୀନରେ ଅନେକ ନୂତନ କାର୍ଯ୍ୟକ୍ରମ କରାଯିବାକୁ ନିଷ୍ପତ୍ତି ହୋଇଛି । ଏହା ସହ ବିଭିନ୍ନ  କର୍ପୋରେଟ ସାମାଜିକ ଦାୟିତ୍ବବୋଧ ପାଣ୍ଠିରୁ ମିଳିଥିବା ଅବଦାନରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ମଧ୍ୟାହ୍ନଭୋଜନ ହଲ୍ ନିର୍ମାଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ୧୩୪ଟି ମଧ୍ୟାହ୍ନଭୋଜନ ହଲ୍ ନିର୍ମାଣ ପାଇଁ ୫୪ କୋଟି ଟଙ୍କା ମଞ୍ଜୁରୀ ଦିଆଯାଇଛି ।

ଏହି ବୈଠକରେ ପଞ୍ଚସଖା ଶିକ୍ଷା ସେତୁର ସଦସ୍ୟ ସଚିବ ତଥା ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶିକ  ଶ୍ରୀମତୀ ଅନନ୍ୟା ଦାସ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ଦୁର୍ଗାପ୍ରସାଦ ମହାପାତ୍ର, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶିକ ଶ୍ରୀମତୀ ସସ୍ମିତା ମାଳି, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶିକ ଶ୍ରୀମତୀ ସୁଜାତା ପଣ୍ଡା, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀମତୀ ନିବେଦିତା ରାଏ, ବରିଷ୍ଠ ଟିସି (ଖୋର୍ଦ୍ଧା) ଶ୍ରୀ ଦେବବ୍ରତ ମହାନ୍ତି, ବରିଷ୍ଠ ଟିସି (ଜଗତସିଂହପୁର) ଶ୍ରୀ ଶୁଭେନ୍ଦୁ ବରାଳ, ପଞ୍ଚସଖା ଶିକ୍ଷା ସେତୁ ସଂଗଠନର ମୁଖ୍ୟ ପରିଚାଳନା ଅଧିକାରୀ ଶ୍ରୀମତୀ ରାଜ ଲକ୍ଷ୍ମୀ ଦାଶ, ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅଧିକାରୀ ଡ. ମଣିପ୍ରସାଦ ମିଶ୍ର, ଓ ବିତ୍ତ ଅଧିକାରୀ ଶ୍ରୀମତୀ ଇତିଶ୍ରୀ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ ।

-0-

ରୋଜାଲିନ ସାହୁ ,ଲୋକସମ୍ପର୍କ ଅଧିକାରୀ ,ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *