କେନ୍ଦ୍ରାପଡ଼ା, ୩୦/୦୧/୨୦୨୪ (ଓଡ଼ିଶା ସମାଚାର)- ସହୀଦ ଦିବସ ଅବସରରେ ବୀର ଅମର ସହୀଦମାନଙ୍କ ଉଦ୍ଧେଶ୍ୟରେ ଆଜି ଜିଲାପାଳଙ୍କ କାର୍ଯ୍ୟାଳୟର ସଦ୍ଭାବନା ସଭାଗୃହରେ ଦିବା ୧୧ ଘଟିକା ସମୟରେ ୨ ମିନିଟ୍ ପାଇଁ ଏକ ନୀରବ ପ୍ରାର୍ଥନା କରାଯାଇଛି । ଜିଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ, ଅତିରିକ୍ତ ଜିଲାପାଳ (ରାଜସ୍ୱ) ନିଲୁ ମହାପାତ୍ର, ଅତିରିକ୍ତ ଜିଲାପାଳ (ସାଧାରଣ) ପୀତାମ୍ବର ସାମଲ, ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ରାଜେନ୍ଦ୍ର ପଣ୍ଡା, ଉପଜିଲାପାଳ ରବିନ୍ଦ୍ର କୁମାର ପ୍ରଧାନ, ଡେପୁଟି କଲେକ୍ଟର, ସମସ୍ତ ଜିଲାସ୍ତରୀୟ ଅଧିକାରୀ, ଜିଲା କାର୍ଯ୍ୟାଳୟର ସମସ୍ତ କର୍ମଚାରୀମାନେ ଏହି ନୀରବ ପ୍ରାର୍ଥନାରେ ଯୋଗ ଦେଇ ଦିବଂଗତ ସହୀଦମାନଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ସେହିପରି ସକାଳ ୮ଟା ୩୦ ମିନିଟ୍ ସମୟରେ ଜାତିର ଜନକ ମହାତ୍ମାଗାନ୍ଧୀଙ୍କୁ ଜିଲା ପ୍ରଶାସନ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା । ଗରାପୁର ଡାକବଙ୍ଗଳା ନିକଟ ଗାନ୍ଧିଜୀଙ୍କ ପ୍ରତିମୂର୍ତିରେ ଜିଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲାପାଳ (ରାଜସ୍ୱ) ଶ୍ରୀ ମହାପାତ୍ର ପୁଷ୍ପହାର ଦେଇ ଶ୍ରଦ୍ଧା ନିବେଦନ କରିଥିବା ବେଳେ କେନ୍ଦ୍ରାପଡ଼ା ଜିଲା ସ୍ୱାଧୀନତା ସଂଗ୍ରାମୀ ସମିତିର ସଭାପତି ବିମ୍ବାଧର ମୁଦୁଲି ଓ ଉପସଭାପତି ଫକୀର ମୋହନ ଦାସ ଗାନ୍ଧୀଜୀଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ପ୍ରଫେସର ନନ୍ଦ କିଶୋର ପରିଡ଼ା, ଶିକ୍ଷାବିତ ଅଜୟ ସାମଲ, ଡ.ବାସୁଦେବ ଦାସ, ପଦ୍ମନାଭ ଦାସ, ତୁଷାର ଘୋଷ, କୁଳମଣି ରାଉତ, ବାଉରୀବନ୍ଧୁ ଦାସ, ପଂଚାନନ ଦାସ, ଅମୂଲ୍ୟ ନନ୍ଦ ସାହୁ, କୁଞ୍ଜ ବିହାରୀ ପରିଡ଼ା, ଗୟାଧର ଧଳ, ଆଦିକନ୍ଦ ରାଉଳ, ରମଣୀ ରଞ୍ଜନ ରାଉତରାୟ, ଜିଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଆଲୋକ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ ।