କଟକ ଜିଲ୍ଲାପାଳଙ୍କ ଅଡୁଆ ବଢ଼ିଲା, ରାଜ୍ୟସଭା ପକ୍ଷରୁ ଵିଶେଷାଧିକାର ଭଙ୍ଗ ନୋଟିସ୍

କଟକ ସଦର,୧୪/୦୨/୨୦୨୬(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା):କଟକ ଜିଲ୍ଲାପାଳ ଭାବେ ଯୋଗ ଦେବା ପରଠାରୁ ଦତ୍ତାତ୍ରେୟ ଭାଉସାହେଵ୍ ସିନ୍ଧେ ଙ୍କ ପାଇଁ ବିବାଦ ବଢ଼ି ବଢ଼ି ଚାଲିଛି। ଯେଉଁଥି ପାଇଁ ଏବେ ରାଜ୍ୟସଭା ସଚିବାଳୟ ପକ୍ଷରୁ ବିଶେଷାଧିକାର ନୋଟିସ ତାଙ୍କ ନାଁ ରେ ଦିଆଯାଇଥିବା ଜଣାପଡିଛି। ପ୍ରକାଶ ଯେ ଗତ ଜାନୁଆରୀ ୨୩ ତାରିଖରେ କଟକରେ ସରକାରୀ ଭାବେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଯେଉଁଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ଉପାଧ୍ୟକ୍ଷ ତଥା ମହାମହିମ ଉପରାଷ୍ଟ୍ରପତି ସି ପି ରାଧାକ୍ରିଷ୍ଣନ୍ ଯୋଗ ଦେଇଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ମହାମହିମ ରାଜ୍ୟପାଳ ଡ଼ଃ ହରିଵାଵୁ କମ୍ଭମପତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଙ୍କ ସମେତ ଦଳମତ ନିର୍ବିଶେଷରେ ବହୁ ବିଧାୟକ ଯୋଗ ଦେଇଥିଲେ। ହେଲେ କଟକ ର ପୂର୍ବତନ ବିଧାୟକ ତଥା ବର୍ତ୍ତମାନର ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଙ୍କୁ ନିମନ୍ତ୍ରଣ କରାନଯାଇ ଅଣଦେଖା କରାଯାଇଥିଲା।

ଯାହାକୁ ନେଇ ଏହା ରାଜ୍ୟସଭା ପ୍ରତି ଘୋର ଅପମାନ ଦର୍ଶାଇ ଦେବାଶିଷ ଚଳିତ ମାସ ୫ ତାରିଖରେ ରାଜ୍ୟସଭା ଅଧିବେଶନରେ କଟକ ଜିଲ୍ଲାପାଳଙ୍କୁ ଦାୟୀ କରି ତାଙ୍କ ନାଁ ରେ ସ୍ୱାଧୀକାର ଭଙ୍ଗ ପ୍ରସ୍ତାବ ଆଗତ କରିଥିଲେ। ଏହାକୁ ଗୁରୁତ୍ୱ ଦେଇ ରାଜ୍ୟସଭା ସଚିବାଳୟ ନିର୍ଦେଶକ ଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ନୋଟିସ ଜାରି କରାଯାଇଛି। କେନ୍ଦ୍ର ପର୍ସନାଲ, ପବ୍ଲିକ ଗ୍ରୀଭାନ୍ସ, ପେନସନ ବିଭାଗ ମନ୍ତ୍ରଣାଳୟ ବିଭାଗ ଜରିଆରେ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେଵ୍ ସିନ୍ଧେ ଙ୍କୁ ନୋଟିସ୍ ଜାରି କରାଯାଇଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ ରାଜ୍ୟସଭାରେ ସ୍ୱାଧୀକାର ଭଙ୍ଗ ପ୍ରସ୍ତାବ ଆଗତ ପରେ ଜିଲାପାଳ ସାଂସଦ ଦେବାଶିଷ ଙ୍କୁ ବ୍ୟକ୍ତିଗତ ଭାବେ ଭେଟି ଆଲୋଚନା କରିବେ ବୋଲି କହିଥିଲେ। ହେଲେ ଭେଟିଲେ କି ନାହିଁ ଜଣାପଡିନାହିଁ।

Leave a Reply

Your email address will not be published. Required fields are marked *