★ ନିର୍ମାଣ ସାମଗ୍ରୀ ଓ ଶ୍ରମିକ ଦର ନିର୍ଦ୍ଧାରଣରେ ଆସିବ ସମାନତା: ୧୫ ଦିନ ମଧ୍ୟରେ ଅନୁମୋଦିତ ହେବ ସଂଶୋଧିତ ତାଲିକା
★ ଟେଣ୍ଡର ପ୍ରକ୍ରିୟାରେ ବ୍ୟାପକ ପ୍ରଶାସନିକ ସଂସ୍କାର ଓ ଭୁବନେଶ୍ୱର ଟ୍ରାଫିକ୍ ସମସ୍ୟା ଦୂରୀକରଣ ଉପରେ ଗୁରୁତ୍ୱ
★ ନିର୍ମାଣ କ୍ଷେତ୍ରରେ ନୂତନ ଜ୍ଞାନକୌଶଳର ବିନିଯୋଗ ପାଇଁ ପ୍ରତିଷ୍ଠା ହେବ ‘ଓଡ଼ିଶା ରୋଡ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍’
ଭୁବନେଶ୍ୱର,୧୧/୦୩/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ରାଜ୍ୟରେ ଚାଲୁଥିବା ବିଭିନ୍ନ ନିର୍ମାଣ ପ୍ରକଳ୍ପକୁ ଅଧିକ ସ୍ୱଚ୍ଛ ଓ ଗତିଶୀଳ କରିବା ପାଇଁ ଆଜି ପୂର୍ତ୍ତ ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଆସନ୍ତା ୧୫ ଦିନ ମଧ୍ୟରେ ସଂଶୋଧିତ ‘ସେଡ୍ୟୁଲ୍ ଅଫ୍ ରେଟ୍ସ’କୁ ଧାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଏହି ବ୍ୟବସ୍ଥା ଦ୍ୱାରା ନିର୍ମାଣ ସାମଗ୍ରୀ, ଶ୍ରମିକ ଓ ଯନ୍ତ୍ରପାତିର ଦର ନିର୍ଦ୍ଧାରଣରେ ସମାନତା ଆସିବା ସହ ପ୍ରକଳ୍ପ ଅଟକଳ ଓ ପେମେଣ୍ଟ ପ୍ରକ୍ରିୟା ଅଧିକ ସହଜ ହେବ ।
ଟେଣ୍ଡର ପ୍ରକ୍ରିୟାରେ ରହୁଥିବା ଅସଙ୍ଗତି ଦୂର କରିବା ପାଇଁ ସମସ୍ତ ଦସ୍ତାବିଜର ମାନକୀକରଣ (ଷ୍ଟାଣ୍ଡାର୍ଡ ବିଡ୍ ଡକୁମେଣ୍ଟ) କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏଥିସହିତ ମୁଖ୍ୟ ଯନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଟେଣ୍ଡର ସମ୍ପର୍କିତ ସମସ୍ତ କାର୍ଯ୍ୟ ପାଇଁ ଏକ ନିର୍ଦ୍ଧିଷ୍ଟ ସମୟସୀମା ଧାର୍ଯ୍ୟ କରାଯାଇଛି ।
ଭୁବନେଶ୍ୱର ସହରର ଟ୍ରାଫିକ୍ ସମସ୍ୟା ହ୍ରାସ କରିବା ପାଇଁ ‘ଡିକଞ୍ଜେସନ ପ୍ଲାନ’ ଉପରେ ମନ୍ତ୍ରୀ ବିଶେଷ ଗୁରୁତ୍ୱାରୋପ କରିଛନ୍ତି ।ଏହି କ୍ରମରେ ଜୟଦେବ ବିହାର – ନନ୍ଦନକାନନର ‘ଲେଫ୍ଟ ପାରାଲାଲ’ ରାସ୍ତା କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ ଦିନରାତି ଜାରି ରଖି ଚଳିତ ମାସ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି I ନିର୍ମାଣ କାର୍ଯ୍ୟ ଚାଲୁଥିବା ସମୟରେ ସାଧାରଣ ଲୋକ ଯେପରି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ସେଥିପାଇଁ ବିକଳ୍ପ ରାସ୍ତାର ବ୍ୟବହାର ଯୋଗ୍ୟତା ତଥା ସୁପରିଚାଳନା ନିଶ୍ଚିତ କରିବାକୁ ମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ କହିଛନ୍ତି ।
ନିର୍ମାଣ କ୍ଷେତ୍ରରେ ନୂତନ ଜ୍ଞାନକୌଶଳର ବିନିଯୋଗ ପାଇଁ କେନ୍ଦ୍ରୀୟ ସଡ଼କ ଗବେଷଣା ପ୍ରତିଷ୍ଠାନ (CRRI) ଢାଞ୍ଚାରେ ଓଡ଼ିଶାରେ ଏକ ସ୍ୱତନ୍ତ୍ର ଗବେଷଣା ପ୍ରତିଷ୍ଠାନ ପ୍ରତିଷ୍ଠା କରିବା ନେଇ ବୈଠକରେ ଆଲୋଚନା ହୋଇଥିବା ବେଳେ ଏହି ରାସ୍ତା ଗବେଷଣା ପ୍ରତିଷ୍ଠାନର ରୂପରେଖ ଓ କାର୍ଯ୍ୟାନ୍ୱୟନ ସମ୍ପର୍କିତ ବିସ୍ତୃତ ତଥ୍ୟ ଆଗାମୀ ଦିନରେ ଚୂଡ଼ାନ୍ତ କରାଯିବ ବୋଲି ନିଷ୍ପତି ଦିଆଯାଇଛି ।
ଏଥି ସହ ଆସନ୍ତା ମାର୍ଚ୍ଚ ୩୧ ସୁଦ୍ଧା ସମସ୍ତ ବ୍ୟୟ ଲକ୍ଷ୍ୟ ହାସଲ କରିବା ସହ ସପ୍ଲିମେଣ୍ଟାରୀ ବଜେଟ୍ରେ ଅନୁମୋଦିତ ହୋଇଥିବା ବିଭିନ୍ନ ଡିଭିଜନର ଦେୟଗୁଡ଼ିକୁ ତୁରନ୍ତ ଭରଣା କରିବାକୁ ମନ୍ତ୍ରୀ ଅଧିକାରୀମାନଙ୍କୁ କହିଛନ୍ତି ।
ଏହି ବୈଠକରେ ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ, ଓଡ଼ିଶା ବ୍ରିଜ୍ ଆଣ୍ଡ କନଷ୍ଟ୍ରକସନ କର୍ପୋରେସନ (OBCC) ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଅନୁପମ ସାହା, ଇଆଇସି (ସିଭିଲ୍) ଇଂ ସତ୍ୟବ୍ରତ ବେହେରା, ସ୍ୱତନ୍ତ୍ର ସଚିବ ଇଂ ଲକ୍ଷ୍ମୀକାନ୍ତ ପାଢ଼ୀ, ଅର୍ଥ ପରାମର୍ଶଦାତା ଶ୍ରୀ ରତିକାନ୍ତ ମହାପାତ୍ରଙ୍କ ସମେତ ଭୁବନେଶ୍ୱରର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଓ ଅନ୍ୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ ।
-0-
ଆଦିତ୍ୟ ନାରାୟଣ ସାମଲ,ଲୋକସଂପର୍କ ଅଧିକାରୀ
