ଅର୍ଥନୈତିକ କରିଡର ସହ ଯୋଡ଼ି ହେବ ‘ବିଶ୍ୱବିଦ୍ୟାଳୟ ଟାଉନସିପ୍’

ଜାତୀୟ ୱେବିନାରରେ ଓଡ଼ିଶାର ପ୍ରସ୍ତାବ

ଭୁବନେଶ୍ୱର,୧୦/୦୩/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ବଜେଟ୍ ପରବର୍ତ୍ତୀ ଏକ ଜାତୀୟ ସ୍ତରୀୟ ୱେବିନାରରେ ଓଡ଼ିଶା ଅଂଶଗ୍ରହଣ କରି ପ୍ରମୁଖ ଶିଳ୍ପ ତଥା ଅର୍ଥନୈତିକ କରିଡର ନିକଟରେ ‘ବିଶ୍ୱବିଦ୍ୟାଳୟ ଟାଉନସିପ୍.ପ୍ରତିଷ୍ଠା କରିବାକୁ ଦୃଢ଼ ଯୁକ୍ତି ବାଢ଼ିଛି।

ରାଜ୍ୟ ସରକାରଙ୍କ ପକ୍ଷରୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ ଏହି ୱେବିନାରରେ ଯୋଗ ଦେଇଥିଲେ। ଓଡ଼ିଶାର ରଣନୈତିକ ଦୂରଦୃଷ୍ଟି ସମ୍ପର୍କରେ ଆଲୋକପାତ କରି ସେ କହିଥିଲେ ଯେ, ଉଚ୍ଚଶିକ୍ଷା, ଗବେଷଣା, ନୂତନତା ଏବଂ ସହରୀ ବିକାଶକୁ ସମନ୍ୱିତ କରି ଏହି ଟାଉନସିପ୍ ଗୁଡ଼ିକ ଗଠନ କରାଯିବା ଉଚିତ।

ସୂଚନାଯୋଗ୍ୟ ଯେ, କେନ୍ଦ୍ରୀୟ ବଜେଟ୍ ୨୦୨୬-୨୭ରେ ଦେଶର ପ୍ରମୁଖ ଶିଳ୍ପ ଏବଂ ଲଜିଷ୍ଟିକ୍ କରିଡରରେ ୫ଟି ସ୍ୱତନ୍ତ୍ର ‘ବିଶ୍ୱବିଦ୍ୟାଳୟ ଟାଉନସିପ୍’ ସ୍ଥାପନ ପାଇଁ ପ୍ରସ୍ତାବ ଦିଆଯାଇଛି।

ଶ୍ରୀମତୀ ପାଢ଼ୀ ପରାମର୍ଶ ଦେଇଛନ୍ତି ଯେ, ଓଡ଼ିଶାର ବିଭିନ୍ନ ପ୍ରତିଷ୍ଠିତ ଅର୍ଥନୈତିକ ଅଞ୍ଚଳ ଯଥା: BCPPER ଅଞ୍ଚଳ ଏବଂ ପଶ୍ଚିମ ଓ ଉତ୍ତର ଓଡ଼ିଶାର ସହରୀ ଅର୍ଥନୈତିକ ଜୋନ୍‌ଗୁଡ଼ିକୁ ଆଧାର କରି ଏହି ଟାଉନସିପ୍ ନିର୍ମାଣ କରାଯାଇପାରିବ। ବିଶେଷ କରି ରାଉରକେଲା, ସମ୍ବଲପୁର ଏବଂ କୋରାପୁଟ ଭଳି ସହରକୁ କେନ୍ଦ୍ର କରି ଶିକ୍ଷାନୁଷ୍ଠାନ ଓ ଶିଳ୍ପ ସଂସ୍ଥା ମଧ୍ୟରେ ସମନ୍ୱୟ ରକ୍ଷା କରାଗଲେ ଆଞ୍ଚଳିକ ବିକାଶ ସନ୍ତୁଳିତ ହୋଇପାରିବ।

ଆଧୁନିକ ଭିତ୍ତିଭୂମି ଓ ସୁରକ୍ଷା:

ଏହି ଟାଉନସିପ୍ ଗୁଡ଼ିକୁ ଆଧୁନିକ ଭିତ୍ତିଭୂମି, ଗବେଷଣା କେନ୍ଦ୍ର, ଛାତ୍ରାବାସ ଏବଂ ଉନ୍ନତ ପରିବହନ ସେବା ସହିତ ଏକ ସାଟେଲାଇଟ୍ ସିଟି  ଭାବେ ବିକଶିତ କରିବାକୁ ସେ ଗୁରୁତ୍ୱାରୋପ କରିଛନ୍ତି। ଏହାଦ୍ୱାରା ବିଶ୍ୱସ୍ତରୀୟ ପ୍ରତିଭାମାନେ ଆକୃଷ୍ଟ ହେବେ। ଏଥିସହ କ୍ୟାମ୍ପସ ମଧ୍ୟରେ ଛାତ୍ରୀମାନଙ୍କ ପାଇଁ ସୁରକ୍ଷିତ ଆବାସିକ ବ୍ୟବସ୍ଥା ଏବଂ ଏକ ଅନ୍ତର୍ଭୁକ୍ତିକରଣ ଶୈକ୍ଷିକ ପରିବେଶ ସୃଷ୍ଟି କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି।

ରାଜ୍ୟର ସମ୍ପ୍ରସାରିତ ଶିଳ୍ପ କରିଡର ଗୁଡ଼ିକରେ ଏହି ବିଶ୍ୱବିଦ୍ୟାଳୟ ଟାଉନସିପ୍ ଗୁଡ଼ିକ ‘ଇନୋଭେସନ କ୍ଲଷ୍ଟର’ ଭାବେ କାର୍ଯ୍ୟ କରିବ। ଏଠାରେ ବିଶ୍ୱବିଦ୍ୟାଳୟ ଏବଂ ଶିଳ୍ପ ସଂସ୍ଥା ମଧ୍ୟରେ ସହଯୋଗ ବୃଦ୍ଧି ପାଇବା ସହ ଦକ୍ଷତା ବିକାଶ ଓ ପ୍ରଯୁକ୍ତିଭିତ୍ତିକ ଉଦ୍ୟୋଗୀକରଣକୁ ପ୍ରୋତ୍ସାହନ ମିଳିବ।

ଶିକ୍ଷାଭିତ୍ତିକ ସହରୀ ବିକାଶ ପାଇଁ ଓଡ଼ିଶା ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ପ୍ରକାଶ କରି ଶ୍ରୀମତୀ ପାଢ଼ୀ କହିଛନ୍ତି ଯେ, ଏହି ଟାଉନସିପ୍ ଗୁଡ଼ିକୁ ‘ସେଣ୍ଟର ଅଫ୍ ଏକ୍ସଲେନ୍ସ’ରେ ପରିଣତ କରି ଆଞ୍ଚଳିକ ଅର୍ଥନୈତିକ ଅଭିବୃଦ୍ଧି ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ସହ ମିଶି କାର୍ଯ୍ୟ କରିବେ।

Leave a Reply

Your email address will not be published. Required fields are marked *