କେନ୍ଦୁଝର,୨୭/୦୬/୨୦୨୬ (ଓଡ଼ିଶା ସମାଚାର)- ତାମିଲନାଡୁର ତିରୁଭଲ୍ଲୁର ଜିଲା ପେରିୟାପାଲାୟମ ନିକଟରେ ଅବସ୍ଥିତ ସାମୁଦ୍ରିକ ଖାଦ୍ୟ (ଚିଙ୍ଗୁଡି) ପ୍ରକ୍ରିୟାକରଣ କାରଖାନା ଗ୍ୟାସ୍ ଲିକ୍ ଅଘଟଣରେ କେନ୍ଦୁଝର ଜିଲାର ଆଉ ଦୁଇ ଜୁଆଙ୍ଗ ଯୁବତୀଙ୍କ ମୃତ୍ୟୁ ହୋଇଛି। ସେମାନେ ହେଲେ ବାଂଶପାଳ ବ୍ଲକ ବରାହଗଡ଼ ପଞ୍ଚାୟତ ତଳ ରାଇଡିହା ଗ୍ରାମର ନୀଳାମ୍ବର ଜୁଆଙ୍ଗଙ୍କ ଝିଅ ଦୀପାଞ୍ଜଳି ଜୁଆଙ୍ଗ ଓ ତେଲକୋଇ ବ୍ଲକ ଓରିୟା ପଞ୍ଚାୟତ ପିଟାନାଳୀ ଗ୍ରାମର ନୀଳମଣି ଜୁଆଙ୍ଗଙ୍କ ଝିଅ ସୁମିତ୍ରା ଜୁଆଙ୍ଗ। ଏହି ଦୁଇ ଜଣଙ୍କୁ ମିଶାଇ ଜିଲାରୁ ତଥା ଓଡ଼ିଆ ଶ୍ରମିକ ମୃତକଙ୍କ ସଂଖ୍ୟା ୧୧ରେ ପହଞ୍ଚିଛି।
ଜାତୀୟ ମାନବାଧିକାର କମିସନରେ ମାମଲା ପହଞ୍ଚିଛି । କୋରାପୁଟ ଜିଲ୍ଲାର ବରିଷ୍ଠ ଆଇନଜୀବୀ ଅନୁପ କୁମାର ପାତ୍ରଙ୍କ ଅଭିଯୋଗରେ କମିସନର କେସ୍ ଡାଏରୀ ନମ୍ବର ୧୪୮୧୬/୨୦୨୬ ରେ କେସ୍ ପଞ୍ଜିକୃତ ହୋଇଛି ।ଶ୍ରମିକମାନେ ଅସୁରକ୍ଷିତ ପରିବେଶ ଏବଂ ବିପଦପୂର୍ଣ୍ଣ କାମରେ ନାବାଳିକାକୁ ନିଯୁକ୍ତ କରାଯାଇଥିବାରୁ ତାମିଲନାଡୁ ରାଜ୍ୟ ତିରୁଭାଲ୍ଲୁର ଜିଲା ଅନ୍ତର୍ଗତ ପେରୀୟାପାଲ୍ୟମ ଅଂଚଳରେ ଥିବା ସାମୁଦ୍ରିକ ଖାଦ୍ୟ (ଚିଙ୍ଗୁଡି) ପ୍ରକି୍ରୟାକରଣ କାରଖାନା ମେସର୍ସ ସେଂଟ ପିଟର ଆଣ୍ଡ ସି ଫୁଡ ଏକ୍ସପୋର୍ଟ ପ୍ରାଇଭେଟ ଲିଃ ପରିଚାଳନା କମିଟି ବିରୁଦ୍ଧରେ ଆଇନଗତ କାର୍ୟ୍ୟାନୁଷ୍ଠାନ ନେବା ପାଇଁ କମିସନ ଆଦେଶ କରିବାକୁ ଅନୁରୋଧ କରିଛନ୍ତି । ତାମିଲନାଡୁ ସରକାରଙ୍କୁ ଓ କାରଖାନା ପରିଚାଳନା କମିଟିକୁ ଆଦେଶ କରି ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ସହ ଆହତମାନଙ୍କୁ ଚିକିତ୍ସା ଖର୍ଚ୍ଚ ଦେବା ପାଇଁ ଆଦେଶ କରିବାକୁ ଆଇନଜୀବି ଅନୁପ କୁମାର ପାତ୍ର ନିବେଦନ କରିଛନ୍ତି ।
