ରାଜନଗର ସମବାୟ ସମିତି ଧାନମଣ୍ଡିରେ ଚାଷୀଙ୍କୁ ଶୋଷଣ

ଜିଲାପାଳଙ୍କୁ ଅଭିଯୋଗ
କେନ୍ଦ୍ରାପଡ଼ା, ୧୦/୦୩/୨୦୨୬ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲା ଅଧିନ ରାଜନଗର ସମବାୟ ସମିତି ଧାନମଣ୍ଡିରେ ଚାଷୀଙ୍କୁ ଶୋଷଣ କରାଯାଉଥିବା ଜିଲାସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିରରେ ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ସେହି ଧାନମଣ୍ଡିରେ ସମିତି ସମ୍ପାଦକ ବାରମ୍ବାର ଅନୁପସ୍ଥିତ ରହୁଥିବା ବେଳେ ନିର୍ଦ୍ଧାରିତ ସମୟରେ ଚାଷୀଙ୍କୁ ଟୋକନ ଦିଆନଯିବା, ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଚାଷୀଙ୍କ ଆଖି ସ୍କାନ କରାନଯିବା, ମଣ୍ଡିରେ ଧାନ ଦେବା ପରେ ଚାଷୀଙ୍କ ଆଖି ସ୍କାନ କରିବାକୁ ଅର୍ଥ ଉତ୍କୋଚ ମାଗିବା, ଧାନଦେବା ପାଇଁ ଟିପି ନକରିବା, ଟୋକନ ପ୍ରଦାନ ପାଇଁ ଚାନ୍ଦା ମାଗିବା, ଚାନ୍ଦା ନଦେଲେ ଚାଷୀଙ୍କୁ ଧମକ ଦେବା, ବାରମ୍ବାର ଚାଷୀଙ୍କୁ ମିଥ୍ୟା ପ୍ରତିଶୃତି ଦେବା ଓ ଧାନ ଆଜି ଦେବ କାଲି ଦେବ କହି ପ୍ରତାରଣା କରିବା ପ୍ରଭୃତି ଅଭିଯୋଗ ହୋଇଛି ।

ଏସମ୍ପର୍କରେ ଚାଷୀମାନେ ରାଜନଗର ତହସିଲଦାର ଓ ବିଡିଓଙ୍କ ସମେତ ବେସାମରିକ ଯୋଗାଣ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଥିଲେ ମଧ୍ୟ କୈାଣସି ପଦକ୍ଷେପ ଗ୍ରହଣ କରାନଯିବାରୁ ସେମାନେ ବାଧ୍ୟ ହୋଇ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ଚାଷୀମାନଙ୍କ ପକ୍ଷରୁ ସୁକାନ୍ତ କୁମାର ସାହୁ, ସତ୍ୟଭାମା ଜେନା, ସୁବାସ ଚନ୍ଦ୍ର ସେଠୀ, କଳାକାର ସେଠୀ ଓ ରଶ୍ମୀରଞ୍ଜନ ସେଠୀ ପ୍ରମୁଖ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଜନ ଶୁଣାଣି ଶିବିରରେ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ଜିଲାପାଳ ଏହି ଅଭିଯୋଗ ଉପରେ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ବେଷାମରିକ ଯୋଗାଣ ଅଧିକାରୀଙ୍କୁ ନିର୍ଦେଶ ଦେଇଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *