ନାବାଳିକାକୁ ବଳାତ୍କାର ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ ଜେଲଦଣ୍ଡ

କେନ୍ଦ୍ରାପଡ଼ା, ୧୦/୦୩/୨୦୨୬ (ଓଡ଼ିଶା ସମାଚାର)- ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି କେନ୍ଦ୍ରାପଡ଼ା ଅତିରିକ୍ତ ଜିଲା ଦୌରାଜଜ ତଥା ପୋକ୍ସୋ କୋର୍ଟ ବିଚାରପତି ଅଭିଯୁକ୍ତକୁ ୨୦ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି ।ଏଥିସହ ଅଭିଯୁକ୍ତକୁ ୫୦ ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି । ଜୋରିମାନା ଅନାଦେୟ ଅଭିଯୁକ୍ତ ଏକ ବର୍ଷ ଅଧିକ ସଶ୍ରମ କାରାଦଣ୍ଡ ଭୋଗିବ ବୋଲି କୋର୍ଟ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି । ସେହିପରି ଜିଲା ଆଇନ୍ ସେବା ପ୍ରାଧିକରଣ ଜରିଆରେ ସଂପୃକ୍ତ ପିଡିତା ନାବାଳିକାକୁ ୬ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବା ପାଇଁ କୋର୍ଟ ନିର୍ଦେଶ ଦେଇଛନ୍ତି ।

ମାମଲାର ବିବରଣୀରୁ ପ୍ରକାଶ ୨୦୨୧ ମସିହା ସେପ୍ଟେମ୍ବରମାସ ୨୦ ତାରିଖ ରାତିରେ ତନ୍ତିଆପାଳ ସାମୁଦ୍ରିକ ଥାନା ଅଂଚଳର ଚିକୁ ଓରଫ ସୁମନ୍ତ ରାଉତ ଜଣେ ୧୬ ବର୍ଷ ବୟସର ନାବାଳିକାଙ୍କୁ ଅପହରଣ କରି ହାଇଦ୍ରାବାଦ ନେଇ ଯାଇଥିଲା । ସେଠାରେ ତାକୁ ରଖି ନାବାଳିକାଙ୍କ ଇଚ୍ଛା ବିରୁଦ୍ଧରେ ତାଙ୍କୁ ବାରମ୍ବାର ବଳାତ୍କାର କରିଥିଲା । ବଳାତ୍କାର କରିବା ପରେ ତାଙ୍କୁ ମାଡ଼ ମାରିଥିଲା । ଏ ନେଇ ସେପ୍ଟେମ୍ବରମାସ ୨୧ ତାରିଖରେ ନାବାଳିକାଙ୍କ ପରିବାର ପକ୍ଷରୁ ତନ୍ତିଆପାଳ ଥାନାରେ ଅଭିଯୋଗ କରାଯାଇଥିଲା । ସେହି ଅଭିଯୋଗକୁ ଆଧାରକରି ପୋଲିସ ଏକ ଦୁଷ୍କର୍ମ ମାମଲା ରୁଜୁ କରିଥିଲା ।

ପୋଲିସ ହାଇଦ୍ରାବାଦ ଯାଇ ଅଭିଯୁକ୍ତ ଚିକୁକୁ ୨ ମାସ ପରେ ଗିରଫ କରିଥିଲା । ଏଥିସହ ନାବାଳିକାଙ୍କୁ ଉଦ୍ଧାର କରି କେନ୍ଦ୍ରାପଡ଼ା ଆଣିବା ପରେ ଉଭୟଙ୍କ ଡାକ୍ତରୀ ମାଇନା କରାଯାଇଥିଲା । ନାବାଳିକାଙ୍କୁ ସ୍ୱଧାର ଗୃହରେ ରଖାଯାଇଥିବା ବେଳେ ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଥିଲା । ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ଅତିରିକ୍ତ ଜିଲା ଦୌରାଜଜ ତଥା ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ପ୍ରଜ୍ଞା ପରମିତା ରାଉଳ ଅଭିଯୁକ୍ତ ଚିକୁ ଓରଫ ସୁମନ୍ତ ରାଉତକୁ ଉପରୋକ୍ତ ଦଣ୍ଡାଦେଶରେ ଦଣ୍ଡିତ କରିଛନ୍ତି । ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପବ୍ଲିକ ପ୍ରସିକୁ୍ୟଟର ନେହେରୁ କୁମାର ସାହୁ ମାମଲା ପରିଚାଳନା କରୁଥିଲେ ।

Leave a Reply

Your email address will not be published. Required fields are marked *