ଷ୍ଟେଟ୍ ବ୍ୟାଙ୍କ ସମ୍ମୁଖରୁ ଟଙ୍କା ଲୁଟ୍ ଘଟଣା : ଲୁଟେରା ଗିରଫ, ନଗଦ ୪ଲକ୍ଷ ଟଙ୍କା ଜବତ , ଜଣେ ଫେରାର

ବାଲିଚନ୍ଦ୍ର ପୁର, ୧୦/୦୧/୨୦୨୪ (ଓଡ଼ିଶା ସମାଚାର)- ବାଲିଚନ୍ଦ୍ରପୁର ସ୍ଥିତ ଷ୍ଟେଟ ବ୍ୟାଙ୍କ ସମ୍ମୁଖରୁ ଗତ ୪ତାରିଖରେ ଅପରାହ୍ଣ ୩ଘଙ୍କିକା ସମୟରେ ଚାରିନଙ୍ଗଳ ଗ୍ରାମର ଜୟ ବଜରଙ୍ଗ ବାଲୀ ସ୍ୱୟଂ ସହାୟକ ଗୋଷ୍ଠୀ ର ସଭାନେତ୍ରୀ ଓ ସଂପାଦିକା ବ୍ୟାଙ୍କରୁ ଗୋଷ୍ଠୀ ଋଣ ଟଙ୍କା ବାବଦ ୪ଲକ୍ଷ ୬୯ହଜାର ଟଙ୍କାକୁ ୨ଲୁଟେରା ଝାମ୍ପି ନେଇ ଛୁ ମାରିଥିଲେ । ମାତ୍ର ୫ଦିନ ଭିତରେ ବାଲିଚନ୍ଦ୍ର ପୁର ପୁଲିସ ଲୁଟ ହୋଇଥିବା ଟଙ୍କାକୁ ଧରିବାରେ ଏକ ବଡ ସଫଳତା ମିଳିପାରିଛି । ଏହି ଲୁଟ୍ ଘଟଣାରେ ପୁଲିସ ଜଣେ ଲୁଟେରାକୁ ଗିରଫ କରିବା ସହିତ ଅନ୍ୟ ଜଣେ ଲୁଟେରା ଫେରାର ଥିବା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ବାଲିଚନ୍ଦ୍ର ପୁର ଥାନାଧିକାରିଣୀ ପ୍ରମୋଦିନୀ ସାହୁ ସୂଚନା ଦେଇଛନ୍ତି । ବଜରଙ୍ଗ ବାଲୀ ସ୍ୱୟଂ ସହାୟିକା ଗୋଷ୍ଠୀର ସଭାନେତ୍ରୀ ଓ ସଂପାଦିକାଙ୍କ ଅଭିଯୋଗ ଆଧାରରେ ଥାନା କେସ୍ ନଂ ୨/୨୪ରେ ମାମଲା ରୁଜୁ କରାଯାଇଥିଲା । ବାଲିଚନ୍ଦ୍ରପୁର ଅଂଚଳରେ ଘଟିଥିବା ଏହି ଲୁଟ୍ ଘଟଣାକୁ ଜିଲା ଆରକ୍ଷୀ ଅଧିକ୍ଷକ ଭିନୀତ ଅଗ୍ରୱାଲ ତଦନ୍ତ କରି ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଯାଜପୁର ରୋଡ ଥାନାଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ ଓ ବାଲିଚନ୍ଦ୍ରପୁର ଥାନାଧିକାରିଣୀ ପ୍ରମୋଦିନୀ ସାହୁଙ୍କୁ ନିର୍ଦ୍ଧେଶ ଦେଇଥିଲେ । ଉଭୟ ତଦନ୍ତ ଅଧିକାରୀ ଏସ.ଆଇ ପ୍ରିୟଦର୍ଶନ ସେଠୀ,ଶଶୀଭୂଷଣ ପରିଡା,କନେଷ୍ଟବଳ ବିଜୟ କୁମାର ତ୍ରିପାଠୀ ଓ ସୁନାକର ବିଶ୍ୱାଳଙ୍କୁ ନେଇ ଏକ ଟିମ୍ ଗଠନ କରି ବ୍ୟାଙ୍କ ସିସିଟିଭି ଫୁଟେଜ୍ ଯାଂଚ ସହିତ ଘଟଣାର ତଦନ୍ତ କରି ଜଣେ ଅଭିଯୁକ୍ତକୁ କୋରେଇ ଥାନା ଅନ୍ତର୍ଗତ କନ୍ତର ଅଂଚଳରୁ ଗିରଫ କରିବାରେ ସଫଳ ହେବା ସହ ତା ପାଖରୁ ୪ଲକ୍ଷ ଟଙ୍କା ଜବତ କରିଥିଲେ । ଗିରଫ ଅଭିଯୁକ୍ତ ଗଞ୍ଜାମ ଜିଲା ଆସ୍କା ଥାନା ଅନ୍ତର୍ଗତ ପାକଲ ପଲ୍ଲି ଗ୍ରାମର ଆହୁଲ ରାମ୍ ଙ୍କ ପୁଅ ଆହୁଲା ସନ୍ତୋଷ(୨୪) । ଗିରଫ ଅଭିଯୁକ୍ତ ଆହୁଲା ସନ୍ତୋଷକୁ କୋର୍ଟ ଚାଲାଣ କରାଯାଇଛି । ବାଲିଚନ୍ଦ୍ର ପୁର ଥାନା ଅଂଚଳରୁ ବାରମ୍ବାର ଲୁଟେରା ମାନେ ବିଭିନ୍ନ ଉପାୟରେ ବୃଦ୍ଧ ବୃଦ୍ଧା,ମହିଳାମାନଙ୍କ ଠାରୁ ଲୁଟ୍ କରିଆସୁଥିବାବେଳେ ପ୍ରଥମ କରି ବାଲିଚନ୍ଦ୍ର ପୁର ପୁଲିସ ବହୁତ ଶୀଘ୍ର ଅଭିଯୁକ୍ତ ମାନଙ୍କୁ ଗିରଫ କରି ଟଙ୍କା ଜବତ କରି ପାରିଥିବାରୁ ବାଲିଚନ୍ଦ୍ର ପୁର ଥାନାଧିକାରିଣୀ ପ୍ରମୋଦିନୀ ସାହୁଙ୍କୁ ବଜରଙ୍ଗ ବାଲୀ ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟା ଓ ଜନସାଧାରଣ ଧନ୍ୟବାଦ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *